ଶ୍ରୀମନ୍ଦିରେ ଆଜି ରେଖା ପଞ୍ଚମୀ ବା ରକ୍ଷା ପଞ୍ଚମୀ
⚫❗⚫ll *ଶ୍ରୀମନ୍ଦିରେ ଆଜି ରେଖା ପଞ୍ଚମୀ ବା ରକ୍ଷା ପଞ୍ଚମୀ (ରାହୁରେଖା ଲାଗି) ତଥା ସ୍ନାନ ଓ ରଥଯାତ୍ରାର ଶେଷ ନୀତି* ll‘ସର୍ବଂ ରହସ୍ୟଂ ପୁରୁଷୋତ୍ତମସ୍ୟଦେବୋ ନଜାନନ୍ତି କୁତୋ ମନୁଷ୍ୟଃ ।’ ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ସ୍ଵୟଂ ବ୍ରହ୍ମାଣ୍ଡ ସ୍ଵରୂପ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସମସ୍ତ ସୌର ଜଗତ ସ୍ଥିତ । ତେଣୁ, ତାଙ୍କୁ “ଗ୍ରହ ରୂପୀ ଜନାର୍ଦ୍ଦନ” ବି କୁହଯାଏ । ସେ ହିଁ ସ୍ୱୟଂ ମହାକାଳ । କାଳଚକ୍ର ତାଙ୍କ ଅଧୀନସ୍ଥ ଥିଲେ ମଧ୍ୟ ମାନବଜାତିକୁ ମହାଶିକ୍ଷା ଦେବା ପାଇଁ ସେନବକଳେବର ଗ୍ରହଣ କରନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ଓ ଉପାସନା ହିଁ ଶୈବ, ବୈଷ୍ଣବ ଓ ଶାକ୍ତ ଉପାସନା ସହିତ ସମାନ । କାହା ମତରେ ସେ ସେ ଦକ୍ଷିଣକାଳୀ, ଉଗ୍ରତାର, ଭୁବନେଶ୍ଵରୀ ଓ ଆଉ କାହା ମତ ରେ ସେ ମହାରୁଦ୍ର, ଭୈରବୀ ଓ ମହାକାଳ, ପୁଣି ସେ ସେ ହିଁ ଶିବ, ସେ ହିଁ ବ୍ରହ୍ମା ଆଉ ସେ ହିଁ ଆଦି ବିଷ୍ଣୁ ପରମବ୍ରହ୍ମ ନିରଞ୍ଜନ । ସାଧାରଣତଃ ଆମେ ଜାଣୁ, ଯେ ‘ନୀଳାଦ୍ରିବିଜେ’ ହେଉଛି ରଥଯାତ୍ରାର ଅନ୍ତିମ ପର୍ବ। ସେଦିନ ଦେବୀ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ, ଶ୍ରୀଜଗନ୍ନାଥ ଯାଇ ଶ୍ରୀମନ୍ଦିରର ରତ୍ନସିଂହାସନରେ ବିଜେ ହେବା ପରେ, ରଥଯାତ୍ରାର ସବୁ ନୀତି ଶେଷ ହୋଇଥାଏ। କିନ୍ତୁ ଏହା ଠିକ୍ ନୁହେଁ। ନୀଳାଦ୍ରିବିଜେ ପରେ ମଧ୍ୟ, ଆଉ ତିନିଟି ନୀତି ବାକି ଥାଏ। ତାହା ହେଉଛି- ଚିତାଲାଗି, ଖସା-ପଡ଼ା ଓ ରାହୁରେଖା ଲାଗି।ଜ୍ୟେଷ୍ଠ ପୂର୍ଣ୍ଣମୀର ସ୍ନାନନୀତି ଓ ହାତୀବେଶ ‘ଉଲାଗି’ (ଓହ୍ଲାଯିବା) ପରେ, ଠାକୁରମାନେ ଗୋଟିପହଣ୍ଡିରେ ଯାଆନ୍ତି ଅଣସର ଘରକୁ। ସେଠାରେ ସେମାନଙ୍କର ମସ୍ତକରେ ଲାଗି ହୋଇଥିବା ତିନି ରତ୍ନଚିତା ଖୋଲି ଦିଆଯାଏ। ସେଦିନ ରାତିରେ, ତିନି ଠାକୁରଙ୍କ ମସ୍ତକର ସୁନାର ରାହୁରେଖା ମଧ୍ୟ ଖୋଲି ଦିଆଯାଏ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ରଥରେ ବିଜେ ହେବା ପରେ, ସେମାନଙ୍କୁ ସୋଲ ଚିତା ଲାଗି କରାଯାଏ। ଶ୍ରାବଣ ଅମାବାସ୍ୟା ଦିନ ରତ୍ନସିଂହାସନରେ ସେହି ସୋଲଚିତା ଖୋଲାଯାଇ, ତାହା ପରିବର୍ତ୍ତେ ରତ୍ନଚିତା ଲାଗି ହୁଏ। ତେଣୁ ଶ୍ରାବଣ ଅମାବାସ୍ୟା ‘ଚିତାଲାଗି ଅମାବାସ୍ୟା’ ଭାବରେ ପ୍ରସିଦ୍ଧ।ଏହା ପରର ଆଉ ଗୋଟିଏ ନୀତି ହେଉଛି- ‘ଖସା-ପଡ଼ା’। ଅଣସର ବେଳେ ଦଇତା ଓ ପତି ସେବକମାନେ ଯେଉଁ ଗୁପ୍ତନୀତି କରିଥାଆନ୍ତି, ତାହାର ଶେଷ ନୀତି ‘ଶ୍ରୀପୟର ମୁଦା’। ଏହା ପରେ, ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ସେମାନଙ୍କ ମସ୍ତକରେ ପୁନଶ୍ଚ ସୁନାର ରାହୁରେଖା ଲାଗି କରାଯାଏ। ଏଣୁ ଏହି ତିଥିର ନାମ ‘ରେଖାପଞ୍ଚମୀ’। ପ୍ରକୃତରେ ଏହା ହିଁ ଶ୍ରୀଜଗନ୍ନାଥଙ୍କ ସ୍ନାନ ଓ ରଥଯାତ୍ରାର ସବାଶେଷ ନୀତି। ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ଦିନ ବଲ୍ଲଭ ଭୋଗ ଶେଷ ପରେ ଭଣ୍ଡାର ମେକାପ ଭଣ୍ଡାର ଘରେ ମୁଦ ହୋଇଥିବା ସୁବର୍ଣ୍ଣ ରାହୁରେଖା, ଦେଉଳକରଣ, ତଡ଼ଉକରଣ ଓ ଶ୍ରୀମନ୍ଦିରର ପ୍ରାଶସନିକ ଅଧିକାରୀଙ୍କ ଉପସ୍ଥିତିରେ ବାହାର କରି ଆଣି ବେହରଣ କିମ୍ବା ମାଜଣା ମଣ୍ଡପରେ ଉପସ୍ଥିତ ଥିବା ବଣିଆଙ୍କୁ ସଫା କରିବାକୁ ଦିଅନ୍ତି। ଏ ସମସ୍ତଙ୍କ ଉପସ୍ଥିତିରେ ବଣିଆ ରାହୁରେଖା ତିନୋଟି ସଫା କରନ୍ତି। ଭୋଗମଣ୍ଡପ ସରିବା ପରେ ପାଳିଆ ପ୍ରତିହାରୀ ଜୟ ବିଜୟ ଦ୍ଵାର ବନ୍ଦ କରିବେ। ପାଳିଆ ପୁଷ୍ପାଳକମାନେ ଠାକୁରମାନଙ୍କର ଝୋବାକଣ୍ଠି ଅଳଙ୍କାର ମଇଲମ କରିବେ ଓ ଶ୍ରୀଦେବୀ, ଭୂଦେବୀଙ୍କୁ ନେଇ ଖଟଶେଯ ଘରେ ବିଜେ କରାଇବେ। ଅଣସର ସୁଧସୁଆର ସିଂହାସନ ତଳେ ଓଷୁଅ ପ୍ରସ୍ତୁତ କରି ରଖିବେ। ପରେ ପରେ ଦଇତାପତିମାନେ ଆସି ଗୋଡ଼ହାତ ଧୋଇ ସିଂହାସନ ଉପରକୁ ଉଠିବେ। ପାଳିଆ ମେକାପ ବାଡ଼ ବାଡ଼ କରି ରାହୁରେଖା ପତି ମହାପାତ୍ରଙ୍କୁ ଦେଲେ ସେ ସଂସ୍କାର କରି ବାଡ଼ଗ୍ରାହୀ ଦଇତାଙ୍କୁ ଦେବେ। ତାପରେ ସମସ୍ତ ଦଇତା ମିଶି ଓଷୁଅ ଓ ବଇତମ(ଛିଣ୍ଡା କପଡା) ରେ ରୁନ୍ଧା କାର୍ଯ୍ୟ କରିସାରି ସିଂହାସନରୁ ଓହ୍ଲାଇ ଆସନ୍ତି। ସିଂହାସନ ପୋଛା ସରି ମହାସ୍ନାନ ପୂଜା ଠା ହେଲେ ପୂଜାପଣ୍ଡା ଆସି ପୂଜା ବଢାନ୍ତି। ତାପରେ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରୁ ଆସି ସିଂହାସନରେ ବିଜେ କଲେ ମଇଲମ ହୋଇ ବେଶ ବଢେ। ମଧ୍ୟାହ୍ନ ଧୂପ ପରେ ପଡ଼ିବା ଉତ୍ତାରେ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି। ଏହା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ପାଳିତ ହୁଏ।ସୁବର୍ଣ୍ଣ ରାହୁରେଖାମାନଙ୍କର ଓଜନ ହେଲା -ଶ୍ରୀବଳଭଦ୍ରଙ୍କର ପ୍ରାୟ ୯୬ ତୋଳା, ଦେବୀ ସୁଭଦ୍ରାଙ୍କର ପ୍ରାୟ ୭୬ ତୋଳା, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରାୟ ୧୩୫ ତୋଳା। ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ନବଗ୍ରହ ତତ୍ତ୍ୱ ସନ୍ନିହିତ ହୋଇଛି। ଶ୍ରୀଜୀଉଙ୍କ ଚକ୍ଷୁ ଦ୍ବୟ ସୂର୍ଯ୍ୟ,ଚନ୍ଦ୍ରଙ୍କର ପ୍ରତୀକ। ନାସିକା – ମଙ୍ଗଳ,ଧନୁ ଆକୃତି ଅଧର-ବୁଧ, ଚତୁଷ୍କୋଣାକୃତି ଶ୍ରୀମୁଖ-ଶୁକ୍ର ,ସୁବର୍ଣ୍ଣ ଚିତା-ବୃହସ୍ପତି, କୃଷ୍ଣ ବର୍ଣ୍ଣ-ଶନି,ଝୋବା କଣ୍ଠି-କେତୁ, ରାହୁରେଖା ରାହୁଙ୍କର ପ୍ରତୀକ। ଏହିଦିନ ଓଡ଼ିଶାର କେତେକ ଅଞ୍ଚଳରେ ଏକ ବିଶେଷ ଦ୍ୱାରପୂଜା ନୀତି ଅନୁଷ୍ଠିତ ହୁଏ । ତାହାକୁ ‘ରକ୍ଷାପଞ୍ଚମୀ’ ପୂଜା କହନ୍ତି । ସାଧାରଣତଃ ଗୃହସ୍ଥମାନେ ସର୍ପ, ପଶୁ ଓ ଭୂତ, ପିଶାଚମାନଙ୍କଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଏହି ପୂଜାବିଧିର ଆୟୋଜନ କରିଥାନ୍ତି । ଏହି ପୂଜାର ଇଷ୍ଟଦେବ ହେଉଛନ୍ତି ‘ବଟୁକ ଭୈରବ’ । ସାଧାରଣତଃ, କେତେକ ଶିବ ମନ୍ଦିରର ଦ୍ୱାରଦେଶରେ ବଟୁକ ଭୈରବଙ୍କର ମୂର୍ତ୍ତି ସ୍ଥାପିତ ହୋଇଥିବା ଦେଖାଯାଏ । ‘ଭୈରବ’ ଶବ୍ଦର ଅର୍ଥ, ଯେ ଭରଣ (ବ୍ରହ୍ମାଣ୍ଡ)ର ରକ୍ଷକ । ‘ଶିବପୁରାଣ’ରେ ବର୍ଣ୍ଣିତ ୬୪ ଭୈରବଙ୍କ ମଧ୍ୟରୁ ଏ ଅନ୍ୟତମ । ଚତୁର୍ଭୁଜ ଓ ତ୍ରିନେତ୍ର ବିଶିଷ୍ଟ ଏ ଏକ ଉଲଗ୍ନ ମୂର୍ତ୍ତି । କଟିସୂତ୍ର ଭାବରେ ତାଙ୍କର କଟିରେ ସର୍ପ ରହିଥାଏ । ସାଧାରଣତଃ ଶୂଳ, ସର୍ପ, ଡ଼ମ୍ବରୁ ଓ ମାଂସ ଖଣ୍ଡ ସେ ହସ୍ତରେ ଧାରଣ କରିଥାଆନ୍ତି । ତାଙ୍କ ସହିତ ଗଣେଶ ରହିଥାନ୍ତି । ବାହନ ଭାବରେ ଏକ କୁକୁର ତାଙ୍କ ନିକଟରେ ଥାଏ । ଚାରିପାଖରେ ପିଶାଚଗଣ ରହିଥାନ୍ତି । କଥିତ ଅଛି ଯେ, ଏହାଙ୍କୁ ପୂଜନ କରିବା ଦ୍ୱାରା ଗୃହସ୍ଥ ଭୟମୁକ୍ତ ହୋଇଥାନ୍ତି । ସେଥିପାଇଁ ସେମାନେ ଚିତ୍ରଶିଳ୍ପୀଙ୍କୁ ଡ଼ାକି ଗୃହର ପ୍ରବେଶ ଦ୍ୱାରରେ ଗଣେଶ ଓ ବାରିଦ୍ୱାରରେ ବଟୁକ ଭୈରବଙ୍କର ମୂର୍ତ୍ତି ଅଙ୍କନ କରନ୍ତି । ବଟୁକ ଭୈରବଙ୍କର ପ୍ରାର୍ଥନା ମନ୍ତ୍ର ହେଉଛି –“ଦ୍ୱାରଦେବ ନମସ୍ତୁଭ୍ୟଂ ନମସ୍ତେ ନନ୍ଦିକେଶ୍ୱରଭାଦ୍ରବକୃଷ୍ଣଂ ପଞ୍ଚମ୍ୟାଂ ରକ୍ଷ ରକ୍ଷ ମହେଶ୍ୱରମ୍ ।” ବିଧି ଅନୁସାରେ, ଏହି ମନ୍ତ୍ରକୁ ଏକ ତାଳପତ୍ରରେ ଲେଖି କିଛି ଦୂବ ଓ ଅରୁଆ ଚାଉଳ ସହିତ ବାନ୍ଧି ଦ୍ୱାରବନ୍ଧରେ ଝୁଲାଇ ଦିଆଯାଏ । ଏହାପରେ ବ୍ରାହ୍ମଣ ଆସି ଯଥାରୀତି ବଟୁକ ଭୈରବଙ୍କୁ ଆବାହନ କରି ତାଙ୍କର ପୂଜା ସଂପନ୍ନ କରିଥାନ୍ତି । ରାତ୍ରିକାଳରେ ଗୃହସ୍ଥମାନେ ବିଭିନ୍ନ ଅନ୍ନ ବ୍ୟଞ୍ଜନ ରାନ୍ଧି ବାରିଦୁଆର ପାଖରେ ପଶୁ ପକ୍ଷୀ, ସର୍ପ ଓ ପିଶାଚମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରନ୍ତି ।🙏❤️❤️
