ଗଣଶିକ୍ଷା ବିଭାଗର ଶିକ୍ଷକ ମାରଣ ନୀତିକୁ ଶିକ୍ଷକ ସଂଘର ବିରୋଧ

ଗଣିଆ – ଗଣିଆ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ବୈଠକ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିଜୟ କୁମାର ମହାରଣା ସଭାପତିତ୍ବ କରିଥିଲା ବେଳେ ସମ୍ପାଦକ ସୁରେଶ କୁମାର ବେହେରା, ଶୁକଦେବ ରାଉତ,ଶୋଭନ କୁମାର ପଣ୍ଡା, ବଳରାମ ବେହେରା,ଧୃବଚରଣ ସାହୁଙ୍କ ସମେତ ପ୍ରାୟ ୫୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଚିଠି ନଂ ୧୨୬୩୬ରେ ପଦୋନ୍ନତି ପାଇଁ ଓଟିଇଟି ବାଧ୍ୟତାମୂଳକ ବୋଲି ଉଲ୍ଲେଖ କରାଯାଇଥିବା ବେଳେ ତାହା ସରକାରଙ୍କର ଶିକ୍ଷକ ମାରଣ ନୀତିକୁ ଦର୍ଶାଉଛି ବୋଲି ସଂଘ ତରଫରୁ ଅଭିଯୋଗ କରାଯାଇଛି । ୨୦୦୧ ମସିହା ଠାରୁ ୨୦୧୧ ମସିହା ପର୍ଯ୍ୟନ୍ତ ନିଯୁକ୍ତି ବିଜ୍ଞାପନରେ ସେ ସମ୍ପର୍କରେ ବିଜ୍ଞାପନ ନଥିବା ବେଳେ ଏବେ ନୂତନ ନିର୍ଦ୍ଦେଶନାମାରେ ତାହା ଉଲ୍ଲଖ କରାଯାଇଛି ।

ବୟସର ଅପରାହ୍ନରେ ପହଞ୍ଚିଥିବା ଶିକ୍ଷକ ମାନଙ୍କୁ ସରକାର ମାନସିକ ନିର୍ଯ୍ୟାତନା ଦେଉଛନ୍ତି ବୋଲି ଶିକ୍ଷକ ମାନେ ଅଭିଯୋଗ କରିଛନ୍ତିି । ଯଦି ଓଟିଇଟି ବାଧ୍ୟତାମୂଳକ ତେବେ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ଶିକ୍ଷାଦାନ ସହିତ ପ୍ରାଥମିକ ଶିକ୍ଷକ ମାନଙ୍କୁ ସରକାର ଅନ୍ୟାନ୍ୟ କାର୍ଯ୍ୟରେ ଖଟାଉଥିବା ବେଳେ ସେମାନଙ୍କୁ ପ୍ରଶଂସା ବଦଳରେ ଏଭଳି ଏକ ନିର୍ଦେଶନାମା କରି ଶିକ୍ଷକ ମାନଙ୍କ ପ୍ରତି ଅବିଚାର କରାଯାଇଛି ବୋଲି ବରିଷ୍ଠ ଶିକ୍ଷକ ମାନେ ଜଣାଇଛନ୍ତି । ତେବେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆଗାମୀ ଦିନରେ ଆଇନର ଆଶ୍ରୟ ନେଇ ସରକାରଙ୍କ ସହିତ ସିଧାସଳଖ ଲଢେଇ କରିବେ ବୋଲି ସଂଘର ସମ୍ପାଦକ ସୁରେଶ କୁମାର ବେହେରା ପ୍ରକାଶ କରିଛନ୍ତି ।

ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *