ବରପୁତ୍ର କବିସୂର୍ଯ୍ୟ ବଳଦେବ ରଥଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ବ୍ରହ୍ମପୁରରେ ପ୍ରତିଷ୍ଠା କରାଯାଉ
ସାରସ୍ବତ ସାଧକ ତଥା ଏଠାକାର ଅନନ୍ୟ ବରପୁତ୍ର କବିସୂର୍ଯ୍ୟ ବଳଦେବ ରଥଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ବ୍ରହ୍ମପୁର ସହର ତଳି ଅଞ୍ଚଳର କୌଣସି ସ୍ଥାନରେ ପ୍ରତିଷ୍ଠା କରାଯାଉ।ବ୍ରହ୍ମପୁର — ନିକଟରେ ବିଜେପି ନେତୃତ୍ଵାଧୀନ ନୂତନ ସରକାର ପୂଜ୍ୟ ପୂଜା ପରମ୍ପରାକୁ ସମ୍ମାନ ଦେଇ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ସେଠାକାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବାର ଏକ ନୀତିଗତ ନିଷ୍ପତି ନେଇଛନ୍ତି। ରାଷ୍ଟ୍ରବାଦି ଚିନ୍ତାଧାରାରେ ପରିଚାଳିତ ବିଜେପି ସରକାର ରାଜ୍ୟର ବିଭିନ୍ନ ଅଞ୍ଚଳର ଭାଷା,ସାହିତ୍ୟ, ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ଭାସ୍କର୍ଯ୍ୟ ତଥା ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ନିଜ ତ୍ୟାଗ ଓ ସମର୍ପଣ ଦ୍ଵାରା ସମାଜକୁ ଅବଦାନ ମାଧ୍ୟମରେ ଏହାକୁ ସମୃଦ୍ଧ କରିଥିବା ତଥା ଏହାର ଗାରିମାକୁ ଦେଶ ବିଦେଶରେ ପହଞ୍ଚାଇ ସେହି ଅଞ୍ଚଳକୁ ପରିଚୟ ଦେଇଥିବା ଯୋଗଜନ୍ମା ମନିଷୀ ମାନଙ୍କ ତାଙ୍କ ଜନ୍ମ ମାଟି ନିକଟରେ ପୂର୍ଣ୍ଣ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରି ପୂଜ୍ୟ ପୂଜା ପରମ୍ପରାକୁ ଆଗେଇ ନେବାକୁ ସ୍ଥିର କରିଛନ୍ତି। ସେହି କ୍ରମରେ ରାଜ୍ୟ ସଂସ୍କୃତି ବିଭାଗ ବ୍ରହ୍ମପୁରରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପୂର୍ଣ୍ଣ ପ୍ରତିମୂର୍ତ୍ତି ନିର୍ମାଣ ଓ ସ୍ଥାପନା କରିବା ନେଇ ଘୋଷଣା କରିଛନ୍ତି ଯାହା ଏକ ଅତ୍ୟନ୍ତ ଆନନ୍ଦ ଓ ସ୍ବାଗତ ଯୋଗ୍ୟ ପଦକ୍ଷେପ ଅଟେ। ପ୍ରକୃତରେ କବି ଉପେନ୍ଦ୍ର ଭଞ୍ଜଙ୍କ ସରଳ ସାବଳିଳ ଓଡ଼ିଆ ଭାଷାରେ ଲିଖିତ କାବ୍ୟ ଓ କବିତା ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ ,ରୁଦ୍ଧିମନ୍ତ ଓ ବିଶ୍ୱାୟନ କରି ଅତ୍ୟନ୍ତ ଶିଖରରେ ଏହାକୁ ପହଞ୍ଚାଉଛି। ତାଙ୍କର ସାରସ୍ବତ ସାଧନା ଓ ଲେଖନୀ ସମକାଳୀନ ପାଶ୍ଚାତ୍ୟ କବି ଓ ଲେଖକ ସେକ୍ସପିଅରଙ୍କ ଠାରୁ ମଧ୍ୟ ଅତ୍ୟନ୍ତ ଉଚ୍ଚ କୋଟିର ଥିଲା ବୋଲି ଆମ ସଙ୍ଗଠନ ବିଶ୍ୱାସ କରେ।ତାଙ୍କର ଅନ୍ୟତମ ଶ୍ରେଷ୍ଠ କାଳଜୟୀ ସ୍ରଷ୍ଟା ଓ ଅନବଦ୍ୟ ଲେଖନୀ କୃତ୍ୟ ବୈଦେହି ବିଳାସ କାବ୍ୟ ଆଜି ମଧ୍ୟ କବି ,ସାହିତକ୍ୟ ଓ ଗାଳ୍ପିକ ମାନଙ୍କୁ ପ୍ରେରଣା ଦେବା ସହ ତାଙ୍କ ପ୍ରତିଭା ନିକଟରେ ମଥା ନତ କରି ଥାଏ। ତେଣୁ ସେଭଳି ଏକ ମହା ମାନବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନିଷ୍ପତ୍ତି ନେଇ ସରକାର ନିଜର ଉଚ୍ଚ ସଂସ୍କୃତି ଓ ପରମ୍ପରାର ମହାନ ସମର୍ଥକ ବୋଲି ପ୍ରତିପାଦନ କରିବାକୁ ସକ୍ଷମ ହେଇଛନ୍ତି। କିନ୍ତୁ ଆମ ସଂଗଠନ ମନେ କରେ ଯେ ଉପେନ୍ଦ୍ର ଭଞ୍ଜଙ୍କ ବ୍ୟତୀତ ବ୍ରହ୍ମପୁରରେ ଜନ୍ମିତ ଆଉ ଜଣେ ଯୋଗଜନ୍ମା ଅମୃତ ସନ୍ତାନ ତଥା ଭାଷା ସାହିତ୍ୟର ଉଜ୍ଜ୍ବଳ ତାରକା କବିସୂର୍ଯ୍ୟ ବଳଦେବ ରଥଙ୍କୁ ସରକାର ଭୁଲି ଯାଇଥିଲା ଭଳି ଲାଗୁଛି। ବାସ୍ତବରେ କବି ସୂର୍ଯ୍ୟ ବଳଦେବ ରଥ ଭାଷା ସାହିତ୍ୟର ଉନ୍ନତି ନିମନ୍ତେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ନିଜର ଅନବରତ ସାରସ୍ବତ ସାଧନା ବଳରେ ଅନେକ ଗୁଡ଼ିଏ କାଳଜୟୀ ଲେଖା ସୃଷ୍ଟି କରି ଯାଇଛନ୍ତି। ତାଙ୍କର ଅସାଧାରଣ ପ୍ରଜ୍ଞା ଓ ପ୍ରତିଭାକୁ ବାଜି ଲଗେଇ ସେ ଅନେକ କାବ୍ୟ କବିତା ସୃଷ୍ଟି ଓ ରଚନା କରି ଯାଇଛନ୍ତି । ତାଙ୍କ ଲେଖନୀରୁ ସୃଷ୍ଟ ସର୍ବକାଳୀନ ଶ୍ରେଷ୍ଠ କାଳଜୟୀ ଚମ୍ପୁ ଓ ଛାନ୍ଦ ଯୁଗେ ଯୁଗେ ଗୁଞ୍ଜରିତ ଓ ଅନୁପ୍ରେରିତ। ଓଡ଼ିଶାରେ ବିଶେଷ ଆଦୃତ କିଶୋରଚନ୍ଦ୍ରାନନ ଚମ୍ପୁ କବିସୂର୍ଯ୍ୟ ବଳଦେବ ରଥଙ୍କ ସର୍ବଶ୍ରେଷ୍ଠ ଓ ସର୍ବୋତ୍ତମ ସାହିତ୍ୟ ଓ ସଙ୍ଗୀତ ସରଞ୍ଚନା । ଯାହା ଆଜି ମଧ୍ୟ ଚିନ୍ତା କଲେ ଅବିଶ୍ୱସନୀୟ, ଅକଳ୍ପନୀୟ ଓ ଅଚିନ୍ତନୀୟ ମନେ ତାଙ୍କ ଲେଖନୀ ଓ ରଚନାରେ ତତ୍କାଳିନ ସମୟର ସମାଜର ନିଛକ ଚିତ୍ର ଚରିତ୍ର,ଆଭିମୁଖ୍ୟ ଓ ସଂସ୍କୃତି, ପ୍ରଥା ଏବଂ ପରମ୍ପରା ବାରି ହୋଇ ପଡେ। ତାଙ୍କର ଅନବଦ୍ୟ ସୃଷ୍ଟି ଓ କୃତି ଏବଂ ଜୀବନବ୍ୟାପୀ ସାଧନା ଦ୍ଵାରା ସେ ଓଡ଼ିଆ ଭାଷା ଓ ସାହିତ୍ୟକୁ ଉତ୍ତାଙ୍ଗ ଶିଖରରେ ପହଞ୍ଚାଇ ଥିଲେ। ସେ ଜଣେ ରୀତିଯୁଗୀୟ ଓଡ଼ିଆ କବି ଓ ଓଡ଼ିଶୀ ସଙ୍ଗୀତଜ୍ଞ ଥିଲେ। ସେ ତାଙ୍କ ଲେଖନୀ ମାଧ୍ୟମରେ ସମାଜ ଓ ଲୋକ ଚରିତ୍ରରୁ ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଦୂର ହେବ ତଥା ଏକ ସତ୍ୟ, ନ୍ୟାୟ,ନୈତିକ ଓ ମୂଲ୍ୟବୋଧ ଭିତ୍ତିକ ଓ ଆଧାରିତ ସମାଜ ଗଠନ ହେଇପାରିବ ପଥ ପଦର୍ଶକ ରୂପେ ଉଦ୍ୟମରତ ଥିଲେ। ତେଣୁ ଏଭଳି ଏକ ଅସାଧାରଣ ପ୍ରତିଭାର ଅଧିକାରୀଙ୍କୁ ଏହି ମାଟି ଧାରଣ କରି ଧନ୍ୟ ଓ ଗୌରବ ମନେ କରୁଛି। ସୁତରାଂ ଏହି ମହିୟସୀ ମାନବ ତଥା କବି ଓ ସାହିତ୍ୟକ ତଥା ସାରସ୍ବତ ସାଧକଙ୍କ ଏକ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ସହର ତଳି ଅଞ୍ଚଳରେ ପ୍ରତିଷ୍ଠା କରାଯାଉ। ତତ୍ ସହିତ ସେହି ସ୍ଥାନକୁ ଜ୍ଞାନ ଓ ପର୍ଯ୍ୟଟନ କେନ୍ଦ୍ର ହିସାବରେ ବିକଶିତ କରାଯାଉ। ଯାହାଫଳରେ ଆଗାମୀ ପିଢ଼ି ଏଥିରୁ ପ୍ରେରଣା ଓ ଉତ୍ସାହ ପାଇ ଭାଷା ସାହିତ୍ୟ ଓ ସଂସ୍କୃତି ଦିଗରେ କାମ କରିବା ନିମନ୍ତେ ଉଦବୋଧ ହେବେ । ତେଣୁ ସରକାର ଏ ଦିଗରେ ବିଚାର କରି ପଦକ୍ଷେପ ନେବାକୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମାନ୍ୟବର ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭାଗୀୟ ଶାସନ ସଚିବ ଶ୍ରୀ ବିଷ୍ଟ୍ନୁ ପ୍ରଦ ସେଠୀ ଓ ବ୍ରହ୍ମପୁର ବିଧାୟକଙ୍କ ଉଦ୍ଧେଶ୍ୱରେ ଏକ ଦାବୀ ପାତ୍ର ମାନ୍ୟବର ବ୍ରହ୍ମପୁର ବିଧାୟକ କେ . ଅନିଲ କୁମାରଙ୍କୁ ଗାନ୍ଧୀନଗର ସ୍ଥିତ ତାଙ୍କ କାର୍ଯ୍ୟାଳୟରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ନେତୃତ୍ଵରେ ଯୁଗ୍ମ ସମ୍ପାଦକ ଟି ସୁଦେଶ କୁମାର ପାତ୍ର , ସହ ସମ୍ପାଦକ ବି ଭି ସାଗର, କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ , ସହ ସଂଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ, ସହ ସଂଯୋଜକ କାହ୍ନୁ ଚରଣ ପତି ଓ କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର ପ୍ରମୁଖ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରି ପ୍ରଦାନ କରିଥିଲେ ଏବଂ ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଦାବୀ ପତ୍ର ଗ୍ରହଣ କରି ମାନ୍ୟବର ବିଧାୟକ ଏ ଦିଗରେ ସରକାର ନୁହଁ ସେ ନିଜେ କିଭଳି ବ୍ରହ୍ମପୁରରେ କବି ସୂର୍ଯ୍ୟ ବଳଦେବ ରଥଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇପାରିବ ସେ ଦିଗରେ ବ୍ୟକ୍ତିଗତ ଭାବେ ପଦକ୍ଷେପ ନେବେ ବୋଲି କହିଁଥିବା ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ପ୍ରକାଶ କରିଛନ୍ତି।
