ଅର୍ଦ୍ଧନିର୍ମିତ ସରକାରୀ ବାସଗୃହରୁ ବିପୁଳ ପରିମାଣର କାଠ ପଟା ଜବତ

ଗଣିଆ – ବନବିଭାଗକୁ ମିଳିଛି ବଡ ସଫଳତା । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମାଣ କରାଯାଉଥିବା ଏକ ଅର୍ଦ୍ଧନିର୍ମିତ ସରକାରୀ ବାସଗୃହରୁ ମିଳିଛି ଟ୍ରିପ ଟ୍ରିପ ଶାଗୁଆନ ଏବଂ ଶାଳକାଠର ପଟା ଓ ଚଉକାଠ । ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବନବିଭାଗ ତରଫରୁ ଜଣାପଡିଛି । ଘଟଣାରୁ ଜଣାପଡିଛି ଯେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଏକ ଅର୍ଦ୍ଧନିର୍ମିତ ସରକାରୀ ବାସଗୃହରେ ବିପୁଳ ପରିମାଣର କାଠ ପଟା,ଚଉକାଠ ଗଚ୍ଛିତ ଥିବା କୈାଣସି ସୂତ୍ରରୁ ବନବିଭାଗକୁ ଖବର ମିଳିଥିଲା । ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶରେ ଗଣିଆ ଫରେଷ୍ଟର ମନୋଜ ପ୍ରଭାକର ସାହୁ, ଫରେଷ୍ଟର ସନ୍ତୋଷ କୁମାର ପ୍ରଧାନ, ନୟାଗଡ ମୋବାଇଲ ସ୍କ୍ୱାର୍ଡ ଫରେଷ୍ଟର ପ୍ରଭାସ ଚନ୍ଦ୍ର ମଲ୍ଲିକ,ସୁରେଶ କୁମାର ସାହୁ,ବବୁଲ ସାହୁ, ସନ୍ତୋଷ କୁମାର ଦୋରା, ଫରେଷ୍ଟ ଗାର୍ଡ ଧରଣୀଧର ନାୟକ,କୁନି ଓଝା ପ୍ରମୁଖ ଉକ୍ତ ସ୍ଥାନରେ ଚଢାଉ କରିଥିଲେ । ଏତେ ସଂଖ୍ୟକ କାଠ ଦେଖି ବନବିଭାଗ କର୍ମଚାରୀ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ଉକ୍ତ ବାସଗୃହରୁ କାଠ ଗୁଡ଼ିକୁ ବୋହି ଆଣିବାକୁ ପ୍ରାୟ ଦୁଇଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ବାସଗୃହ ନିର୍ମାଣ କରୁଥିବା ଠିକାଦାର ଘଟଣାସ୍ଥଳରେ ପହଞ୍ଚି କାଠ ଆଣିଥିବା ରସିଦ ଦେଖାଇଥିଲେ ମଧ୍ୟ ସେଥିରେ ବିଭାଗୀୟ ଅଧିକାରୀ ସନ୍ତୁଷ୍ଟ ହୋଇନଥିଲେ । ଏପରିକି ବାହାରୁ ଚୋରାରେ କାଠଗଣ୍ଡି ଆଣି ସେଠାରେ କାଠ କଟାଯାଇଥିବା ଏବଂ କାଠର ଛେଲା ଏବଂ ପାଖିପଟା ପଡ଼ିଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ । ପରେ ଜବତ କାଠ ପଟା ଗୁଡିକୁ ଗଣିଆ ବନବିଭାଗ କାର୍ଯ୍ୟାଳୟ ପରିସରକୁ ଅଣାଯାଇଥିଲା । ତେବେ ଜବତ କାଠ ମଧ୍ୟରେ ପଟ୍ଟା ୨୮୦ ଖଣ୍ଡ ଏବଂ ଦୁଆରବନ୍ଧ ସାଇଜ଼ ୯୦ ଖଣ୍ଡ ବୋଲି ଫରେଷ୍ଟର ମନୋଜ ପ୍ରଭାକର ସାହୁ ପ୍ରକାଶ କରିଛନ୍ତି । ଯଦି କାଠଗୁଡିକ ଚୋରା କାଠ ତେବେ ଏତେ ପରିମାଣରେ ସେଠାରେ ଥିବା ବେଳେ କିଭଳି ବିଭାଗୀୟ ଅଧିକାରୀ ଜାଣିପାରିଲେନି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *