ପୁଣି ଦେବଦୂତ ସାଜି ପୁରୀ ସମୁଦ୍ରରୁ 2 ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ
ପୁଣି ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଅଘଟଣ। ବଡ଼ ଲହଡ଼ି ଆସିବାରୁ ରିପ୍ କରେଣ୍ଟରେ ପଡି ସମୁଦ୍ର ଭିତରକୁ ଚାଲିଗଲେ ପର୍ଯ୍ୟଟକ। ସମୁଦ୍ରକୂଳ ସେକ୍ଟର ୧୩ ରେ ଘଟିଛି ଏଭଳି ଘଟଣା। ସାଙ୍ଗମାନଙ୍କ ସହ ସମୁଦ୍ର ସ୍ନାନର ମଜା ନେଉଥିବା ବେଳେ ପର୍ଯ୍ୟଟକଙ୍କୁ ସମୁଦ୍ର ଭିତରକୁ ଟାଣି ନେଲା ରିପ୍ କରେଣ୍ଟ। ତେବେ ପର୍ଯ୍ୟଟକ ଜଣକ ସମୁଦ୍ର ଭିତରେ ବୁଡ଼ି ଯାଉଥିବା ଦେଖି ତାଙ୍କ ସାଙ୍ଗମାନେ ଚିତ୍କାର କରିଥିଲେ। ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ସମୁଦ୍ର ଭିତରକୁ ଯାଇ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର ପର୍ଯ୍ୟଟକ ଜଣକ ହେଉଛନ୍ତି ବିହାର ଗୟା ଅଞ୍ଚଳର ଅଙ୍କିତ କୁମାର। ପର୍ଯ୍ୟଟକଙ୍କୁ ଲାଇଫ ଗାର୍ଡ ମାନେ ଉଦ୍ଧାର କରିବା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ।

ତେବେ ଲାଇଫ ଗାର୍ଡ ଙ୍କ ଏଭଳି ଉଦ୍ୟମ ଯୋଗୁଁ ଅଙ୍କିତଙ୍କ ଜୀବନ ବଞ୍ଚି ଯାଇଛି। ସେହିପରି ସମୁଦ୍ରକୂଳ ସେକ୍ଟର ୪ ରେ ସ୍ନାନ କରୁଥିବା ସମୟରେ କେଉଁଝର ଆନନ୍ଦପୁର ର ଓଡ଼ିଆ ପର୍ଯ୍ୟଟକ ରଜତ ଚାନ୍ଦ ଗଭୀର ସମୁଦ୍ର ଭିତରକୁ ଚାଲି ଯାଇଥିଲେ। ଲାଇଫ ଗାର୍ଡ ମାନେ ତାଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସମୁଦ୍ରରେ ସ୍ନାନ କରୁଥିବା ସମୟରେ ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ଙ୍କ ପରାମର୍ଶ ନେଇ ସ୍ନାନ କରିବାକୁ ଲାଇଫ ଗାର୍ଡ ମାନେ ନିବେଦନ କରିଛନ୍ତି।ପୁରୀରୁ ରଣଜିତ ମିଶ୍ରଙ୍କ ରିପୋର୍ଟ
