କନ୍ୟାରତ୍ନ କର ସମ୍ମାନ
କାକଟପୁର- କାକଟପୁର ବ୍ଲକ ଅନ୍ତର୍ଗତ କୁଣ୍ଢେଇ ପଞ୍ଚାୟତର ପାଟପୁର ଗ୍ରାମର କୈଳାସ ଚନ୍ଦ୍ର ମୁଦୁଲିଙ୍କ ପୁତ୍ର-ବଧୂ ନିରଞ୍ଜନ ଓ ପାୟଲ ନିଜର ଏକମାତ୍ର କନ୍ୟା ଆୟୁଶ୍ମତି ସାନଭି ସାଧିକାଙ୍କ ପ୍ରଥମ ଜନ୍ମ ଦିନକୁ ବେଶ ଧୂମ ଧାମରେ ପାଳନ କରିବା ସହ ସମାଜକୁ ଦେଇଛନ୍ତି ନୁଆ ବାର୍ତା । ନିଜ କନ୍ୟା ରତ୍ନର ସମ୍ମାନ ପାଇଁ ସ୍ୱେଛାକୃତ ରକ୍ତଦାନ ଶିବିର କରି ସ୍ବାସ୍ଥ୍ୟ କ୍ଷେତ୍ରରେ ଉପୁଜୁଥିବା ରକ୍ତ ଅଭାବକୁ ଦୂର କରିବାରେ କିଛି ଅଂଶରେ ସହାୟକ ହୋଈଛନ୍ତି । କୁନି ଝିଅର ଜନ୍ମଦିନ ମୁଦୁଲି ଦମ୍ପତି କେକ୍ କାଟିବା ,ମହମ ବତୀ ଜାଳିବା ,ବାଣ ଫୁଟାଇବା ବା ଭଳି ଅତ୍ୟାଧୁନିକ କାର୍ଯ୍ୟରୁ ନିବୃତ ରହି ନିଜ ସାଙ୍ଗ ସାଥୀ ଓ ସ୍ଥାନୀୟ ଯୁବକ ମାନଙ୍କୁ ଉତ୍ସାହିତ କରି ସ୍ବଛାକୃତ ରକ୍ତଦାନ କରିବାକୁ ପ୍ରେରଣା ଯୋଗାଇ ସଫଳ ହୋଇଥିଲେ । ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ସଫଳ କରିବାକୁ କଟକ ସ୍ଥିତ ସେଣ୍ଟ୍ରାଲ ରେଡ କ୍ରସ ବ୍ଲଡ ବ୍ୟାଙ୍କ୍ ପକ୍ଷରୁ ପରିଚାଳନା ଓ ସହାୟତା କରାଯିବା ସହ ଉତ୍ସାହୀ ରକ୍ତଦାତାଙ୍କୁ ଏକ ସାର୍ଟିଫିକେଟ୍ ସହ କାର୍ଡ ବଣ୍ଟନ କରାଯାଇଥିଲା । ଓଡ଼ିଶାରେ ପ୍ରତିବର୍ଷ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କ ପାଇଁ ପାଞ୍ଚ ଲକ୍ଷ ୟୁନିଟ୍ ରକ୍ତର ଆବଶ୍ୟକ ହୋଇଥାଏ କିନ୍ତୁ ବର୍ଷକୁ ମାତ୍ର ତିନି ଲକ୍ଷ ପଚାଷ ହଜାର ୟୁନିଟ ରକ୍ତ ସଂଗ୍ରହ କରାଯାଇଥାଏ। ଅବଶିଷ୍ଟ ଏକ ଲକ୍ଷ ପଚାଶ ହଜାର ୟୁନିଟ୍ ରକ୍ତ ଅଭାବ ଦେଖାଦେଇଥାଏ। ପ୍ରଥମ ବର୍ଷର ଝିଅର ଜନ୍ମଦିନରେ ୩୬ ୟୁନିଟ ରକ୍ତ ଗ୍ରହ କରାଯାଇ ଥିବାରୁ ଖୁସି ବ୍ୟକ୍ତ କରିଥିଲେ ମୁଦୁଲି ପରିବାର । ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ଅଂଚଳରେ ରକ୍ତଦାନ ଶିବିର ଆୟୋଜନ କରି ରାଜ୍ୟର ରକ୍ତ ଅଭାବକୁ ଦୂରକରିବାକୁ ପ୍ରୟାସ ଜାରି ରହିବ। ଆଧୁନିକତା ଯୁଗରେ ନିରଞ୍ଜନ ଓ ପାୟଲଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି କାକଟପୁର ବାସୀ । “ରକ୍ତଦାନ ମହାଦାନ” ସହ କନ୍ୟାରନ୍ନର ଜନ୍ମ ଦିନ ପାଳନ ଆଗାମୀ ଯୁବ ପିଢିକୁ ନିଶ୍ଚୟ ପ୍ରେରଣା ଯୋଗାଇବ ।
