ଏକ ପେଡ଼ ମା’କେ ନାମ” କାର୍ଯ୍ୟକ୍ରମରେ ଗଛମାନଙ୍କ ବଞ୍ଚିବା ଓ ଅବିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ l

ଭୁବନେଶ୍ୱର, ୨୨ ସେପ୍ଟେମ୍ବର ୨୦୨୫ “ଏକ ପେଡ଼ ମା’କେ ନାମ” ଅଭିଯାନ ଅଧୀନରେ ଓଡ଼ିଶାରେ ୧୭ ସେପ୍ଟେମ୍ବରରେ ଆୟୋଜିତ ବିଶାଳ ବୃକ୍ଷରୋପଣ ଅଭିଯାନ ଏକ ଐତିହାସିକ ମାଇଲଖୁଣ୍ଟ ସୃଷ୍ଟି କରିଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସକ୍ରିୟ ଭୂମିକା ଓ ବ୍ୟକ୍ତିଗତ ଆଗ୍ରହ ଦ୍ୱାରା ଏହାକୁ ମିଶନ ମୋଡ୍‌ରେ କାର୍ଯ୍ୟକାରୀ କରାଯାଉଛି। ମୁଖ୍ୟମନ୍ତ୍ରୀ ଏହାକୁ କେବଳ ବୃକ୍ଷ ରୋପଣ ଅଭିଯାନ ଭାବେ ନୁହେଁ, ବରଂ ଜଳବାୟୁ ପରିବର୍ତ୍ତନ, ପରିବେଶ ସୁରକ୍ଷା ଓ ଜନସଚେତନତା ପାଇଁ ଏକ ଆନ୍ଦୋଳନ ଭାବେ ଗ୍ରହଣ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାରେ, ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କ ନିର୍ଦ୍ଦେଶରେ ବୃକ୍ଷର ସୁସ୍ଥ ଅଭିବୃଦ୍ଧି ପାଇଁ ନିୟମାବଳୀ ପ୍ରସ୍ତୁତ ହୋଇଛି ଏବଂ ସମସ୍ତ ବିଭାଗକୁ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।      ଏହି କ୍ରମରେ “ଏକ ପେଡ଼ ମା’କେ ନାମ” କାର୍ଯ୍ୟକ୍ରମ ଅନ୍ତର୍ଗତ ବୃକ୍ଷ ରୋପଣର ସୁରକ୍ଷା, ବଞ୍ଚିବା ଓ ସୁସ୍ଥ ଅଭିବୃଦ୍ଧି ପାଇଁ ସରକାରୀ ଭାବରେ ଏକ ବିସ୍ତୃତ ନିୟମାବଳୀ ପ୍ରସ୍ତୁତ କରାଯାଇଛି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ମିଳିତ ଭାବରେ ସ୍ଵାକ୍ଷର କରିଛନ୍ତି। ଚାରାଗୁଡ଼ିକର ବଞ୍ଚିବା ଏବଂ ସୁସ୍ଥ ବିକାଶ ପାଇଁ ୩–୫ ବର୍ଷର ରକ୍ଷଣାବେକ୍ଷଣ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି। ଏଥିରେ ପାଣି ଦେବା, ସାର ପ୍ରୟୋଗ, କୀଟନାଶକ ବ୍ୟବହାର, ସୁରକ୍ଷା ବାଡ଼ ଏବଂ ମୃତ୍ୟୁହୋଇଥିବା ଚାରାକୁ ତୁରନ୍ତ ବଦଳ କରିବା ଅନ୍ତର୍ଭୁକ୍ତ। ଗ୍ରାମ କମିଟି, ସ୍ୱୟଂ ସହାୟକ ଗୋଷ୍ଠୀ, ଇକୋ-କ୍ଲବ, ସ୍କୁଲ ଓ କଲେଜ, ସରକାରୀ ପ୍ରତିଷ୍ଠାନ ଏବଂ ଯୁବ ସ୍ୱେଚ୍ଛାସେବୀମାନଙ୍କୁ ସମ୍ପୂର୍ଣ୍ଣ ସମ୍ବେଦନଶୀଳ ଓ ସକ୍ରିୟ ଭାବରେ ନିୟୋଜିତ କରାଯିବ। ଏଥିପାଇଁ ଏକ ଦୃଢ଼ ମନିଟରିଂ ବ୍ୟବସ୍ଥା  କରା ଯାଇଛି l ଜିଲ୍ଲା, ରାଜ୍ୟ ଓ ସର୍ବୋଚ୍ଚ ସ୍ତରରେ ଏହାର ସମୀକ୍ଷା ସହିତ ORSAC ଡାସବୋର୍ଡ ମାଧ୍ୟମରେ ଡିଜିଟାଲ୍ ତଦାରଖ ବ୍ୟବସ୍ଥା କରାଯିବ । ବଞ୍ଚିବା ହାର, ଫଟୋଗ୍ରାଫ ଅପଲୋଡ୍ ଓ ପ୍ରଗତି ସମୀକ୍ଷା ନିୟମିତ ଭାବରେ କରାଯିବ।       ଏହି ନିୟମାବଳୀର ସଫଳ ରୂପାୟନ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସମ୍ପର୍କିତ ବିଭାଗ/ସଂସ୍ଥାକୁ ପ୍ରସାରିତ କରିବା ଓ ମିଶନ ମୋଡ୍‌ରେ ତୃଣମୂଳ ସ୍ତରରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ଏକ ପେଡ୍ ମା କେ ନାମ ୨.୦ ବୃକ୍ଷରୋପଣ କାର୍ଯ୍ୟକ୍ରମ ପ୍ରତି ସମସ୍ତଙ୍କର ନିରନ୍ତର ସହଯୋଗ ଏବଂ ଅଦମ୍ୟ ପ୍ରତିବଦ୍ଧତା ସହିତ, ଏହି ପଦକ୍ଷେପ କାର୍ଯ୍ୟକ୍ରମକୁ ଆହୁରି ଗତିଶୀଳ କରିବା ସହିତ,ରୋପଣ ହୋଇଥିବା ଚାରାର ବଞ୍ଚିବା ଏବଂ ଅଭିବୃଦ୍ଧିକୁ ଯଥେଷ୍ଟ ମଜବୁତ କରିବ । ଏହି ଅଭିଯାନ କେବଳ ବୃକ୍ଷରୋପଣ ନୁହେଁ, ଏହା ଏକ ଜନ ଆନ୍ଦୋଳନ ଯାହା ପରିବେଶ ସୁରକ୍ଷା ଏବଂ ସବୁଜ ଓଡ଼ିଶା ପାଇଁ ସାମୂହିକ ପ୍ରତିବଦ୍ଧତା ବୋଲି ସରକାର ସ୍ପଷ୍ଟ କରିଛନ୍ତି ।ସରୋଜ କୁମାର ଶତପଥି ଲୋକ ସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *