ନିର୍ମାଣ କାର୍ଯ୍ୟକୁ ୬ ମାସ ପୁରିନି ରାସ୍ତା ଅବସ୍ଥା ବେହାଲ୍ ।

ରଘୁନାଥପୁର:-୧୫/୯:- ଗ୍ରାମାଞ୍ଚଳରେ ସାଧାରଣଜନତାଙ୍କ ଯାତାୟାତ ପଥକୁ ସୁଗମ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଉଛି।ତେବେ ଏହା କେତେଦୂର ଲୋକଙ୍କ ସେବାରେ ଲାଗୁଛି ଏହାର ତର୍ଜମା କରାଯାଉନାହିଁ।ଏପରି ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ଜଳସମ୍ପଦ ବିଭାଗ ଅଧୀନସ୍ଥ ଜଗତସିଂହପୁର ଜିଲ୍ଲା ବାଲିଆ ସେକ୍ସନ ଅଧିନରେ ଥିବା ୬ ନଂ (ଇ) କେନାଲ ବନ୍ଧ ଦେଢ କିମି ରାସ୍ତା କ୍ଷେତ୍ରରେ।ଗତ ୬ ମାସ ତଳେ ଉକ୍ତ କେନାଲ ବନ୍ଧ ରାସ୍ତାର ନବୀକରଣ କାର୍ଯ୍ୟ କରାଯାଇଥିଲେ ସୁଧା ବର୍ତ୍ତମାନ ରାସ୍ତାର ଅବସ୍ଥା ବେହାଲ ହୋଇପଡିଛି।ନିମ୍ନମାନର କାର୍ଯ୍ୟ ଯୋଗୁଁ ରାସ୍ତାର ଅଧିକାଂଶ ସ୍ଥାନରେ ଖାଲଖମା ସୃଷ୍ଟିହୋଇ ଲୋକଙ୍କ ପାଇଁ ଯାତାୟାତ ଅନୁପଯୋଗୀ ହୋଇପଡିଛି।ରାସ୍ତା କାର୍ଯ୍ୟ କରାଯାଉଥିବା ସମୟରେ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ଖବରକାଗଜରେ ପ୍ରକାଶ ପାଇଥିଲା। ତତ୍କାଳୀନ ଏସଡିଓ ଓ ଯନ୍ତ୍ରୀଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିଲା।ତେବେ ସେମାନଙ୍କ ଖାମଖିଆଲ ପଣ ତଥା ଦୂରଦୃଷ୍ଟିର ଅଭାବ ଯୋଗୁଁ ସରକାରଙ୍କ ଲକ୍ଷାଧିକ ଟଙ୍କା ପାଣିରେ ପଡିଲା ବୋଲି ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଦାୟୀତ୍ୱରେ ଥିବା ଅଧିକାରୀ ଓ ଠିକାଦାର ମିଳିମିଶି ୩୪ ଲକ୍ଷ ଟଙ୍କା ଚଳୁ କରିଦେଲେ ବୋଲି ଗ୍ରାମବାସୀ ପ୍ରତିକ୍ରିୟା ରଖିଛନ୍ତି।ଏହି ରାସ୍ତାଟି ରଘୁନାଥପୁର ବ୍ଲକର ସଂଯୋଗକାରି ରାସ୍ତା ଅଟେ।ଏହି ରାସ୍ତା ଉପରେ ଜଇସୋଳ,ବରାଗୋଳ,ତରିକୁନ୍ଦ,ସାଦେଇପୁର ଆଦି ଆଖପାଖ ୮ ଟି ପଞ୍ଚାୟତର ଲୋକେ ନିର୍ଭରଶୀଳ ଅଟନ୍ତି।ଦୈନଦିନ ଏହି ରାସ୍ତା ଦେଇ ସ୍କୁଲ ଓ କଲେଜ ଛାତ୍ରୀଛାତ୍ର, ରୋଗୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ଜିଲ୍ଲା ତଥା ବ୍ଲକ କାର୍ଯ୍ୟାଳୟକୁ ଯାତାୟାତ କରିଥାନ୍ତି।ଠିକାଦାର ନବନିର୍ମିତ ରାସ୍ତାରେ ଅଳ୍ପ ମରମ ମେଣ୍ଟାଲ ପକେଇ ଠୁକପାଲିସ କାର୍ଯ୍ୟ କରିଥିବାରୁ ବର୍ଷାଦିନେ ଏଗୁଡିକ ଉଠି ବିରାଟକାୟ ଖାଲ ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହେଉଛି।ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଏହାର ଭିଜିଲାନ୍ସ ସ୍ତରୀୟ ତଦନ୍ତ କରିବା ପାଇଁ ପୂର୍ବତନ ସରପଞ୍ଚ ପ୍ରମୋଦ କୁମାର ଜେନା ଜିଲ୍ଲାପାଳ,ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ, ସଚିବ ଓ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ନଚେତ ଆଗାମୀ ଦିନରେ ଜନ ଅସନ୍ତୋଷ ଉଗ୍ରରୂପ ନେଇ ଆନ୍ଦୋଳନର ରୂପ ନେବବୋଲି ଜେନା ସୂଚାଇ ଦେଇଛନ୍ତି। ଏ ସମ୍ପର୍କରେ ଦାୟୀତ୍ୱରେ ଥିବା ଏସଡିଓ ସିଦ୍ଧାର୍ଥ ପ୍ରିୟରଞ୍ଜନ ଜେନାଙ୍କୁ ପଚାରିବାର ସେ ରାସ୍ତା କାର୍ଯ୍ୟ ସମୟରେ ନଥିବା ଏବଂ ବର୍ତ୍ତମାନ କଣ ହୋଇଛି ଦେଖିବେ ବୋଲି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *