ଜୋରନ୍ଦା ମହିମାଗାଦୀ ପୀଠର ବିକାଶ ନେଇ ସାଧୁସନ୍ଥଙ୍କ ସହ ମନ୍ତ୍ରୀଙ୍କ ଆଲୋଚନା
ଢେଙ୍କାନାଳ, ୨୧/୦୯: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ତାଙ୍କ ଢେଙ୍କାନାଳ ଗସ୍ତ ଅବସରରେ ଆଜି ଢେଙ୍କାନାଳ ସର୍କିଟ୍ ହାଉସଠାରେ ଜୋରନ୍ଦା ମହିମାଗାଦୀ ପୀଠର ସାଧୁସନ୍ଥମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଜୋରନ୍ଦା ମହିମାଗାଦୀ ପୀଠର ଶୂନ୍ୟ ମନ୍ଦିର ପରିସର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସାଧୁସନ୍ଥମାନଙ୍କ ସହ ଆଲୋଚନା ହୋଇଥିଲା।ମନ୍ତ୍ରୀ ଶ୍ରୀ ପୂଜାରୀ ସାଧୁସନ୍ଥମାନଙ୍କ ମତାମତ ଓ ପ୍ରସ୍ତାବ ଶୁଣିବା ସହ ପୀଠରେ ଚାଲିଥିବା ବିକାଶ କାର୍ଯ୍ୟର ଶୀଘ୍ର ଓ ସୁଚାରୁ କାର୍ଯ୍ୟାନ୍ୱୟନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ସାଧୁମାନଙ୍କୁ ଅନୁରୋଧ କରିଥିଲେ।ଜୋରନ୍ଦା ମହିମାଗାଦୀ ପୀଠର ବିକାଶ ପାଇଁ ପାଣ୍ଠିର କୌଣସି ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଆଶ୍ୱାସନ ଦେଇଥିଲେ। ପୀଠର ବିକାଶ ସହ ଏହାର ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ଗୁରୁତ୍ୱକୁ ଆହୁରି ବଢ଼ାଇବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ସେ କହିଥିଲେ।ଆଲୋଚନା ସମୟରେ ସାଧୁସନ୍ଥମାନେ ପ୍ରସିଦ୍ଧ ମାଘ ମେଳାର ସୁଚାରୁ ଓ ସଫଳ ଆୟୋଜନ ପାଇଁ ସ୍ୱତନ୍ତ୍ର ପାଣ୍ଠି କିମ୍ବା ବଜେଟ୍ ବ୍ୟବସ୍ଥା କରିବାକୁ ମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ।ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ, ସେ ନିଜେ ଜୋରନ୍ଦା ମହିମାଗାଦୀ ପୀଠ ପରିଦର୍ଶନ କରି ପୀଠର ବିକାଶ ଓ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଦିଗରେ କ’ଣ ପଦକ୍ଷେପ ନିଆଯାଇପାରିବ, ତାହା ଅନୁଧ୍ୟାନ କରିବେ। ମାଘ ମେଳା ପାଇଁ ସ୍ୱତନ୍ତ୍ର ପାଣ୍ଠି କିମ୍ବା ବଜେଟ୍ ବ୍ୟବସ୍ଥା ସମ୍ପର୍କିତ ପ୍ରସ୍ତାବକୁ ସେ ରାଜ୍ୟସ୍ତରରେ ଉପସ୍ଥାପନ କରି ସକାରାତ୍ମକ ପଦକ୍ଷେପ ପାଇଁ ଉଦ୍ୟମ କରିବେ ବୋଲି ସାଧୁସନ୍ଥମାନଙ୍କୁ ଆଶ୍ୱାସନ ଦେଇଥିଲେ।ଏହି ଆଲୋଚନାରେ ହିନ୍ଦୋଳ ବିଧାୟିକା ଶ୍ରୀମତୀ ସିମରାଣୀ ନାୟକ, ପରଜଙ୍ଗ ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶ୍ରୀ ଶତ୍ରୁଘ୍ନ ଜେନା, ଢେଙ୍କାନାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଭିନବ ସୋନକର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଲଲିତ ବେହେରା,ଇ ଢେଙ୍କାନାଳ ଉପଜିଲ୍ଲାପାଳ ଶ୍ରୀ ପଦ୍ମଚରଣ ସାହୁ, ଢେଙ୍କାନାଳ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଲାଇନ୍ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ।
