ଜବର ଦଖଲ ରାସ୍ତାର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ
ଗ୍ରାମବାସୀଙ୍କ ଲିଖିତ ଅଭିଯୋଗକୁ ଆଧାର କରି ଜନହିତକୁ ପ୍ରଧାନ୍ୟ ଦେଇ ଜବରଦଖଲ କରିଥିବା ରାସ୍ତାର ପୁନରୁଦ୍ଧାର ପ୍ରକ୍ରିୟାକୁ ସ୍ଥାନୀୟ ସରପଞ୍ଚ ଓ ସରକାରଙ୍କ ଉଦ୍ୟମକୁ ଜନସାଧାରଣ ସାଧୁବାଦ ଜଣାଇଛନ୍ତି । ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ଗୋପବନ୍ଧୁ ନଗର ବ୍ଲକର ସାଇଁକୁଳା ରାଜସ୍ଵ ନିରୀକ୍ଷକ କାର୍ଯ୍ୟାଳୟ ଅଧୀନ ପୁରୁଣା ବାରିପଦା ଖଡିକାପଦା (ମଣିଛକ) ନିକଟରେ ପ୍ରାୟ ୫୦ ବର୍ଷର ପୁରୁଣା ଜବର ଦଖଲ ଏକ ରାସ୍ତାକୁ ଗତକାଲି ପୁରୁଣା ବାରିପଦା ସରପଞ୍ଚ ଭୋଳାନାଥ ସିଂ, ରାଜସ୍ଵ ନିରୀକ୍ଷକ ଗୋଲକ ବେହେରା ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ହଟାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଗ୍ରାମବାସୀଙ୍କ ଲିଖିତ ଅଭିଯୋଗକୁ ଆଧାର କରି ଜେସିବି ସାହାଯ୍ୟରେ ରାସ୍ତା ବାହାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

ତେବେ ଏ ରାସ୍ତା ପ୍ରଧାନ ରାସ୍ତାରୁ ଏକଲବ୍ୟ ବିଦ୍ୟାଳୟ ପର୍ଯ୍ୟନ୍ତ ସଂଯୋଗ କରୁଥିବାରୁ ଲୋକଙ୍କ ଯାତାୟତ ପାଇଁ ଆବଶ୍ୟକତା ଅଧିକ ରହିଥିବା ଲୋକେ ଦାବି କରିଛନ୍ତି । ପ୍ରଥମ ଦିନରେ ସମ୍ପୂର୍ଣ୍ଣ ରାସ୍ତା ବାହାର କରାଯାଇ ପାରିନାହିଁ ବୋଲି ରାଜସ୍ଵ ନିରୀକ୍ଷକ କହିଛନ୍ତି । ରାସ୍ତାରେ କିଛି ଲୋକ ପୋଖରୀ ଖୋଳିବା ଓ ଗଛ ଲଗାଇବା ଯୋଗୁଁ କାମ ଅଗ୍ରସର ହୋଇ ପାରିନାହିଁ ।
