ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନୟାଗଡ଼ ଜିଲ୍ଲା ଗସ୍ତ
ନୟାଗଡ଼, ତାରିଖ: ୨୫.୦୮.୨୦୨୬- ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଏବଂ ସଦସ୍ୟା ଶ୍ରୀମତୀ ଚନ୍ଦନା ଦାସ ନୟାଗଡ଼ ଜିଲ୍ଲା ଗସ୍ତ କରି ଜିଲ୍ଲାର ବିଭିନ୍ନ ଶିଶୁ ସେବା ଅନୁଷ୍ଠାନ, ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ପରିଦର୍ଶନ କରିଥିଲେ।ଏହି ଗସ୍ତ ସମୟରେ ଆୟୋଗର ଅଧ୍ୟକ୍ଷା ଓ ସଦସ୍ୟା ଶକ୍ତି ସଦନ, ତୁଳସୀପୁର ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଦ୍ୟାଳୟ, ଡିମିରିଝରି ଉଚ୍ଚ ବିଦ୍ୟାଳୟ, ନୂଆଗାଁ ଆଶ୍ରମ ବିଦ୍ୟାଳୟ ଏବଂ ଦଶପଲ୍ଲାସ୍ଥିତ ଶ୍ରୀ କପିଳେଶ୍ୱର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳିତ ଛତୁଆ ୟୁନିଟ୍ ପରିଦର୍ଶନ କରିବା ସହ ଏହାର କାର୍ଯ୍ୟକଳାପ ଓ ବ୍ୟବସ୍ଥାର ଯାଞ୍ଚ କରିଥିଲେ। ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ ସମୟରେ ଶିଶୁମାନଙ୍କ ପାଇଁ ଉପଲବ୍ଧ ସେବା, ପୋଷଣ, ପ୍ରାକ୍-ବିଦ୍ୟାଳୟ ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କରେ ଆୟୋଗ ପକ୍ଷରୁ ଅନୁଧ୍ୟାନ କରାଯାଇଥିଲା। ସେହିପରି ବିଦ୍ୟାଳୟ ଓ ଆଶ୍ରମ ବିଦ୍ୟାଳୟରେ ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା, ରହଣି ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ମଧ୍ୟ ତଥ୍ୟ ନିଆଯାଇଥିଲା।

ଶିଶୁମାନଙ୍କ ଅଧିକାରର ସୁରକ୍ଷା, ସେମାନଙ୍କୁ ଏକ ସୁରକ୍ଷିତ ଓ ଉତ୍ତମ ପରିବେଶ ଯୋଗାଇଦେବା ଏବଂ ଜିଲ୍ଲାରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ମାନ୍ୟବର ଅଧ୍ୟକ୍ଷା ଗୁରୁତ୍ୱାରୋପ କରିଥିଲେ।ଏହି ଗସ୍ତ ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଅଧିକାରୀ ଶ୍ରୀ ସିବିୟନ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଜୟଶ୍ରୀ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ପାଣ୍ଡେ, ଶିଶୁ କଲ୍ୟାଣ ସମିତିର ସଦସ୍ୟବୃନ୍ଦ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଆୟୋଗକୁ ଆବଶ୍ୟକ ତଥ୍ୟ ଓ ସୂଚନା ପ୍ରଦାନ କରିଥିଲେ।ପରିଶେଷରେ ସଦଭାବନା ଗୃହ, ନୟାଗଡ଼ ଠାରେ ଜିଲ୍ଲାର ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାରେ ଶିଶୁମାନଙ୍କ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା, ବିଶେଷକରି ବାଲ୍ୟ ବିବାହ, ଶିଶୁ ଶ୍ରମ ଏବଂ ଶିଶୁ ଅଧିକାରର ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଜିଲ୍ଲାରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମକୁ କିପରି ପ୍ରଭାବଶାଳୀ ଭାବେ ରୋକାଯାଇପାରିବ, ଶିଶୁମାନଙ୍କୁ ସୁରକ୍ଷିତ ପରିବେଶ କିପରି ଯୋଗାଇ ଦିଆଯାଇପାରିବ ଏବଂ ବିଭିନ୍ନ ସମ୍ପୃକ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ମାଧ୍ୟମରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ କିପରି ଅଧିକ ସୁଦୃଢ଼ କରାଯାଇପାରିବ, ସେନେଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ମତବିନିମୟ କରାଯାଇଥିଲା।
