ପନ୍ଦର ଦିନ ମଧ୍ୟରେ ବ୍ରଜନଗର ଟାୱାର ଲାଇନ ରାସ୍ତା ନିର୍ମାଣ କାର୍ଯ୍ୟ
ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳୀ ଆଜି ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତଙ୍କ ପରାମର୍ଶ କ୍ରମେ ଆସିଷ୍ଟାଣ୍ଟ କମିଶନର ରୋନିତ କୁମାରଙ୍କୁ ଭେଟି ବ୍ରଜନଗର ଟାୱାର ଲାଇନ ରାସ୍ତା ନିର୍ମାଣ ନେଇ ଆଲୋଚନା କରିବା ସହ କମିଶନରଙ୍କ ଉଦ୍ଧେଶ୍ବରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ଯେଉଁଥିରେ ଦର୍ଶାଯାଇଛି ଜେ ପନ୍ଦର ଦିନ ମଧ୍ୟରେ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ନହେଲେ କମିଟି ସମ୍ବିଧାନ ପ୍ରଦତ୍ତ ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରି ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେବାକୁ ଚେତାବନୀ ଦେଇଛି। ଦାବୀ ପତ୍ର ଗ୍ରହଣ କରି ସହକାରୀ ଆୟୁକ୍ତ କହିଥିଲେ ଯେ ଉକ୍ତ ରାସ୍ତାର ଟେଣ୍ଡର ନେଇଥିବା ଠିକାଦାରକୁ ଆଗ୍ରିମେଣ୍ଟ କରିବା ପାଇଁ ଡ଼କାଯାଇଥିଲା ।କିନ୍ତୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଉକ୍ତ ଠିକାଦାର ନିଜ ଇଚ୍ଛା ପତ୍ର ଦାଖଲ କରିବାରେ ବିଫଳ ରହିବାରୁ ବିଡରର ଦ୍ୱିତୀୟ ସ୍ଥାନରେ ଥିବା ଠିକାଦାରକୁ ଏଥି ନିମନ୍ତେ ଆମନ୍ତ୍ରଣ କରିବାକୁ ଦାୟିତ୍ୱରେ ଥିବା ଜୁନିୟର ଯନ୍ତ୍ରୀଙ୍କୁ କୁହାଯାଇଛି। ଯଦି ଏଲ-୨ ବାଲା ରାଜି ନହୁଏ ତାହାହେଲେ ରିଟେଣ୍ଡର କରାଯିବ ବୋଲି କହିଥିଲେ । କମିଟି କର୍ମକର୍ତ୍ତା ମାନେ କହିଥିଲେ ଯେ ଆପଣ ଯାହା କରନ୍ତୁ ପନ୍ଦର ଦିନ ମଧ୍ୟରେ ପକ୍ରିୟା ସାରି କାର୍ଯ୍ୟ ଆରମ୍ଭ ନହେଲେ କମିଟି ବିଏମସି ଅଫିସ ସମ୍ମୁଖରେ ଗଣ ଧାରଣା ଆରମ୍ଭ କରିବ ବୋଲି କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଚେତେଇ ଦେଇଥିଲେ। ପ୍ରତ୍ୟୁତ୍ତରରେ ଆସିଷ୍ଟାଣ୍ଟ କମିଶନର ରୋନିତ କୁମାର କହିଥିଲେ ଯେ ସେ ପରିସ୍ଥିତି ଉପୁଜିବ ନାହିଁ ବୋଲି ଆଶା କରୁଛି ବୋଲି କହିଥିଲେ।।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାରମ୍ବାର ଦାବୀ, ଉଦ୍ୟମ ଓ ଆନ୍ଦୋଳନ ପରେ ବ୍ରହ୍ମପୁର ମହାନଗର ନିଗମ ଏହି ବିପର୍ଯ୍ୟସ୍ତ ରାସ୍ତାର ନିର୍ମାଣ ନେଇ ସର୍ଭେ ଓ ଅନ୍ୟାନ୍ୟ ପ୍ରଶାସନିକ ଆନୁଷଙ୍ଗିକ ପ୍ରସ୍ତୁତି ପରେ ଯଦିଓ ରାସ୍ତା ନିର୍ମାଣ ନେଇ ଏଷ୍ଟିମେଟ କରି ଟେଣ୍ଡର ବିଜ୍ଞପ୍ତି ପ୍ରକାଶ କଲେ । କିନ୍ତୁ ଟେଣ୍ଡର ବାହାର କରିବା ସ୍ୱତ୍ତେ ବହୁ ଦିନ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ କରିନଥିଲେ। ଆମର ଚାପ ଓ ଆନ୍ଦୋଳନ ଧମକ ପରେ ଠିକ୍ ନିର୍ବାଚନ ନିର୍ବାଚନ ଆଚରଣ ବିଧି ଘୋଷଣା ହେବା ଅବ୍ୟବହିତ ପୂର୍ବରୁ ଉକ୍ତ ରାସ୍ତା ନିର୍ମାଣ ନେଇ ତତ୍କାଳିନ ବିଧାୟକ, ସାଂସଦ ଓ ସ୍ଥାନୀୟ ୧୭ ଓ ୨୪ ନମ୍ବର ୱାର୍ଡର କର୍ପୋରେଟର ଙ୍କ ଉପସ୍ଥିତିରେ ଭୂମି ପୂଜନ ସହ ଫଳକ ସ୍ଥାପିତ କରିଥିଲେ। କିନ୍ତୁ ଅଦ୍ୟାବଧି ଉକ୍ତ ରାସ୍ତାର ଅବସ୍ଥା ଯଥା ପୂର୍ବମ୍ ତଥା ପରମ୍ । ସୂଚନା ଯୋଗ୍ୟ ଯେ ବ୍ରଜନଗର ତୃତୀୟ ଲାଇନ ମଧ୍ୟ ଦେଇ ଯାଇଥିବା ଟାୱାର ଲାଇନ ରାସ୍ତା ଅତ୍ୟନ୍ତ ବିପର୍ଯ୍ୟସ୍ତ।ଉକ୍ତ ରାସ୍ତା ଲୋଚପଡା ରୋଡର ବ୍ରଜନଗର ତୃତୀୟ ଗଳିର ପ୍ରବେଶ ପଥ ମୁହଁରେ ଥିବା ରାଧାକୃଷ୍ଣ ମନ୍ଦିର ନିକଟରୁ ଆରମ୍ଭ ହୋଇଥିବା ଦୀର୍ଘ ଦେଢ଼ କିଲୋମିଟର ବ୍ୟାପୀ ଏହି ରାସ୍ତାଟି ଜ୍ୟୋତି ନଗର, ବ୍ୟାଙ୍କ କଲୋନୀ ଏବଂ ବାପୁଜୀ ନଗର ପ୍ରଭୁତି ଛକ ଅତିକ୍ରମ କରି ଦେଇ ଭାବିନୀପୁର ରୋଡର ସିଦ୍ଧାର୍ଥ ନଗର ଛକ ପର୍ଯ୍ୟନ୍ତ ଲମ୍ବି ମେଡିକାଲ ରାସ୍ତାକୁ ସଂଯୋଗ କରୁଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଦୀର୍ଘ ତିରିଶି ବର୍ଷ ତଳେ ତିଆରି ହୋଇଥିବା ରାସ୍ତାଟି ଭାଙ୍ଗି ରୁଜି ଯାଇ ଅତି କର୍ଦର୍ଯ୍ୟ ଏବଂ ବିପର୍ଯ୍ୟସ୍ତ ହେଇ ଯାତାୟାତ ପାଇଁ ସମ୍ପୂର୍ଣ ଅନୁପଯୋଗୀ ହେଇପଡ଼ିଛି।ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ବିଶେଷକରି ଗ୍ରାମାଞ୍ଚଳ ଲୋକ ମେଡିକାଲ ଯିବାକୁ ଏହି ରାସ୍ତାଟିକୁ ବ୍ୟବହାର କରନ୍ତି। କେବଳ ସେତିକି ନୁହେଁ ଏହି ରାସ୍ତାଟିକୁ ସହରକୁ ପ୍ରବେଶ ନିମନ୍ତେ ଆଖପାଖ ଅଞ୍ଚଳରେ ଅବସ୍ଥିତ ଶହ ଶହ ଗ୍ରାମର ଲୋକେ ପ୍ରବେଶ ପଥ ରୂପେ ବ୍ୟବହାର କରିଥାନ୍ତି।ଫଳରେ ରାସ୍ତାର ଏହି ଦୂରବସ୍ଥା କାରଣରୁ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟି ଖଣ୍ଡିଆ ଖାବରା ହେଉଥିବାର ପରିଲକ୍ଷିତ ହୋଇଥାଏ। ଦୁଇ ଦିନ ତଳେ ଗୋଟେ ଅଟୋ ଯାତ୍ରୀ ନେଇ ଯାଉଥିବା ବେଳେ ରାସ୍ତାରେ ଥିବା ଗଭୀର ଖାଲରେ ପଡ଼ି ଓଲଟି ପଡ଼ିଥିଲା ଫଳରେ ସେଥିରେ ବସିଥିବା ଯାତ୍ରୀ ମାନେ ଆହତ ହୋଇଥିଲେ। ଏହାକୁ ନଜରରେ ରଖି ବ୍ରଜନଗର ଅଟୋ ମାଲିକ ସଂଘର କର୍ମକର୍ତ୍ତା ମାନେ କିଛି କିଛି ଗଭୀର ଖାଲ ଜାଗାରେ ନିଜ୍ଵସ୍ଵ ଉଦ୍ୟମରେ ମାଟି ପକାଇ ଖାଲ ଭର୍ତ୍ତି କରିଥିଲେ।ଏଥି ନେଇ ଲୋକେ ବିରକ୍ତି ପ୍ରକାଶ ଅଟୋ ସଂଘର ଏଭଳି କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସା ଯୋଗ୍ୟ ଥିଲା ବୋଲି କମିଟି କହିଛି। ଜିଲ୍ଲାପାଳଙ୍କ ନିର୍ଦ୍ଧେଶ ଓ କମିଟିର ସମସ୍ତ ଉଦ୍ୟମ ସ୍ୱତ୍ତେ ରାସ୍ତା ନିର୍ମାଣରେ ବିଳମ୍ବ ଘଟି ଚାଲିଥିବାରୁ କମିଟି ଉଦବେଗ ପ୍ରକାଶ କରିଛି। ଆଜିର ପ୍ରତିନିଧି ମଣ୍ଡଳୀରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ, ଉପସଭାପତି ଦେବୀ ପ୍ରସାଦ ଦାସ, ଯୁଗ୍ମ ସମ୍ପାଦକ ଟି ସୁଦେଶ ପାତ୍ର ଓ ସାଧାରଣ ସମ୍ପାଦକ ଡ ଶିବ ପ୍ରସାଦ ମିଶ୍ର ପ୍ରମୁଖ ସାମିଲ ଥିଲେ।ସଞ୍ଜୀବ କୁମାର ପଟ୍ଟନାୟକ,ସଭାପତି, ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି।
