ପ୍ରଶାସନକୁ ନାକେଦମ୍ କରିଥିବା ବ୍ୟକ୍ତି ରଘୁନାଥପୁର ପୋଲିସ ଦ୍ବାରା ଉଦ୍ଧାର

ପ୍ରଶାସନକୁ ନାକେଦମ୍ କରିଥିବା ବ୍ୟକ୍ତି ରଘୁନାଥପୁର ପୋଲିସ ଦ୍ବାରା ଉଦ୍ଧାର। ରଘୁନାଥପୁର,୧୭/୯. ଦୀର୍ଘ ୪ଦିନ ଧରି ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ନାକେଦମ୍ କରି ରଖିଥିବା ଜଇପୁର ବୟନଗ୍ରାମର ସୁରେଶ (୫୦)ଙ୍କୁ ଆଜି ରଘୁନାଥପୁର ପୋଲିସ ଉଦ୍ଧାର କରିଛି। ସୂଚନାଯୋଗ୍ୟ,ଗତ ୧୪ ତାରିଖ ସକାଳେ ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜଇପୁର ବୟନଗ୍ରାମର ସୁରେଶ ମଣ୍ଡଳ ସବୁଦିନ ପରି ନିଜର ଏକ ଲୁନା ଗାଡ଼ିରେ ଫେରି ସାମଗ୍ରୀ ଧରି ଫେରି କରିବାକୁ ଆସି ପୁରଣ ତାଳଦଣ୍ଡା କେନାଲ ବନ୍ଧରେ ନିଜର ପ୍ୟାଣ୍ଟ୍,ସାର୍ଟ, ମନିପର୍ସ,ଲୁନା ଗାଡ଼ି ସହ ଫେରି ସାମଗ୍ରୀକୁ ରଖି ନିରୁଦ୍ଦିଷ୍ଟ ହୋଇ ଯାଇଥିଲେ। ଦୀର୍ଘ ସମୟ ଅତିବାହିତ ପରେ ସ୍ଥାନୀୟ ଲୋକମାନେ ରଘୁନାଥପୁର ଥାନାକୁ ଖବର ଦେବାପରେ ଥାନା ପୋଲିସ ସହ, ଅଗ୍ନିଶମ ବାହିନୀ ଓ ଓଡ୍ରାପ ଟିମ ସେଠାରେ ପହଞ୍ଚି ପାଣିରେ ବୁଡି ଯାଇଥିବା ସନ୍ଦେହ କରି ପୁରଣ ଠାରୁ ତାରପୁର ପର୍ଯ୍ୟନ୍ତ ଖୋଜାଖୋଜି କରିବା ସହ ଜବତ ସାମଗ୍ରୀକୁ ତାଙ୍କ ପୁଅକୁ ହସ୍ତାନ୍ତର କରିଥିଲେ। ଏହି ଘଟଣାରେ ସ୍ଥାନୀୟ ଲୋକଙ୍କ ସହ ଜଇପୁର ଓ ଆଖପାଖର ଶହ ଶହ ପୁରୁଷ ଓ ମହିଳା ତାଳଦଣ୍ଡା କେନାଲ ବନ୍ଧରେ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା। ସୁରେଶଙ୍କୁ ଉଦ୍ଧାର କରିବା ପାଇଁ ଗତ ୩ଦିନ ଧରି କେନାଲ ବନ୍ଧରେ ଶତାଧିକ ଜନସାଧାରଣ ସହ ପୋଲିସ ଓ ଅଗ୍ନିଶମ ଗାଡ଼ି ଡେରା ପକାଇଥିବା ବେଳେ ଅପ୍ରତ୍ୟାଶିତ ଭାବେ ଆଜି ଦିନ ୧୧ଟା ସମୟରେ କୈଣସି ସୁତ୍ରରୁ ଖବର ପାଇ ଆଇଆଇସି ସୁଶାନ୍ତ କୁମାର ସେଠୀଙ୍କ ସହ ସବ ଇନ୍ସପେକ୍ଟର ଯୋଗେଶ୍ବର ବେହେରା,ଏଏସଆଇ ରଞ୍ଜିତ କୁମାର ରାଉତ ପ୍ରମୁଖ କଟକରୁ ପଞ୍ଚପଲ୍ଲୀ ଅଭିମୁଖେ ଆସୁଥିବା ଗ୍ରାମେଶ୍ବର ବସରୁ ସୁରେଶଙ୍କୁ ଉଦ୍ଧାର କରି ତାଙ୍କ ପରିବାର ଜିମା ଦେଇଛନ୍ତି । ତେବେ ପାରିବାରିକ କଳହରୁ ସେ ଏଭଳି କାଣ୍ଡ କରି ଚାକିରି ଖୋଜିବା ଆଶାରେ ଜଗତପୁର ଚାଲି ଯାଇଥିବା ଏବଂ ସେଠାରେ କମ୍ପାନୀ ଗୁଡ଼ିକ ତାଙ୍କର ଆଧାର କାର୍ଡ ଖୋଜିବାରୁ ଏହି କାର୍ଡ ପାଇଁ ସେ ଘରକୁ ଫେରୁଥିବା ପୋଲିସ ନିକଟରେ କହିଛନ୍ତି। ଏହି ଘଟଣାରେ ରଘୁନାଥପୁର ପୋଲିସ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରା ଯାଇଥିବା ବେଳେ ସୁରେଶଙ୍କ କାର୍ଯ୍ୟକୁ ନାପସନ୍ଦ କରାଯାଇଛି।

Leave a Reply

Your email address will not be published. Required fields are marked *