ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ପାଇଁ ପୁରୀ ସମୁଦ୍ରରେ ଜଗିବେ ଅଧିକାରୀ
ଲଗାତାର କିଛିଦିନ ହେବ ପୁରୀ ବେଳାଭୂମିରେ ସମୁଦ୍ର ସ୍ନାନ ସମୟରେ ପର୍ଯ୍ଯଟକ ମାନେ ବୁଡି ଯାଉଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା। ଏନେଇ ଅଧିକାରୀ ମାନଙ୍କ ସହ ବୈଠକ ହୋଇଥିବା ବେଳେ ଖୁବଶୀଘ୍ର ଲାଇଫଗାର୍ଡଙ୍କୁ ଅତ୍ୟାଧୁନିକ ସରଞ୍ଜାମ ପ୍ରଦାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ତେବେ ପର୍ଯ୍ୟଟକଙ୍କୁ ସଚେତନ କରିବା ପାଇଁ ଡାକବାଜି ଯନ୍ତ୍ରର ବ୍ୟବହାର କରାଯିବ, ଯାହା ଫଳରେ ପର୍ଯ୍ୟଟକ ମାନେ ସୁରକ୍ଷିତ ସ୍ନାନ କରିପାରିବେ। ଡାକବାଜି ଯନ୍ତ୍ର ବ୍ୟବହାର ଦ୍ବାରା ଜୁଆର ଉଚ୍ଚ କିମ୍ବା ସମୁଦ୍ର ଅଶାନ୍ତ ରହିଲେ ପର୍ଯ୍ୟଟକ ମାନେ ଅବଗତ ହୋଇ ବିପଦପୁର୍ଣ ସମୁଦ୍ରସ୍ନାନ କରିବେ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ଆଗକୁ ବିଚ୍ ପାଟ୍ରୋଲିଂକୁ କଡାକଡି କରାଯିବା ସହ ବିଶେଷ ଦିନକୁ ଦୃଷ୍ଟିରେ ରଖି ବେଳାଭୂମିରେ ବିଭିନ୍ନ ଅଧିକାରୀ ମାନେ ମୁତୟନ ହୋଇ ପର୍ଯ୍ୟଟକଙ୍କ ସୁରକ୍ଷିତ ସମୁଦ୍ରସ୍ନାନ ଉପରେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା। ସୂଚନା ଥାଉକି ଏବେ ଲଗାତାର କିଛିଦିନ ହେବ ସମୁଦ୍ରରେ ରିପ୍ କରେଣ୍ଟ ସୃଷ୍ଟି ହେବା ଏବଂ ଉଚ୍ଚ ଜୁଆର ମାଡ ହେବା ଦ୍ବାରା ପର୍ଯ୍ୟଟକ ମାନେ ଗଭୀର ସମୁଦ୍ର ଭିତରକୁ ଚାଲିଯାଉଛନ୍ତି। ବେଳେବେଳେ କିଛି ଅମାନିଆ ପର୍ଯ୍ୟଟକଙ୍କ ମାନେ ନିଶା ସେବନ କରିବା ସହ ଲାଇଫଗାର୍ଡଙ୍କ କଥା ନ ମାନି ଗଭୀର ସମୁଦ୍ର ଭିତରକୁ ସ୍ନାନ କରିବାକୁ ଯାଉଥିବାରୁ ଏଭଳି ଅଘଟଣ ଘଟୁଛି। ତେବେ ପ୍ରଶାସନ ଖୁବଶୀଘ୍ର ଏହା ଉପରେ ଦୃଷ୍ଟି ଦେଉଛି ବୋଲି ଜିଲ୍ଲାପାଳ କହିଛନ୍ତି।
