ଜଗତସିଂହପୁର ଐତିହ୍ୟ ପଦଯାତ୍ରାର ପ୍ରଥମ ବାର୍ଷିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ
ଜଗତସିଂହପୁର-୨୩/୯() “ଜଗତସିଂହପୁର ଐତିହ୍ୟ ପଦଯାତ୍ରା” ର ଆବାହକ ଶ୍ରୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ସଦର ବ୍ଳକ ଅନ୍ତର୍ଗତ ପୁନଙ୍ଗ ଗ୍ରାମର ସିଦ୍ଧ ବାରଙ୍ଗ ଗୋସାଇଁଙ୍କ ପୀଠ ପ୍ରାଙ୍ଗଣରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ୧ ଫେବୃଆରୀ ୨୦୨୬ ରେ ଆୟୋଜିତ ହେବାକୁ ଥିବା “ଜଗତସିଂହପୁର ଐତିହ୍ୟ ପଦଯାତ୍ରା” ର ପ୍ରଥମ ବାର୍ଷିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ଓ ପରିକଳ୍ପନା ବିଷୟରେ ଆଲୋଚନା କରାଯାଇଥିଲା।ବୈଠକ ଆରମ୍ଭ ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କ ପୂଜା କରାଯାଇଥିଲା ଏବଂ ତାଙ୍କର ଆଶୀର୍ବାଦ ସହିତ ଏହି ପବିତ୍ର ପ୍ରୟାସର ପ୍ରଥମ ପଦକ୍ଷେପ ଗ୍ରହଣ କରାଗଲା। ଏହି ବୈଠକରେ ସାମ୍ବାଦିକ ଶଶାଙ୍କ ଶେଖର ପଣ୍ଡା ଓ ଶିକ୍ଷ୍ୟାବିତ ବିଜୟ କୁମାର ରଥ ଯୋଗଦେଇ ବାର୍ଷିକ ଉତ୍ସବ ପାଳନ ସମ୍ପର୍କରେ ନିଜର ମତାମତ ଉପସ୍ଥାପନ କରିଥିଲେ । ଏହି ବାର୍ଷିକ ଉତ୍ସବ ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାଧର ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ସେହିପରି ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ପାଇଁ ମଧ୍ୟ ଏହି ବୈଠକରେ ସ୍ଥିର ହୋଇଥିଲା । ସେହିପରି ଉତ୍ସବକୁ ଅଧିକ ସରସ ସୁନ୍ଦର ଭାବେ ପାଳନ କରିବା ପାଇଁ ଉପସ୍ଥିତ ସଦସ୍ୟ ମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଦେବାଶିଷ ପାତ୍ର, ଅମର ପାତ୍ର, ଜ୍ୟୋତି ରଞ୍ଜନ ନାୟକ, ସୌରଭ ସିଂହ, ତ୍ରିଲୋଚନ ସ୍ୱାଇଁ, ଦିନେଶ ସ୍ୱାଇଁ, ରତିରଞ୍ଜନ ପଣ୍ଡା ଓ ସମ୍ବିତ ସିଂହ ପ୍ରମୁଖ ଏହି ବୈଠକରେ ଯୋଗଦେଇ ସେମାନଙ୍କର ମତାମତ ପ୍ରଦାନ କରିଥିଲେ । ଏହି ବାର୍ଷିକ ଉତ୍ସବ ମାଧ୍ୟମରେ ଜଗତସିଂହପୁରର ପ୍ରାଚୀନ ଐତିହ୍ୟ,ପରମ୍ପରା ଓ ସଂସ୍କୃତିର ପ୍ରଚାର ପ୍ରସାର ସହିତ ନୂତନ ପିଢ଼ୀଙ୍କୁ ଏହା ସହିତ ଯୋଡିବାର ଲକ୍ଷ ରହିଛି ବୋଲି ଆବାହକ ଶ୍ରୀକାନ୍ତ ସିଂ ସୂଚନା ଦେଇଛନ୍ତି ।
