ପ୍ରକାଶ ପାଇଲା ଏସଆଇଆର ଚୁଡାନ୍ତ ଭୋଟର ତାଲିକା | ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍‌) ଅନ୍ତର୍ଗତ ପୁରୀ ଜିଲ୍ଲାର ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟଜ୍ୟୋତି ପରିଡା ବିଭିନ୍ନ ଇଆରଓ , ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଏହି ତାଲିକା ପ୍ରକାଶନ କରିଥିଲେ। ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଶ୍ରୀ ପରିଡା ଭୋଟର ତାଲିକା ପ୍ରକାଶ କରିବା ସହ ଏସ ଆଇ ଆର ୨୦୨୬ ପ୍ରକ୍ରିୟାରେ ଭାରତର ଯୋଗ୍ୟ ନାଗରିକ ମାନଙ୍କୁ ଭୋଟର ତାଲିକାରେ ସାମିଲ କରାଯିବା ସହ ଅଯୋଗ୍ୟ, ମୃତ, ସ୍ଥାନାନ୍ତରିତ ଏବଂ ଦ୍ୱିତୀୟ ଭାବେ ନାମ ଥିବା ଭୋଟର ମାନଙ୍କ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ଅନୁଯାୟୀ ଯାଞ୍ଚ ଓ ସଂଶୋଧନ କରାଯାଇଛି। ଦାବି ଓ ଆପତ୍ତି ଏବଂ ଶୁଣାଣି ପ୍ରକ୍ରିୟା ପରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି ବୋଲି ଜିଲ୍ଲାପାଳ କହିଥିଲେ। ପରେ ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ଜିଲ୍ଲାପାଳ ପୁରୀ ଜିଲାରେ ୬ଟି ନିର୍ବାଚନମଣ୍ଡଳୀର ମୋଟ ୧୮୨୩ ବୁଥରେ ବର୍ତ୍ତମାନ ଚୁଡାନ୍ତ ତାଲିକାରେ ୧୩ ଲକ୍ଷ ୧୧ ହଜାର ୮୭୬ ଭୋଟର ରହିଛନ୍ତି।

ପୂର୍ବରୁ ପୁରୀ ଜିଲାରେ ୧୩୦୨୭୬୮ ମତଦାତା ରହିଥିଲେ। ବର୍ତ୍ତମାନ ପୁରୁଷ ଭୋଟରଙ୍କ ସଂଖ୍ୟା ୬ ଲକ୍ଷ ୮୧ ହଜାର ୧୩୩ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୬ ଲକ୍ଷ ୩୦ ହଜାର ୬୬୮ ଓ ଅନ୍ୟାନ୍ୟ ୭୫ ଜଣ ଭୋଟର ରହିଛନ୍ତି। ୧୦୫ କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୨୬ ହଜାର ୭୪୯,୧୦୬ ନିମାପଡା ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୨୭ ହଜାର ୩୧୩, ୧୦୭ ପୁରୀ ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୨୫ ହଜାର ୮୦୮, ୧୦୮ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୧୩ ହଜାର ୨୫୪, ୧୦୯ ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ୧ ଲକ୍ଷ ୯୫ ହଜାର ୧୩୮ ଓ ୧୧୦ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୨୩ ହଜାର ୬୧୪ ରହିଛି।୧୮-୧୯ ବର୍ଷର ଯୁବ ଭୋଟରଙ୍କ ସଂଖ୍ୟା ୧୦ ହଜାର ୧୯୧ ରହିଥିବା ବେଳେ ୮୦ ବର୍ଷରୁ ଉର୍ଦ୍ଧ୍ବ ଭୋଟରଙ୍କ ସଂଖ୍ୟା ରହିଛି ୧୪ ହଜାର ୦୫୧ ଓ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୧୬ ହଜାର ୬୭୨ ରହିଛି । ଚୁଡାନ୍ତ ଭୋଟର ତାଲିକା ସମ୍ପୃକ୍ତ ବୁଥ ସ୍ତରୀୟ ଇଆରଓ, ଏଇଆରଓ କାର୍ଯ୍ୟାଳୟ ଏବଂ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ଉପଲବ୍ଧ ରହିଛି।ଏହା ସହ ନିର୍ବାଚନ ଆୟୋଗ ବା ସିଇଓ ଓଡିଶାଙ୍କ ଅଧିକୃତ ୱ୍ବେବସାଇଟ ମାଧ୍ୟମରେ ମଧ୍ୟ ଭୋଟରମାନେ ନିଜ ନିଜ ନାମ ଯାଞ୍ଚ କରିପାରିବେ। ସମସ୍ତ ଭୋଟର ନିଜର ନାମ, ଠିକଣା ଓ ଅନ୍ୟାନ୍ୟ ବିବରଣୀ ଚୁଡାନ୍ତ ଭୋଟର ତାଲିକାରେ ଯାଞ୍ଚ କରିନେବାକୁ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ପରିଡା ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *