ଉପାୟଶୂନ୍ୟ ଗ୍ରାମବାସୀ ପିଉଛନ୍ତି ଅପରିଷ୍କାର କୂଅ ପାଣି
ଗଣିଆ – ଗଣିଆ ବ୍ଳକ ବେଲପଡାପାଟଣା ପଞ୍ଚାୟତ ବିଜୟନଗର ମଝି ସାହିରେ ୨୦ଟି ପରିବାରର ୧୦୦ରୁ ଅଧିକ ଲୋକ ବାସ କରନ୍ତି । ଉକ୍ତ ସାହିରେ ଥିବା ଅପରିଷ୍କାର ପରିତ୍ୟକ୍ତ କୂଅ ହିଁ ସେମାନଙ୍କ ଭରସା । ଏହି କୂଅରୁ ସେମାନେ ପାନୀୟ ଜଳ ସଂଗ୍ରହ କରୁଛନ୍ତି । ଏହି ଜଳରେ ରୋଷେଇ ଠାରୁ ଆରମ୍ଭ କରି ପାନୀୟ ରୂପେ ବ୍ୟବହାର କରୁଛନ୍ତି । ତେବେ ବର୍ଷ ବର୍ଷ ଧରି ଉକ୍ତ କୂଅଟିର ପୁନରୁଦ୍ଧାର କରାଯାଉନାହିଁ । କୂଅ ଭିତରେ ଅନାବନା ଗଛଲତା ସବୁ ମାଡ଼ି ଯାଇଛି । ସବୁଠାରୁ ଦୁଃଖ ଏବଂ ପରିତାପର ବିଷୟ ଉକ୍ତ କୂଅ ପାଖରେ ଏକ ଶଙ୍ଖ ଥିବାରୁ ଗତ କିଛିଦିନ ତଳେ ତାହା ଦବି ଯାଇଛି । ଶଙ୍ଖ ଦବି ଯିବାରୁ ସେହି ବାଟ ଦେଇ ଡ୍ରେନପାଣି କୂଅ ଭିତରେ ପଶୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତିି । ଗ୍ରାମବାସୀ ଉପାୟଶୂନ୍ୟ ହୋଇ ଏହି ପାଣି ବ୍ୟବହାର କରୁଛନ୍ତି । ଏହି ଅପରିଷ୍କାର ପାଣି ପିଇବା ଦ୍ବାରା ବିଭିନ୍ନ ମାରାତ୍ମକ ରୋଗରେ ପୀଡିତ ହେବେ ଏଥିରେ ସନ୍ଦେହ ନାହିଁ । ତେଣୁ ତୁରନ୍ତ ଉକ୍ତ କୂଅଟିର ପୁନରୁଦ୍ଧାର କରିବା ସହିତ ଶଙ୍ଖଟିର ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
