ପାଠ୍ୟଖସଡ଼ାରେ ବୀମା ପାଠ କେବେ ସ୍ଥାନ ପାଇବ
ବୀମା ମନୁଷ୍ୟ ଜୀବନର ଅମୁଲ୍ୟ ସଂପଦ ହୋଇଥିବା ବେଳେ ଅଧିକାଂଶ ଲୋକ ଏହାର ଉପକାରିତା ବୁଝି ନଥାନ୍ତି। ବୀମା କଲେ କ’ଣ ଫାଇଦା ହୁଏ ବୁଝିବାକୁ କେବେ ଚେଷ୍ଟା ମଧ୍ୟ କରନ୍ତିନି। ପ୍ରତ୍ୟେକ ଲୋକ କିଭଳି ବୀମା ପ୍ରତି ସଚେତନ ହେବେ, ବୀମା କରିବାକୁ ଆଗ୍ରହ ପ୍ରକାଶ କରିବେ ଏସବୁକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ସ୍ତର ରୁ ଛାତ୍ରଛାତ୍ରୀ ମାନେ ବୀମା ସମ୍ବନ୍ଧରେ ସମ୍ପୂର୍ଣ୍ଣ ଜ୍ଞାନ ଆହରଣ ଏବଂ ସଚେତନତା ସୃଷ୍ଟି କରିବାପାଇଁ ଗତବର୍ଷ ପୂର୍ବ ସରକାରରେ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଶିକ୍ଷା ପାଠ୍ୟକ୍ରମରେ ବୀମା ସମ୍ପର୍କିତ ଏକ ପାଠ୍ୟଖସଡ଼ା ସାମିଲ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦେଢ଼ ବର୍ଷତଳେ ପ୍ରକାଶ କରିଥିଲେ। ସରକାର ବଦଳିବାପରେ ଯୋଜନା କେବଳ ଯୋଜନା ଭିତରେ ସୀମିତ ହୋଇ ରହିଯାଇଥିବା ଜଣାପଡିଛି। ସ୍ଥାନୀୟ ଜୟଶ୍ରୀ ଛକ ଦୁର୍ଗାମଣ୍ଡପ ନିକଟରେ କୋଟାକ ଲାଇଫ ଇନ୍ସୁରାନ୍ସର ନୂତନ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି। ଏହି ଅବସରରେ କମ୍ପାନୀର ଉଚ୍ଚପଦସ୍ଥ ଅଫିସର ମାନେ ଯୋଗଦେଇ ଏ ସମ୍ବନ୍ଧରେ ବିଷଦ ଆଲୋଚନା କରିଥିଲେ। ପାଠ୍ୟଖସଡ଼ାରେ ବୀମାକୁ ସାମିଲ କରିବା ନିମନ୍ତେ ପୂର୍ବ ସରକାରରେ ହୋଇଥିବା ଯୋଜନାକୁ କାର୍ଯ୍ୟକାରୀ କରିବା, ଲୋକଙ୍କୁ ସଚେତନ କରିବା, ଲୋକଙ୍କ ପାଖରେ କିପରି ବୀମା ପହଞ୍ଚିବ, ବୀମା କରିବାକୁ ଲୋକେ କିପରି ଆଗ୍ରହ ପ୍ରକାଶ କରିବେ ଏ ସମ୍ବନ୍ଧରେ ସବିଶେଷ ଆଲୋଚନା ହେବା ସହ ରାଜ୍ୟ ସରକାର ପାଠ୍ୟଖସଡ଼ାରେ ବୀମା ପାଠ୍ୟ ଯଥାଶୀଘ୍ର ସାମିଲ କରିବା ନିମନ୍ତେ ସରକାରଙ୍କୁ ଅନୁରୋଧ କରିବା ପାଇଁ ନିଷ୍ପତ୍ତି ନିଆଯାଇ ଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଟାକ ମହିନ୍ଦ୍ରା ଲାଇଫ ଇନ୍ସୁରାନ୍ସର ଜୋନାଲ ହେଡ଼ ସନ୍ନି ଅରୋରା, ଓଡିଶା ହେଡ଼ ସୁଶୀଲ ଭୁୱାଲକା, ଏଲଏଓ ହେଡ ସୁରଜିତ ଗୁପ୍ତା, ନ୍ୟାସନାଲ ହେଡ ଏସ.ଶିବରାମ କ୍ରିଷ୍ଣନଙ୍କ ସମେତ ସମ୍ମାନୀତ ଅତିଥି ଭାବେ ରଘୁନାଥ ପାଣିଗ୍ରାହୀ, ମମତା ଦେବୀ, ଜୟରାଜ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ବିଜୟ ପାଢ଼ୀ, ଅଜୟ ଭୋଇ, ଶୁଭ୍ରଜିତ ବାରିକ, ତପନ ପଣ୍ଡା, ରମାକାନ୍ତ ବେହେରା ପ୍ରମୁଖଙ୍କ ତତ୍ୱାବଧାନରେ ବୀମା ସଚେତନତା ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା।
