ତିନିଦିନ ବ୍ୟାପି ଶ୍ରୀମନ୍ଦିରରେ ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହେବ।

ତିନିଦିନ ବ୍ୟାପି ଶ୍ରୀମନ୍ଦିରରେ ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହେବ। ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହା ଅନୁଷ୍ଠିତ ହେବ। ଏହି ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ। ତେବେ ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ।ଭକ୍ତଙ୍କୁ ଶ୍ରାଦ୍ଧ ବେଶରେ ଦର୍ଶନ ଦେବେ।ଏହି ଅବସରରେ ତିନି ଠାକୁର ଶ୍ବେତବସ୍ତ୍ର ପରିଧାନ କରିବେ। ଠାକୁରଙ୍କୁ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ କରାଯିବ। ପୂଜାପଣ୍ଡା ମାନେ ପିଣ୍ଡଦାନ କରିବେ। ଶ୍ରାଦ୍ଧ ନୀତି ସରିବା ପରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିବ।ଦେବଦୀପାବଳୀ ଅବସରରେ ଓଡିଶା ଇଣ୍ଟରନ୍ୟାସନଲ ସେଣ୍ଟର ଓ ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ପକ୍ଷରୁ ସିଂହଦ୍ଵାର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଏକ ଲକ୍ଷ ଦୀପ ଜାଳିବାର ଅୟୋଜନ କରାଯାଇଛି । ଦେବ ଦୀପାବଳି ଦିନ ସହରବାସୀ ନିଜ ଘର ଏବଂ ବଡ଼ଦାଣ୍ଡରେ ସ୍ବେଚ୍ଛାକୃତ ଭାବେ ଦୀପଦାନ କରିବା ଲାଗି ଓଡିଶା ଇଣ୍ଟରନ୍ୟାସନଲ ସେଣ୍ଟର ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରାଯାଇଛି ।ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧବେଶରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରୁଥିବାରୁ ଏହାକୁ ଦେବ ଦୀପାବଳି କୁହାଯାଏ ।ତେଣୁ ଦେବ ଦୀପାବଳୀ ଉତ୍ସବକୁ ଭବ୍ୟ କରିବା ପାଇଁ ଗତ କିଛି ବର୍ଷ ହେବ ଓଡିଶା ଇଣ୍ଟରନ୍ୟାସନଲ ସେଣ୍ଟର ପକ୍ଷରୁ ଦୀପଦାନ କରାଯାଉଛି।ଏହି ସଂଗଠନ ସହ ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ,ଛତିଶା ନିଯୋଗ ,ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ସଂଗଠନ ସାମିଲ ହୋଇଛନ୍ତି ।ପ୍ରତ୍ୟେକ ଘରେ,ନିଜ ନିଜ ସାହିରେ ଥିବା ମନ୍ଦିରରେ ତଥା ବଡ଼ଦାଣ୍ଡରେ ଦୀପ ଜଳାଇ ସଂସାରର ମଙ୍ଗଳ କାମନା ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ପାଇଁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *