ସୁସାହିତ୍ୟିକ ଚିନ୍ତାମଣି ବେହେରାଙ୍କ ୯୯ ତମ ଜୟନ୍ତୀ ଉତ୍ସବ ପାଳିତ
ଉଦଳା, ୮/୧୧/୨୫ ():- ଉଦଳା ସହର ମଧ୍ୟରେ ଥିବା ସନ୍ଧାନଗୃହ ପରିସରରେ ପ୍ରଶାନ୍ତ ସ୍ମୃତି ପରିଷଦ ଦ୍ବାରା ଆୟୋଜିତ କବି ଚିନ୍ତାମଣି ବେହେରାଙ୍କ ୯୯ତମ ଜୟନ୍ତି ଗତକାଲି ନଭେମ୍ବର ୭ ତାରିଖ ଶୁକ୍ରବାର ଦିନ ପାଳିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ଅବସରପ୍ରାପ୍ତ ମହାବିଦ୍ୟାଳୟର ଅଧ୍ଯକ୍ଷ ଡଃ ଦିଲିପ କୁମାର ଦିକ୍ଷିତ ଅଧ୍ୟକ୍ଷତା କରି କବି ଚିନ୍ତା ମଣି ବେହେରାଙ୍କ ସହିତ ବିତାଇଥିବା ଅନ୍ତରଙ୍ଗ ମୁହୁର୍ତ୍ତର ଅନୁଭବ ବ୍ୟକ୍ତ କରିଥିଲେ । ଉଦଳା ବିଜ୍ଞାପିତ ଅଂଚଳ ପରିଷଦର ନଗରପାଳ ପ୍ରମିଳା ପଣ୍ଡା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୁ ଭାବରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିବା ସହ ଏହିଭଳି ଏକ ରାଜ୍ୟସ୍ତରୀୟ ଚିନ୍ତାମଣି ବେହେରା ଜୟନ୍ତୀ ଉତ୍ସବରେ ସାରସ୍ବତ ମଂଚକୁ ବଂଚାଇ ରଖୁବା ପାଇଁ ପ୍ରଶାନ୍ତ ସ୍ମୃତି ପରିଷଦ ଉଦ୍ୟମ ଜାରି ରଖୁଥିବାରୁ କୃତଜ୍ଞତା ଜଣାଇଥିଲେ । ଅବସରପ୍ରାପ୍ତ ମହାବିଦ୍ୟାଳୟର ପ୍ରାଧାପକ ଡ଼. ଶ୍ୟାମସୁନ୍ଦର ପଣ୍ଡା ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଚିନ୍ତାମଣି ବେହେରାଙ୍କ କାବ୍ୟ କବିତା କିପରି ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛି ବିସ୍ତୃତ ବର୍ଣନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଭୋଳାନାଥ ସାହୁ, ଗବେଷକ କିଶୋରଚନ୍ଦ୍ର ଦାସବାବୁ, ସାହିତ୍ୟିକ ପ୍ରଫୁଲ କୁମାର ଖୁଲାର ପ୍ରମୁଖ ମଂଚାସିନ ଅତିଥି ଭାବେ ଯୋଗଦେଇ ଚିନ୍ତାମଣି ବେହେରାଙ୍କ ସାହିତ୍ୟକୃତି ବିଷୟରେ ଆଲୋଚନା କରିଥିଲେ । ‘ମଶାଲ’ ପତ୍ରିକାର ସମ୍ପାଦକ ରବିକାନ୍ତ ମହାପାତ୍ର ମଂଚପରିଚାଳନା ଦାୟିତ୍ୱ ତୁଲାଇଥିବା ବେଳେ ପ୍ରଫୁଲ ମହାଳିକ, ଲକ୍ଷ୍ମୀଧର ପୁଆଳ, ପରେଶ ଚନ୍ଦ୍ର ସାହୁ, ମନୋରଂଜନ ମଲିକ, କ୍ଷଣପ୍ରଭା ଜେନା, ନମିତା ରାଉତ, ରୁକ୍ମଣି ସାହୁ, ରତିକାନ୍ତ ବେହେରା ପ୍ରମୁଖ ଅଂଶ ଗ୍ରହଣ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଭୋଳାନାଥ ସାହୁଙ୍କୁ ଟ୍ରଷ୍ଟ ତରଫରୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛଅର୍ପଣ ପୁର୍ବକ ‘ଚିନ୍ତାମଣି ବେହେରା ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଅନ୍ୟଏକ ଯୁବକ ସୁନା ହାଁସଦା ହାଣ୍ଡିଆ ସେବନର ଭୟାବହତାକୁ ଅନୁଭବ କରି ଏହାର ସେବନକୁ ସମ୍ପୂର୍ଣ ବନ୍ଦ କରିବା ପାଇଁ ସ୍ଵର ଉତ୍ତୋଳନ କରିଥିବାରୁ ତାଙ୍କୁ ମଧ୍ୟ ଟ୍ରଷ୍ଟ ତରଫରୁ ସମ୍ବନ୍ଧିତ କରାଯାଇଥିଲା । ରଜତ କୁମାର ପଣ୍ଡା ପ୍ରାରମ୍ଭରେ ଅତିଥୁ ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଶିଷ ମଲିକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେନୟନା ବେହେରା, କବି ଶ୍ରୀକାନ୍ତ ବେହେରା, ଅବନ୍ତୀ ବେହେରା, ମୀନତି ପରିଡ଼ା, ତ୍ରିଲୋଚନ ରଥ, କାଶିନାଥ ଦାସ, ସୁବ୍ରତ ମହାନ୍ତି, କରୁଣାକର ଦାସ ପ୍ରମୁଖ ସହଯୋଗ କରିଥିଲେ।
