ଓଡିଶା ମୁଖ୍ୟ ସଚିବଙ୍କୁ କୋରାସିଆ ଟେକ୍ନୋଲୋଜିଜ୍ ପ୍ରାଇଭେଟ୍ ଲିମିଟେଡର ସହ ପ୍ରତିଷ୍ଠାତାଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର, ତା-୨୨.୦୯.୨୦୨୫ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନଆଇଟି), ରାଉରକେଲା ଭିତ୍ତିକ ଜଳ ଭିତରେ ରୋବଟିକ୍ସ ପ୍ରଯୁକ୍ତି ବିଦ୍ୟା ଉପଯୋଗରେ ଭିତ୍ତିଭୂମି ଅନୁଧ୍ୟାନ କ୍ଷମତା ରଖୁଥିବା ଅଗ୍ରଣୀ ଷ୍ଟାର୍ଟ ଅପ କମ୍ପାନୀ କୋରାସିଆ ଟେକ୍ନୋଲୋଜିଜ୍ ପ୍ରାଇଭେଟ୍ ଲିମିଟେଡର ସହ ପ୍ରତିଷ୍ଠାତା ଶ୍ରୀ ଦେବେନ୍ଦ୍ର ପ୍ରଧାନ ଆଜି ଓଡ଼ିଶାର ମୁଖ୍ୟ ସଚିବ ଶ୍ରୀ ମନୋଜ ଆହୁଜାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ ସେ ଓଡିଶାରେ ଜଳ ଭିତରେ ନିର୍ମିତ ଭିତ୍ତିଭୂମି (ଅଣ୍ଡରୱାଟର୍ ଇନ୍ଫ୍ରାସ୍ଟ୍ରକ୍ଚର)ର ସ୍ଥାୟିତ୍ୱ ଓ କାର୍ଯ୍ୟକ୍ଷମତା ବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ । ନିକଟରେ ଭାରତୀୟ ନୌସେନା ସହିତ କୋରାସିଆ ଟେକ୍ନୋଲଜିଜ୍ ୬୬ କୋଟି ଟଙ୍କାର ସ୍ୱଦେଶୀ ଅଣ୍ଡରୱାଟର୍ ରୋବୋଟିକ୍ ଉପକରଣ ନିୟୋଜନ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ମୁଖ୍ୟ ସଚିବ ଏହି ସଫଳତା ପାଇଁ କମ୍ପାନୀକୁ ପ୍ରଶଂସା କରିବା ସହ ଓଡିଶାର ଟେକ୍ନୋଲଜି ଓ ଦକ୍ଷତା ବିକାଶ କ୍ଷେତ୍ରରେ ଏହା ଉଜ୍ୱଳ ସମ୍ଭାବନାକୁ ପ୍ରତିଫଳିତ କରୁଥିବା ପ୍ରକାଶ କରିଥିଲେ ।

କୋରାସିଆ ଟେକ୍ନୋଲଜିଜ୍ ପ୍ରାଇଭେଟ୍ ଲିମିଟେଡ୍ ର ସହ ପ୍ରତିଷ୍ଠାତା ଶ୍ରୀ ପ୍ରଧାନ କହିଥିଲେ ଯେ, ମାନବ ବିହୀନ ଏହି ରୋବୋଟିକ୍ସ ପ୍ରଯୁକ୍ତି ବିଦ୍ୟା ଉପଯୋଗରେ ଭିତ୍ତିଭୂମିକୁ କ୍ଷତି ନ ପହଁଚାଇ ଅଣ୍ଡରୱାଟର୍ (ପାଣି ଭିତରେ) ସ୍ଥିତି ନିରୀକ୍ଷଣ, ପରୀକ୍ଷା, ପାଣି ତଳର ମାଟିର ଅବସ୍ଥା ଓ ଜଳର ଗଭୀରତା ମାପିବା, ସଂରଚନାଗତ ସ୍ୱାସ୍ଥ୍ୟ ମୂଲ୍ୟାଙ୍କନ ଓ ଅନ୍ୟାନ୍ୟ ସେବା ପ୍ରଦାନ କରିଥାଏ । ସେମାନଙ୍କର ପ୍ରଶିକ୍ଷିତ ଟିମ ଜଳ ଭିତରେ ଭିତ୍ତିଭୂମି ରକ୍ଷା, ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ନିର୍ଭରଯୋଗ୍ୟ ଓ କାର୍ଯ୍ୟକ୍ଷମ ସମାଧାନ ଦେଇଥାନ୍ତି l ମୁଖ୍ୟ ଶାସନ ପ୍ରକାଶ କରିଥିଲେ ଯେ, ଓଡ଼ିଶାରେ ଅନେକ ବୃହତ୍ ଓ ମଧ୍ୟମ ଜଳ ଭଣ୍ଡାର, ନଦୀ ବନ୍ଧ ରହିଛି । ବହୁ ପୁରାତନ ସେତୁ, ନଦୀରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ରହିଛି । ଅଣ୍ଡରୱାଟର୍ ରୋବୋଟିକ୍ ବ୍ୟବହାର କରି ସେସବୁର ନିରୀକ୍ଷଣ ଓ ସୁରକ୍ଷାରେ ଏହି ଜ୍ଞାନ କୌଶଳ ସହାୟତା ପ୍ରଦାନ କରିବ ଓ ଏହାର ସୁଯୋଗ ନେବାକୁ ସେ କମ୍ପାନୀର ସହ ପ୍ରତିଷ୍ଠାତାମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସାକ୍ଷାତ ଆଲୋଚନା ସମୟରେ ରାଜ୍ୟ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୁପିନ୍ଦର ସିଂ ପୁନିଆ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *