ଭାବରେ ଅଭାବ ନୁହଁଇ ଶବ୍ଦ
ଭାବରେ ଅଭାବ ନୁହଁଇ ଶବ୍ଦ
✍🏼କବିରତ୍ନ ନୂତନ କୁମାର ବେହେରା
ତୁମେ ହସି ଦେଇ କୁହ ଯେବେ ଦୁଇ ପଦ
ଅତି ସୁନ୍ଦର ମଧୁର ଲାଗେ ତ ନିଶ୍ଚୟ
ଅନୁଭବ ଆସେ ହୃଦୟକୁ ଲାଗେ ଭାରି ଆନନ୍ଦ
ଫୁଟାଫୁଲର ସ୍ପର୍ଶ ଦେଇ ମନକୁ ମହକାଅ
ଦୂର ହୋଇଯାଏ ମୋ ମନର ଅବସାଦ
ନିଜର ଆତ୍ମୀୟଙ୍କ ପରି ଲାଗ ବହୁ ପରିଚିତ
ଭାବେ ମୁଁ ଭାବରେ ଅଭାବ ନୁହଁଇ ଶବ୍ଦ
ତୁମର ପ୍ରତିଟି ଶବ୍ଦରେ ଖେଳି ଯାଏ ଲହରୀ
ଅନୁପମ ତୃପ୍ତି ଭରେ ଆସେନା ପ୍ରମାଦ
ମାନସିକ ସ୍ତରରେ ହୁଏ ମୁଁ ତୁମର ନିକଟତର
ରହେ ନାହିଁ ବିଚାରରେ ବାଦାନୁବାଦ
ତୁମର ମନ ସରଳ ଉଦାର ସ୍ଵଚ୍ଛ ନିର୍ମଳ
ଶବ୍ଦ ଶବ୍ଦର ବିନ୍ୟାସରେ ଥାଏ ନିଆରା ସ୍ଵାଦ
ଭାବନା ତୁମର ନିଷ୍ପାପ ଅମୃତ ତୁଲ୍ୟ
ଅପୂର୍ବ ଉତ୍ସାହ ଆସେ ଶୁଣିଲେ ସେ ସବୁ ଶବ୍ଦ
ମୋ ମନେ ମୋତେ ଭ୍ରମ ବି ହୁଏ ଏମିତି
ଅବା ଗାଉଛ କି…ଯତିପାତରେ ଛନ୍ଦ
ଭାବରୁ ତ ଶବ୍ଦ ସବୁ ଅନ୍ତରରୁ ହୁଏ ନିଃସୃତ
ନ ଥାଏ କିଛି କରିବାକୁ ମୋର ପ୍ରତିବାଦ
ଭାବନାର ଚିନ୍ତନରୁ ଝରି ଆସେ ଝରଣା ହୋଇ
ଧୋଇ ହୋଇଯାଏ ଅଶାନ୍ତ ଯେତେ ଖେଦ
ତୁମ ପ୍ରେରଣାରେ ହୁଏ ମୁଁ ପ୍ରେରିତ
ଶବ୍ଦମାନଙ୍କୁ ସାଉଁଟେ ନ ଆଣି କିଛି ବି ଦ୍ଵନ୍ଦ୍ଵ
କେମିତି ତୁମେ ଶବ୍ଦର ହୀରା ନୀଳା ମୋତିରେ
କଥାର କବିତା ରଚନା କର ହୁଏ ନିସ୍ପନ୍ଦ
ସୂକ୍ଷ୍ମ ଭାବରେ ଚିନ୍ତେ ମୁଁ ମୋର ଚେତନାରେ
ପାଇଛ ତୁମେ ମାଆ ବାଗଦେବୀଙ୍କର ଆଶୀର୍ବାଦ
ତୁମ ସାଧନାର ଗଭୀରତାକୁ ପାରେନା ମାପି
ବେଳାଭୂମିରେ ବସି ଶୁଣେ ତରଙ୍ଗର ବ୍ରହ୍ମ ନାଦ
ପ୍ରୟାସ କରେ ନିରବଚ୍ଛିନ୍ନ ହେବାକୁ ସ୍ଵଚ୍ଛ
ମୋ ମନ କହେ ଭାବରେ ଅଭାବ ନୁହଁଇ ଶବ୍ଦ
ପ୍ରାଣର ପ୍ରଣବରେ କରି ନିରନ୍ତର ଧ୍ୟାନ
ସ୍ତୁତିରେ ଚିନ୍ତେ ପରମାନନ୍ଦଙ୍କର ପଦାରବିନ୍ଦ
ତାଙ୍କ ଭାବରେ ଅଭାବ ନୁହଁଇ ଶବ୍ଦ…।
କୋହି,ବାରିପଦା,ମୟୂରଭଞ୍ଜ।
ଦୂରଭାଷା — ୮୦୧୮୩୫୩୩୨୨
