ଉପେକ୍ଷା କରନା ଅପେକ୍ଷା କର

  ଉପେକ୍ଷା କରନା ଅପେକ୍ଷା କର

🖊️କବିରତ୍ନ ନୂତନ କୁମାର ବେହେରା

କରି ସଂକଳ୍ପ ଅବା ଦେଇ ପ୍ରତିଶ୍ରୁତି
ହରାଅ ନା ଭରସା କି ବିଶ୍ଵାସ ତୁମର
ଧୈର୍ଯ୍ୟକୁ ଦୃଢ଼ କରି ରଖ ହୃଦୟରେ
ସାହସ ବାନ୍ଧ ମନ ଗହନରେ
ହୁଅନା ବିଚଳିତେ ଅଧିର ଅସ୍ଥିର
ଉପେକ୍ଷା କରନା ଅପେକ୍ଷା କର
ଜୀବନେ ସୁଯୋଗ ଆସେନା ବାରମ୍ବାର
ନିଜ ପାଇଁ ରୁହ ସଜାଗ ହୁଅ ହୁସିଆର
ଆଜିର ଆଶା କାଲିକୁ ହେବ ପୂରଣ
ମନର ଅଭିଳାଷକୁ ଜାଗ୍ରତ ରଖ
ଭବିଷ୍ୟତ ପ୍ରତି ରଖ ତୀକ୍ଷ୍ଣ ନଜର
ବର୍ତ୍ତମାନକୁ ନିରେଖି ଦେଖ ନିକଟରୁ
ଅତୀତକୁ ଅନୁଶୀଳନ କରି ଚାଲ
ଆନ୍ଦୋଳିତ ମନକୁ ସ୍ଥିର କର
ନୂଆ ସକାଳ ଆସିବ ଆଲୋକ ନେଇ
ଦୂର ହେବ ଦ୍ଵନ୍ଦ୍ଵ ସନ୍ଦେହର ଅନ୍ଧାର
ଉପେକ୍ଷା କରନା ଅପେକ୍ଷା କର
ପ୍ରଥମରେ ଲାଗେ ଯା’ ବିଷତୁଲ୍ୟ
କଷ୍ଟ ଦେଉଥାଏ ମନ ପ୍ରାଣକୁ
ପରିଣାମରେ ହୁଏ ତା’ ଅମୃତ ତୁଲ୍ୟ
ମଞ୍ଜିଟି ପୋତି ଦେଇ ଉର୍ବର ମୃତ୍ତିକାରେ
ସଙ୍ଗେ ସଙ୍ଗେ ଖୋଜିଲେ ଫୁଲ ଫଳ
ତା’ ହେବ ବାଚାଳାମୀ ଅବାନ୍ତର
ଆସିବ ନିଶ୍ଚିତ ପ୍ରକୃଷ୍ଟ ସମୟ
ଆଶା ହେବ ସଫଳତାରେ ରୂପାନ୍ତର
ଜୀବନ ହେବ ସରସ ସୁନ୍ଦର
ଭାବ ଭାବନା ସବୁ ହେବ ସାକାର
ଉପେକ୍ଷା କରନା ଅପେକ୍ଷା କର…।

 ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ 
   ନବସୃଜନ ଇ-ପତ୍ରିକା 

     କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *