ସମୁଦ୍ର କୂଳରୁ ମୂର୍ମୂଷ ଅବସ୍ଥାରେ ମହିଳା ଉଦ୍ଧାର
ସମୁଦ୍ର କୂଳରୁ ମୂର୍ମୂଷ ଅବସ୍ଥାରେ ମହିଳା ଉଦ୍ଧାର।
ଜଗସିଂହପୁର ରୁ ଆଣି ଚନ୍ଦ୍ରଭାଗାରେ ହତ୍ୟା ଉଦ୍ୟମ।
କୋଣାର୍କ,୨୨.୦୯- କୋଣାର୍କ – ପୁରୀ ବେଳାମାର୍ଗ ଚନ୍ଦ୍ରଭାଗା ନିକଟ ସମୁଦ୍ର କୂଳରୁ ଜଣେ ମହିଳାଙ୍କୁ ରକ୍ତାକ୍ତ ଓ ଅତ୍ୟନ୍ତ ମୂର୍ମୁଷ ଅବସ୍ଥାରେ ଉଦ୍ଧାର କରା ଯାଇଥିବା ଜଣାପଡିଛି। ମହିଳା ଜଣଙ୍କୁ କେହି ଅତ୍ୟନ୍ତ ଭୟଙ୍କର ଭାବେ ଆକ୍ରମଣ ସହ ଗଳା କାଟି ହତ୍ୟା ଉଦ୍ୟମ କରିଛନ୍ତି ।

ସୂଚନାରୁ ଜଣାପଡେକି ସୋମବାର ଅପରାହ୍ନରେ ଜଣେ ମହିଳା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି କେତେକ ଲୋକ ପୋଲିସକୁ ଖବର ଦେବା ପରେ କୋଣାର୍କ ଟୁରିଷ୍ଟ ପୋଲିସ ଓ ମେରାଇନ୍ ପୋଲିସ ଉକ୍ତ ରକ୍ତ ଜୁଡୁବୁଡୁ ମହିଳାଙ୍କୁ ଉଦ୍ଧାର କରି ପ୍ରଥମେ କୋଣାର୍କ ମେଡିକାଲ ପରେ ଅବସ୍ଥା ଗୁରୁତ୍ୱର ହେବାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଘଟଣା ଘଟିଛି କୋଣାର୍କ ପୁରୀ ବେଳାମାର୍ଗ ରାସ୍ତାର କଇଁଛ ଘର ନିକଟରେ। ପୁରୀରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିବା ପରେ ଘଟଣାର ସତ୍ୟତା ଜଣାପଡିବ ବୋଲି ଅନୁମାନ କରାଯାଉଛି। କିଏ କେଉଁ ପରିସ୍ଥିତି ରେ ଏଭଳି ଘଟଣା ଘଟାଇଛି କାହିଁକି ଏଭଳି ଘଟଣା ଘଟିଲା। ପୋଲିସ ର ପ୍ରାଥମିକ ତଦନ୍ତ ରୁ ଜଣାପଡେକି ମହିଳା ଜଣଙ୍କ ମାନସ ଭୋଇଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ଭୋଇ (୩୦) । ଘର ଜଗତସିଂହପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳର ବୋଲି ଜଣାପଡିଛି। ମହିଳା ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ କୋଣାର୍କ ବୁଲିବାକୁ ଆସିଥିବାର ସୂଚନା ମିଳିଛି। କୋଣାର୍କ ରୁ ପୁରୀ ଯିବା ରାସ୍ତାର କଇଁଛ ଘର ନିକଟରେ ଏଭଳି ଘଟଣା ଘଟିଛି ଯାହାକି ମହିଳା ଜଣଙ୍କର ମୁଣ୍ଡର ପଛ ପାର୍ଶ୍ୱରେ ଓ ଡ଼ାହାଣ କାନ ପଟେ ଶକ୍ତ ଆଘାତ ଲାଗିଥିବା ବେଳେ ବେକ କଟାଯାଇଥିବା ଜଣାପଡିଛି। ଘଟଣା ସ୍ଥଳରେ ନିମାପଡ଼ା ଏସଡିପିଓ ଜନାର୍ଦ୍ଦନ ପାଢ଼ୀ, ଚନ୍ଦ୍ରଭାଗା ମେରାଇନ ଥାନା ଅଧିକାରୀ ପ୍ରତିମା ସାହୁ ଓ କୋଣାର୍କ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
