କପ୍ତିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଶୁଣାଣୀ
୮୫ ଅଭିଯୋଗର ଶୁଣାଣୀ କଲେ ଜିଲ୍ଲାପାଳ l ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କପ୍ତିପଦା ଉପଖଣ୍ଡ ଉଦଳାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ, ମୟୂରଭଞ୍ଜ ହେମକାନ୍ତ ସଏ ଏବଂ ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ, ବରୁଣ ଗୁଣ୍ଟୁପାଲି ଯୋଗଦେଇ ୮୫ ଗୋଟି ଜନ ଅଭିଯୋଗର ଶୁଣାଣୀ କରିଛନ୍ତି । ଉପଖଣ୍ଡର ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ପ୍ରକଳ୍ପ ପ୍ରଶାସକ ଆଇ.ଟି.ଡ଼ି.ଏ ନରେନ୍ଦ୍ର ଖମାରୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସାର୍ଥକ ରାୟ, ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡ଼. ଲକ୍ଷ୍ମୀକାନ୍ତ ପତି ଯୋଗ ଦେବା ସହ ଉପଖଣ୍ଡର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡ ତଥା ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଶୁଣାଣୀ କାର୍ଯ୍ୟରେ ସହଯୋଗ କରିଥିଲେ । ସମସ୍ତ ଅଭିଯୋଗ ମଧ୍ୟରେ ୬୭ ଗୋଟି ବ୍ୟକ୍ତିଗତ ସମସ୍ୟା ସମ୍ବଳିତ ଥିବା ସ୍ଥଳେ ୧୮ ଗୋଟି ସାମୂହିକ ସମସ୍ୟା ସମ୍ବଳିତ ବିଷୟ ଉପରେ ଆଧାରିତ ଥିଲା । ସେଥିମଧ୍ୟରୁ ୮ ଗୋଟି ସମସ୍ୟାର ତତ୍କାଳ ସମାଧାନ କରାଯାଇ ୮ଜଣ ଯଥା ମଙ୍ଗଲ ହାଁସଦା, ଜୟନ୍ତୀ ନାୟକ, ତାପସ ବେହେରା, ଅଜିତ୍ କୁମାର ପ୍ରଧାନ, ରଜତ ବେହେରା, ଶଚିନ୍ଦ୍ର ଦାଶ, ମିନତୀ ରାଉତ, ସାନ୍ତନୁ ତ୍ରିପାଠୀ ପ୍ରମୁଖଙ୍କୁ ଚିକିତ୍ସା ନିମନ୍ତେ ସରକାରୀ ଆର୍ଥିକ ସହାୟତା ବାବଦରେ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ର ଚେକ୍ ମୋଟ ୪୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ କରାଯାଇଥିଲା । ଆଜିର ଶୁଣାଣୀରେ ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରେ ଉଦଳା ଏନ୍.ଏ.ସି. ଅନ୍ତର୍ଗତ ଉଦଳା ହାଇସ୍କୁଲ ପଡ଼ିଆ ସଂଲଗ୍ନ ଶିକ୍ଷା ବିଭାଗ ନାମରେ ରେକର୍ଡଭୁକ୍ତ ସରକାରୀ ଜାଗାକୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ନାମରେ ନାମିତ କରିବା, ଉଦଳା ବ୍ଲକ୍ ଭୀମତାଳି ପଞ୍ଚାୟତ କଇଁଥଓରା ଗ୍ରାମରେ ବେଆଇନ ଇଟାଭାଟି ଯୋଗୁଁ ଚାଷ ଜମି ନଷ୍ଟ, ଖଲାଡ଼ି ପଞ୍ଚାୟତ ନରହରିପୁର ଶାଳଖୁଣ୍ଟା ଗ୍ରାମରେ ବସାଯାଇଥିବା ବିଦ୍ୟୁତ୍ ଟ୍ରାନ୍ସଫରମର ଅଚଳ, କପ୍ତିପଦା ବ୍ଲକ୍ ଝୀଙ୍କପଦା ଗ୍ରା:ପ: କୁଆଗୋଠଣା ଗ୍ରାମର ସରକାରୀ ରାସ୍ତା ଅବରୋଧ, କପ୍ତିପଦା ତହସିଲ ଗୋଠପୁରା ଠାରେ ବିସ୍ଥାପିତ ଜନସାଧାରଣଙ୍କ ଟିକଟ ପ୍ରାପ୍ତ ଜମିକୁ କେତେକ ଅସାଧୁ ଲୋକ ଜବର ଦଖଲ କରିବା, ଶାଳଚୁଆ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଆର୍ଥିକ ଅନିୟମିତତା, ଗୋପବନ୍ଧୁନଗର ବ୍ଲକ୍ ମାର୍ଶିଗାଁ ବନସୁରକ୍ଷା ସମିତି ଜାଗାକୁ ଲାଗି ଏବଂ ଜାଇକା ପ୍ଲାଣ୍ଟେସନ୍ ପାଖରେ ଥିବା ଜବର ଦଖଲ ଗୃହ ଗୁଡ଼ିକ ଉଚ୍ଛେଦ, ଜଇଦା ଠାରେ ଗୋଚର ଜମିକୁ ପୁରଡ଼ିହି ୟୁ.ଜି. ଏମ୍.ଇ. ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ଓ ମ୍ୟାନେଜିଂ କମିଟି ଜବର ଦଖଲ କରିବା, ଖୁଣ୍ଟା ବ୍ଲକ୍ କରକଚିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବେଆଇନ କାର୍ଯ୍ୟ, ଆଦି ଅଭିଯୋଗ ଗୁଡ଼ିକ ଉପରେ ବିଚାର କରି ତାର ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ, ମୟୂରଭଞ୍ଜ ନିର୍ଦ୍ଦେଶ ଦେଇଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଡ଼େପୁଟୀ କଲେକ୍ଟର ପ୍ରତୀକ୍ ପଣ୍ଡା ଓ କାର୍ଯ୍ୟାଳୟର କର୍ମଚାରୀ ଶାଙ୍ଖାଇ ହେମ୍ବ୍ରମ, ରମେଶ ପୃଷ୍ଟି, ସାଇ ସ୍ୱରୂପ କର, ତାପସ ପ୍ରଧାନ, ଉଷାରାଣୀ ବିନ୍ଧାଣୀ, ଭବାନୀ ପଣ୍ଡା, ଉଦୟ ନାୟକ, କୈଳାସ ଦନୈକ, ଅଜିତ୍ ମହାପାତ୍ର ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ସହଯୋଗ କରିଥିବାର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ ଠାରୁ ପ୍ରକାଶ ।
