ଗଣିଆ ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ଅଧିବେଶନ, କଣ୍ଟିଜେଣ୍ଟ ଟଙ୍କା ଖର୍ଚ୍ଚ ବାବଦରେ ସଭାଗୃହରେ ତୁମ୍ବିତୋଫାନ ।

ଗଣିଆ – ଗଣିଆ ବ୍ଳକ ସଭା ଗୃହରେ ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷା ଝୁନା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ସାଂସଦଙ୍କ ପ୍ରତିନିଧି ଶରତ କୁମାର କର, ଉପାଧ୍ୟକ୍ଷ ରାଜକିଶୋର ସାହୁ, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ବିଡ଼ିଓ ପ୍ରିତିବାଳା ରଣା, ଅତିରିକ୍ତ ବିଡ଼ିଓ ରତନଲାଳ ଲୋହରାଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ତଥା ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ପୂର୍ବ ବୈଠକର ବିବରଣୀ ପଠନ କରାଯାଇ ଦୃଢ଼ୀକରଣ କରାଯାଇଥିଲା । ବ୍ଳକରେ ୨୦୨୨ ଠାରୁ ୨୦୨୫ ପର୍ଯ୍ୟନ୍ତ କଣ୍ଟିଜେଣ୍ଟ ବାବଦରେ କେତେ ଟଙ୍କା ଅଛି ଏବଂ କେତେ ଖର୍ଚ୍ଚ ହୋଇଛି ସେ ସମ୍ପର୍କରେ ସଭାଗୃହରେ ସଦସ୍ୟମାନେ ତୁମ୍ବିତୋଫାନ କରିଥିଲେ । ୨୨ ଲକ୍ଷ ୮୨ ହଜାର ୯୯୧ ଟଙ୍କା କଣ୍ଟିଜେଣ୍ଟ ବାବଦରେ ଆସିଥିବା ଅର୍ଥ କେତେ ଖର୍ଚ୍ଚ ହୋଇଛି ସେ ବାବଦରେ ଆଲୋଚନା ହୋଇଥିଲା । ୧୪ ଲକ୍ଷ ୫୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା କ୍ୟାସିୟର ପ୍ରକାଶ କରିଥିଲେ । ତେବେ ଉକ୍ତ ଖର୍ଚ୍ଚ ବାବଦରେ ସମିତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇନଥିବାରୁ ଉକ୍ତ ଖର୍ଚ୍ଚକୁ ଗ୍ରହଣ ନକରିବାକୁ ସଦସ୍ୟ ମାନେ ଅଡ଼ି ବସିଥିଲେ । ଗଣିଆରେ ୟୁରିଆ ସାରର ଅଭାବ ଦେଖାଦେଇଥିବା ବେଳେ ଗଣିଆ ସମବାୟ ସମିତି ସମ୍ପାଦକ ୟୁରିଆ ସାର ଉଠାଇବାକୁ ମନା କରିଛନ୍ତି ବୋଲି କୃଷି ଅଧିକାରୀ ଅଭିଯୋଗ କରିଥିଲେ । ତେବେ ଏ ସମ୍ପର୍କରେ ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବାକୁ ଗଣିଆ ସରପଞ୍ଚ ଏବଂ ସମିତି ସଭ୍ୟ କୃଷି ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ସେପ୍ଟେମ୍ବର ମାସ ୧୭ ତାରିଖ ଠାରୁ ଅକ୍ଟୋବର ମାସ ୨ ତାରିଖ ପର୍ଯ୍ୟନ୍ତ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମହିଳା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯିବ ବୋଲି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଜଣାଇଥିବା ବେଳେ ମହିଳା ମାନେ ଯେକୌଣସି ରୋଗର ଚିକିତ୍ସା କରାଇପାରିବେ ବୋଲି ସେ ପ୍ରକାଶ କରିଥିଲେ । ଗଣିଆରେ ୧୬ ଜଣ ଟିବି ରୋଗୀ ଥିବାରୁ ସେମାନଙ୍କୁ ପୋଷ୍ୟରୂପେ ଗ୍ରହଣ କରି ଖାଦ୍ୟ ସାମଗ୍ରୀ ବଣ୍ଟନ କରିବାକୁ ନିବେଦନ କରିଥିଲେ । ୧୦୦ ଶଯ୍ୟା ବିଶିଷ୍ଟ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୃହ ନିର୍ମାଣ କେବେ ସରିବ ବୋଲି ସମିତି ସଭ୍ୟ ପ୍ରଶ୍ନ କରିଥିଲେ । ଗଣିଆରେ ବାରମ୍ବାର ବିଦ୍ୟୁତ୍ କାଟ୍ ହେଉଥିବା ବିଡ଼ିଓ କନିଷ୍ଠ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଡକଟା ହାଇସ୍କୁଲ ଦେଇ ୧୧ କେଭି ତାର ଯାଇଥିବା ବେଳେ ତାର ହଟାଇବାକୁ ପ୍ରତି ବୈଠକରେ ସରପଞ୍ଚ ଅଭିଯୋଗ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସରପଞ୍ଚ ଜଣାଇଥିଲେ । ଉଦ୍ୟାନ ବିଭାଗ ଅଧିକାରୀ ସଭାକୁ ଆସୁନଥିବାରୁ ସଦସ୍ୟ ମାନେ କ୍ଷୋଭ ପ୍ରକାଶ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ପିଅନଙ୍କୁ କାହିଁକି ଡେପୁଟେସନରେ ବ୍ଳକ କାର୍ଯ୍ୟାଳୟକୁ ପଠାଯାଇଛି ବୋଲି ସମିତି ସଭ୍ୟ ପ୍ରଶ୍ନ କରିଥିବା ବେଳେ ଏ ନେଇ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ ତରଫରୁ ଲିଖିତ ଅଭିଯୋଗ ଦେଇଥିବା ବ୍ଳକ ଶିକ୍ଷା ଅଧିକାରୀ ପ୍ରକାଶ କରିବା ସହିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇଥିବା ପ୍ରକାଶ କରିଥିଲେ । ଗଣିଆରେ ରାସନ କାର୍ଡରେ ନୂତନ ନାମ ଯୋଗ କାହିଁକି ହୋଇପାରୁନାହିଁ ବୋଲି ଲୋକପ୍ରତିନିଧି ମାନେ ପ୍ରଶ୍ନ କରିଥିଲେ । ବଡସିଲିଙ୍ଗା ପଞ୍ଚାୟତ ବସାଗଣ୍ଡ ନାଳ ପାଖରେ ଏକ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ସଦସ୍ୟମାନେ ଦାବି କରିଥିଲେ । ବାଇପାସ୍ ରାସ୍ତା ନିର୍ମାଣ ତ୍ବରାନ୍ବିତ କରିବାକୁ ସଦସ୍ୟମାନେ ମତ ଦେଇଥିଲେ । ବ୍ଳକ କାର୍ଯ୍ୟାଳୟ ପରିସରରେ ସଫା ସୁତୁରା କରିବାକୁ ବେଲପଡାପାଟଣା ଗ୍ରାମର ରମେଶ ନାୟକଙ୍କୁ ନିଯୁକ୍ତ କରାଯିବା ସହିତ ତାଙ୍କୁ ମାସିକ ୬ ହଜାର ଟଙ୍କା କଣ୍ଟିଜେଣ୍ଟ ଅର୍ଥରୁ ପ୍ରଦାନ କରିବାକୁ ସର୍ବ ସମ୍ମତି କ୍ରମେ ମଞ୍ଜୁର କରାଯାଇଥିଲା । ଲୋକପ୍ରତିନିଧି ମାନେ ଦେଇଥିବା ପ୍ରକଳ୍ପ ଗୁଡିକୁ ମନଇଛା କାହିଁକି କାଣ୍ଟଛାଟ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ । ବିଭିନ୍ନ ପ୍ରକଳ୍ପରୁ ବଳକା ଥିବା ସୁଧରାଶି ପାଇଁ ପ୍ରକଳ୍ପ ମଞ୍ଜୁର ହୋଇଥିବା ଜଣାପଡିଥିବା ବେଳେ ଏହି ପ୍ରକଳ୍ପ କନ୍ଧମାଳ ସାଂସଦଙ୍କ ସୁପାରିଶରେ ହୋଇଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ । ତେବେ ଉକ୍ତ ମଞ୍ଜୁର ପ୍ରକଳ୍ପକୁ ବାତିଲ କରିବାକୁ ଜନପ୍ରତିନିଧି ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *