ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପୁରୀ ୧୯/୯ ଶ୍ରୀଜୀଉ ମାନଙ୍କ ଦର୍ଶନ ପାଇଁ ସରକାର ପ୍ରଣୟନ କରିଛନ୍ତି ଶ୍ରୀଜଗନ୍ନାଥ ଙ୍କ ଦର୍ଶନ ଯୋଜନା।ଚଳିତ ମାସ ୨୦ ତାରିଖ ଠାରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଏହି ଦର୍ଶନ ମାଧ୍ୟମରେ ୧୩ ଟି ଜିଲ୍ଲାର ୧୦୫୩୫ ଶ୍ରଦ୍ଧାଳୁ ଦର୍ଶନ ରେ ଆସିବେ।ଏହି ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ଼, କନ୍ଧମାଳ। ଶ୍ରଦ୍ଧାଳୁ ମାନେ ଯେପରି ଶ୍ରଦ୍ଧା ଓ ଶୃଙ୍ଖଳା ର ସହ ମହାପ୍ରଭୁଙ୍କ ଦର୍ଶନ କରି ଫେରିବେ ସେଥିପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ମାଧ୍ୟମରେ ବିଭିନ୍ନ ଜିଲ୍ଲା ରୁ ଆସୁଥିବା ଶ୍ରଦ୍ଧାଳୁ ଓ ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ ସହ ଯେପରି ଏକ ସୁଖଦ ଅନୁଭବ ନେଇ ଯିବେ ସେଥିପାଇଁ ସମସ୍ତ ବିଭାଗ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ଏହା ଏକ ଆଧ୍ୟାତ୍ମିକ ଓ ଧାର୍ମିକ ଯୋଜନା ଅନ୍ତର୍ଗତ ହୋଇ ଥିବାରୁ ସେବା ମନୋଭାବ ନେଇ ପ୍ରତ୍ୟେକ କାର୍ଯ୍ୟ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ପୁରୀ ଜିଲ୍ଲା ପ୍ରଶାସନ ,ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଦର୍ଶନ ର ବ୍ୟବସ୍ଥା କରାଇବେ।ଯାତ୍ରୀ ମାନେ ପହଞ୍ଚିବା ପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ରହଣୀ ପାଇଁ ବୃନ୍ଦାବତୀ ନିବାସରେ ବ୍ୟବସ୍ଥା,ଶ୍ରଦ୍ଧାଳୁ ଙ୍କ ପାଇଁ ମହାପ୍ରସାଦ ବ୍ୟବସ୍ଥା, ସହାୟତା ପାଇଁ ହେଲ୍ପ ଡେସ୍କର ବ୍ୟବସ୍ଥା, ଯାତାୟାତ ପାଇଁ ସ୍ଥାନୀୟ ପରିବହନ ବ୍ୟବସ୍ଥା, ଦର୍ଶନ ସୁବିଧା, ଶ୍ରଦ୍ଧାଳୁ ମାନଙ୍କ ସୁରକ୍ଷା ବ୍ୟବସ୍ଥା, ଗାଡି ପାର୍କିଂ ବ୍ୟବସ୍ଥା, ଫଟୋ ଭିଡିଓ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ବିଷଦ ଆଲୋଚନା କରାଯାଇ କାର୍ଯ୍ୟ ସମ୍ପାଦନ ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।ସେହିପରି ଏହି କାର୍ଯ୍ୟ ପାଇଁ ଦାୟିତ୍ୱ ନେଇଥିବା ସଂସ୍ଥା ଏକ୍ସପ୍ଲୋୟର ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ଓ ସମସ୍ତ ବ୍ୟବସ୍ଥା କୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ଏହି ବୈଠକରେ ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ,ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଓଏସଆରଟିସି ର ଜିଲ୍ଲା ମ୍ୟାନେଜର ତପସ୍ବିନୀ ଭଟ୍ଟ,ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ରୂପେଶ ରାଉତ, ଦେବସ୍ମିତା ମହାନ୍ତି ଅନ୍ୟାନ୍ୟ ଅଧିକାରୀ,ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
