ଚନ୍ଦ୍ରଭାଗାରେ ସରକାରୀ ଜମି ଜବରଦଖଲ ଓ ବେଆଇନ୍ ନିର୍ମାଣ
କୋଣାର୍କ୨୧.୦୯ – କୋଣାର୍କ ମୌଜାର ଚନ୍ଦ୍ରଭାଗା ନିକଟରେ ଥିବା ସରକାରୀ ଜଙ୍ଗଲ ଜମିକୁ ଜବରଦଖଲ କରି ବେଆଇନ୍ ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି। ସୁଚନା ଅନୁଯାୟୀ କୋଣାର୍କ ମୌଜାର ଖାତା ନମ୍ବର୍ ୨୯୮ ପ୍ଲଟ ନମ୍ବର ୧୬୫୪ ସରକାରୀ ଅନାବାଦୀ ଓ ଜଙ୍ଗଲ ଜମିକୁ କେତେକ ଜମି ଦଲାଲ ମାନେ କୋଟି କୋଟି ଟଙ୍କାରେ ବିକ୍ରୟ କରି ଦେଇଛନ୍ତି। ମାଫିଆ ମାନେ ସେଠାରେ ପ୍ରାୟ ୨ ଏକର ଜମିରେ ବିଶାଳକାୟ କଂକ୍ରିଟ ପାଚେରୀ ନିର୍ମାଣ କରି ଜବରଦଖଲ କରିଛନ୍ତି। ଏନେଇ ରାଜ୍ବସ ବିଭାଗ ଓ ବନ ବିଭାଗ ପକ୍ଷରୁ ନୋଟିସ ଜାରି ହେଇଥିଲେ ମଧ୍ଯ ମାଫିଆ ମାନେ ଜବରଦଖଲ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି।

ଏହି ଜାଗା ସମୁଦ୍ର କୂଳବର୍ତ୍ତି ସିଆରଜେଡ ଜୋନ୍ ରେ ଯାଉଥିବା ବେଳେ ବନ ବିଭାଗର ଇକୋ ସେନ୍ସିଟିଭ ଜୋନ୍ ରେ ମଧ୍ଯ ଯାଉଛି। ଯାହା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବେଆଇନ୍ ଅଟେ। ବନ ବିଭାଗ ଓ ରାଜ୍ବସ ବିଭାଗ କେବଳ ନୋଟିସ କରି ଲକ୍ଷାଧିକ ଟଙ୍କାର କାରବାର ଯୋଗୁଁ ଚୁପ୍ ବସିଛି। ବେଆଇନ୍ ନିର୍ମାଣ କାର୍ଯ୍ୟକୁ ଉଚ୍ଛେଦ କରୁ ନାହାଁନ୍ତି। ତେଣୁ ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଉଚ୍ଛେଦ କରିବାକୁ ସାଧାରଣରେ ଦାବି ହେଉଛି।
