ପୁରୀର ସୁରକ୍ଷା ଵ୍ୟବସ୍ଥା ସମୀକ୍ଷା କଲେ DIG

ଦିଲ୍ଲୀ ବିସ୍ଫୋରଣ ଘଟଣା ପରେ ପୁରୀ ଆସି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ସହିତ ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ୍ ନାୟକ। ପୁରୀ ଏସପି ପ୍ରତୀକ ସିଂ, ଶ୍ରୀମନ୍ଦିର ସୁରକ୍ଷା ବାହିନୀର କମାଣ୍ଡାଣ୍ଟ, ସ୍ପେଶାଲ ବ୍ରାଞ୍ଚର ଅତିରିକ୍ତ ଏସପି, କୋଷ୍ଟ ଗାର୍ଡ ଅଧିକାରୀ, ଜିଆରପି ଅଧିକାରୀ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ସହିତ ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କିଭଳି ସୁଦୃଢ କରାଯାଇ ପାରିବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ୍ ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଶ୍ରୀମନ୍ଦିରର ସୁରକ୍ଷା ସହିତ ଭକ୍ତଙ୍କ ସୁରକ୍ଷା ପୋଲିସ ବିଭାଗ ସବୁବେଳେ ପ୍ରାଥମିକତା ଦେଇ ଆସୁଛି। ଶ୍ରୀମନ୍ଦିରର ସୁରକ୍ଷା ସହିତ ପୁରୀ ସହରର ସୁରକ୍ଷାକୁ କିଭଳି ବୃଦ୍ଧି କରିହେବ ସେନେଇ ସମସ୍ତ ସୁରକ୍ଷା ବାହିନୀ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଶ୍ରୀମନ୍ଦିର ଆଭ୍ୟନ୍ତରୀଣ ଏବଂ ବାହ୍ୟ ସୁରକ୍ଷା ସହିତ ସମୁଦ୍ର ତଟ ସୁରକ୍ଷା ନେଇ ଆଲୋଚନା ହୋଇଛି । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଫୁଟ୍ ପେଟ୍ରୋଲିଙ୍ଗ ନିୟମିତ କରାଯାଉଛି। ରାତି ୧୦ ଟା ପର ଠାରୁ ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ଯାଏଁ ନୋ ଭେହିକିଲ୍ ଜୋନ୍ କରାଯାଇଛି। ଶ୍ରୀମନ୍ଦିର ପାଖକୁ କୌଣସି ଚାରିଚକିଆ ଯାନର ପ୍ରବେଶ ନେଇ କଟକଣା ଜାରି କରାଯାଇଛି।

ସହରର ସମସ୍ତ ପ୍ରବେଶ ପଥରେ ପୋଲିସ ପକ୍ଷରୁ ନାକା ଲଗାଯାଇ ଗାଡ଼ି ଗୁଡିକ ଯାଞ୍ଚ କରାଯାଉଛି। ପୁରୀ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ସିସିଟିଭି କ୍ୟାମେରା ଲଗାଯିବା ନେଇ ପଦକ୍ଷେପ ନିଆଯାଉଛି। ସମୁଦ୍ର ପଥକୁ ସୁରକ୍ଷିତ ରଖିବା ପାଇଁ କୋଷ୍ଟ ଗାର୍ଡ ସହିତ ସମନ୍ୱୟ ରଖାଯାଇ ମେରାଇନ ଥାନା ପୋଲିସ ମିଳିତ ଭାବେ ପେଟ୍ରୋଲିଙ୍ଗ କରୁଛନ୍ତି। ପୁରୀ ରେଲୱେ ଷ୍ଟେସନରେ ଜିଆରପି ଓ ଆରପିଏଫ ପକ୍ଷରୁ କଡ଼ା ନଜର ରଖାଯାଇଛି। ସେପଟେ ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ୍ ଉଡ଼ୁଥିବା ବେଳେ ଏହାକୁ ରୋକିବାକୁ ଆଣ୍ଟି ଡ୍ରୋନ୍ ସିଷ୍ଟମ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ରାଜ୍ୟ ସରକାରଙ୍କୁ ପୁରୀ ଏସପି ଙ୍କ ପକ୍ଷରୁ ଚିଠି କରାଯାଇଛି। ଏନେଇ ତର୍ଜମା ଚାଲିଥିବା ବେଳେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଆଶା କରାଯାଉଛି । ବାଇଟ- ସତ୍ୟଜିତ ନାୟକ, କେନ୍ଦ୍ରାଞ୍ଚଳ ଡିଆଇଜି

Leave a Reply

Your email address will not be published. Required fields are marked *