ବିଇଏମସିର ବେଫିକର ନୀତି,
ବିଇଏମସିର ବେଫିକର ନୀତି, ଚାଲିଗଲା ନିରୀହ ଛାତ୍ରର ଜୀବନମରଣଯନ୍ତା ପାଲଟିଛି ମୁକୁଳା ଡ୍ରେନ୍ମହାନଗର ନିଗମର ମନମୁଖୀ କାର୍ଯ୍ୟ ନେଇ ଉଠିଲା ପ୍ରଶ୍ନମୃତ ନାବାଳକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବୀ ବ୍ରହ୍ମପୁର :-୨୨/୦୮ ବୁଧବାର ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହି ୧୨ ନମ୍ବର ଗଳି ରେ ଘଟିଥିବା ଦୁଃଖଦାୟକ ଘଟଣା ସାରା ସହରକୁ ସ୍ତବ୍ଧ କରି ଦେଇଛି। ସ୍ଥାନୀୟ ମୁକୁଳା ଡ୍ରେନ୍ ରେ ଭାସିଯାଇ ଜୀବନ ହାରିଛନ୍ତି ଉକ୍ତ ଅଂଚଳର ସାଇରାମ ପାତ୍ର (୧୧) ନାମକ ଜଣେ ନାବାଳକ। ସାହି ବସିନ୍ଧାଙ୍କ କହିବା ପ୍ରକାରେ , ନାବାଳକ ଜଣକ ସାଇକେଲ ଧରି ଘରୁ ବାହାରିଥିବା ବେଳେ ହଠାତ୍ ଏକ ଖୋଲାମେଲା ନାଳ ଭିତରେ ପଡି ଯାଇଥିଲେ। ଆଉ ଆଖି ପିଛୁଳାକେ ନାଳରେ ପ୍ରବାହିତ ହେଉଥିବା ପ୍ରବଳ ଜଳର ସ୍ରୋତ ରେ ଭାସି ଯାଇଥିଲେ। ଘଟଣା ସ୍ଥଳରୁ ନାବାଳକର ସାଇକେଲ ମିଳିଥିବା ବେଳେ ସ୍ଥାନୀୟ ଅଧିକାରୀ ଓ ଜନ ପ୍ରତିନିଧିଙ୍କ ଉପସ୍ଥିତିରେ ୫ରୁ ଉର୍ଦ୍ଧ ଘଣ୍ଟା ର ସର୍ଚ୍ଚ ଅପରେସନ ପରେ ଏକ ପଙ୍କ ଗଦାରୁ ଉଦ୍ଧାର ହୋଇଥିଲା ନିଖୋଜ ନାବାଳକର ମୃତ ଦେହ। ସଙ୍ଗେ ସଙ୍ଗେ ନାବାଳକକୁ ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲ ନିଆଯିବା ପରେ ମୃତ ଘୋଷଣା କରିଥିଲେ ଡାକ୍ତର। ଏବଂ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରେ ହୋଇଥିଲା ଶବ ବ୍ୟବଛେଦ। ସାଧାରଣରେ ହେଉଥିବା ଅଭିଯୋଗ ପ୍ରକାରେ, ବ୍ରହ୍ମପୁର ମହନଗର ନିଗମର ମନମୁଖୀ କାର୍ଯ୍ୟ ଯୋଗୁଁ ଅକାଳରେ ଜୀବନ ହାରିଛି ୧୧ ବର୍ଷୀୟ ଶିଶୁ। ନାଳ ଗୁଡିକୁ ଢାଙ୍କିବା ପାଇଁ ସିମେଣ୍ଟ ପ୍ଲେଟ୍ ବ୍ୟବସ୍ଥା ଥିବା ବେଳେ ଏଥିରେ ବ୍ରହ୍ମପୁର ମହାନଗର ନିଗମର ଖାମଖିଆଲ ଓ ଅବହେଳିତ ନୀତି ଏବେ ନିରୀହ ଶିଶୁର ଜୀବନ ନେଇଛି। ପୁର୍ବରୁ ଭୁବନେଶ୍ୱରରେ ଓପନ୍ ଡ୍ରେନ୍ ରେ ଘଟିଥିବା ଏଭଳି ଘଟଣା ସାରା ରାଜ୍ୟରେ ଚର୍ଚ୍ଚା କୁ ଆସିବା ପରେ ବି ଚେତିନଥିଲା ବ୍ରହ୍ମପୁର ମହାନଗର ନିଗମ। ଯାହାକୁ ନେଇ ଏବେ ବିଇଏମସି ଉପରକୁ ଅଙ୍ଗୁଳି ଉଠେଇଛନ୍ତି ସହରବାସୀ। ଲୋକଙ୍କ କହିବା କଥା, ଲୋକ କଲ୍ୟାଣ ପାଇଁ ଡିଣ୍ଡିମ ପିଟୁଥିବା ବ୍ରହ୍ମପୁର ମହାନଗର ନିଗମ ଏବେ କୁଆଡେ ସ୍ୱ କଲ୍ୟାଣରେ ବ୍ୟସ୍ତ। ବାରମ୍ବାର ମୁକୁଳା ଡ୍ରେନ୍ ସମ୍ପର୍କରେ ସ୍ତାନୀୟ ଲୋକେ ବିଇଏମସିରେ ଅଭିଯୋଗ କରିବା ପରେ ବି ନିଜ ଦାୟିତ୍ୱ ଏବଂ କର୍ତ୍ତବ୍ୟ ଭୁଲିଯାଇଛି ବିଇଏମସି। ଏବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଆକ୍ଟିଭ୍ ମୁଡ୍ କୁ ଆସିଛନ୍ତି ମହାନଗର ନିଗମ ଅଧିକାରୀ। ଅନ୍ୟପଟେ ମରଣଯନ୍ତା ପାଲଟିଥିବା ମୁକୁଳା ଡ୍ରେନ୍ ଗୁଡିକର ତୁରନ୍ତ ସମୀକ୍ଷା କରିବା ସହ ମୃତ ନାବାଳକଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଜୋର ଧରିଛି ଦାବି। ଏନେଇ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକେ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ଭେଟି ସେମାନଙ୍କର ଦାବି ଜଣାଇବା ସହ ସମସ୍ୟାର ସମାଧାନ କରିବାକୁ ଲିଖିତ ଅଭିଯୋଗ କରିଥିଲେ।
