ବୁଲିଲା ବୁଲ୍ଡୋଜର, ଭାଙ୍ଗିଲା ଦୁଇ ବେଆଇନ୍ ମଦ ଦୋକାନ
କାକଟପୁର,୧୯.୦୯ କାକଟପୁର ତହସିଲ ଓ ପୋଲିସ୍ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ। କାକଟପୁର ଥାନା ଅନ୍ତର୍ଗତ କୁଣ୍ଢେଇ ହାଟରେ ବେଆଇନ୍ ଚୋରା ମଦ ଦୋକାନ ଉପରେ ବୁଲିଲା ବୁଲ୍ଡୋଜର। ଭାଙ୍ଗିଲା ଦୁଇ ମଦ ବେପାରୀଙ୍କ ଦୋକାନ। ସୂଚନା ଅନୁଯାୟୀ କାକଟପୁର ଥାନା ଅନ୍ତର୍ଗତ କୁଣ୍ଢେଇ ହାଟରେ ବେଆଇନ୍ ଭାବେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ହେଉଥିବା ନେଇ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏଥି ସହିତ ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ କାକଟପୁର ପୋଲିସ୍ ଅଧିକାରୀ ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ କିଛି ଦିନ ତଳେ ଦୁଇ ଜଣ ଚୋରା ମଦ କାରବାର କରୁଥିବା ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜେଲରୁ ଫେରି ସେମାନେ ପୁଣି ଏହି ବେଆଇନ କାରବାର କରୁଥିଲେ। ଯାହାକୁ ନେଇ ସାଧାରଣ ଲୋକ ଅସନ୍ତୋଷ ପ୍ରକାଶ କରିଥିଲେ।

ଏନେଇ ସ୍ଥାନୀୟ ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନ ମିଳିତ ଭାବେ ସେମାନଙ୍କ ବ୍ୟବସାୟ ଦୋକାନ ଘରକୁ ବୁଲ୍ଡୋଜର ମେସିନ ଲଗାଇ ଭାଙ୍ଗିଛନ୍ତି। ଅତିରିକ୍ତ ତହସିଲଦାର ନିରଞ୍ଜନ ପାତ୍ର ଓ ଥାନା ଅଧିକାରୀ ବସନ୍ତ କୁମାର ସାହୁ ଙ୍କ ସମେତ ତହସିଲ ଓ ପୋଲିସ ପ୍ରଶାସନ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ପରିସ୍ଥିତି ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲେ ମଧ୍ଯ ପୋଲିସ ଦୁଇ ବେପାରୀଙ୍କ ଦୋକାନକୁ ଭାଙ୍ଗିବାରେ ସକ୍ଷମ ହୋଇଛି। ଦୁଇ ବେପାରୀ ହେଲେ ଦିଲିପ ନାଥ ଓ ଆଶିଷ ସେନ ବୋଲି ସୂଚନା ମିଳିଛି।ଏନେଇ ସ୍ଥାନୀୟ ଲୋକେ ପୋଲିସ ଓ ତହସିଲ ପ୍ରଶାସନଙ୍କୁ ସାଧୁବାଦ ଜଣାଇଛନ୍ତି।
