ବର୍ଷକୁ ଥରେ ମକର ଚାଉଳ ଭୋଗଲାଗି
ଶନିବାର ମକର ସଂକ୍ରାନ୍ତି ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ବର୍ଷକୁ ଥରେ ପରମ୍ପରା କ୍ରମେ ମକର ଚାଉଳ ଭୋଗ ଲାଗି କରାଯାଇଛି। ଶୁକ୍ରବାର ମହାଲକ୍ଷ୍ମୀଙ୍କ ବାପଘରୁ ଆସିଥିବା ମକର ଭାରରେ ମନ୍ଦିର ମାଳି ସେବାୟତ ମାନେ ମକର ଚାଉଳ ପ୍ରସ୍ତୁତ କରିଥିଲେ l ମକରଭାର ସହିତ ଆସିଥିବା ନୂତନ ବସ୍ତ୍ର ସାକ୍ଷୀଗୋପାଳ ଓ ରାଧାରାଣୀ ପରିଧାନ କରିଥିଲେ l ମନ୍ଦିର ଚୁଡାରେ ନେତ ବନ୍ଧା ଯାଇଥିଲା । ଚୂନପାଣି ପକାଯାଇ ବେଢ଼ା ଶୋଧ କରାଯିବା ପରେ ରୁପା ପିଙ୍ଗଳରେ ମକର, ସାକର, ଦଧି ଓ ନଳିପାନ ଏପରି ଚାରିବେଢ଼ା ଅନୁଷ୍ଠିତ ହୋଇଥିଲା l ଛତିତ୍ରାସ, ଵାଜା, ମହୁରୀ, କହାଳୀ, ଘଣ୍ଟ ବଜାଇ ଠାକୁରଙ୍କୁ ଆଳତି ଓ ଉପଚାର କରି ପୂଜାପଣ୍ଡା ବନ୍ଦପନା କରିଥିଲେ। ମକର ଭାରରେ ପ୍ରସ୍ତୁତ ମକର ଚାଉଳ ପ୍ରଥମେ ଠାକୁର ଓ ଠାକୁରାଣୀଙ୍କୁ ଭୋଗ ନୈବେଦ୍ୟ ଅର୍ପଣ କରା ଯାଇ ବଳି ଆଟିକାରେ ନବାଙ୍କ ଚଣ୍ଡ ପ୍ରଦାନ କରାଯାଇଥିଲା l ମନ୍ଦିର ଵେଢା ମଧ୍ୟରେ ଶ୍ରଦ୍ଧାଳୁ ମାନେ ମକର ଚାଉଳ ଭୋଗ ପ୍ରସ୍ତୁତ କରି ଠାକୁରଙ୍କୁ ଭୋଗ ନୈବେଦ୍ୟ ଅର୍ପଣ କରିଥିଲେ l
