ବିର୍ଶା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜନ ଜାତୀୟ ଗୌରବ ଦିବସ ପାଳିତ ।
ବିର୍ଶା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ ଉପଲକ୍ଷେ ଆଜି ସମଗ୍ର ଦେଶରେ ଜନ ଜାତୀୟ ଗୌରବ ଦିବସ ପାଳିତ ହୋଇଅଛି । ଏହି ଅବସରରେ ସ୍ଥାନୀୟ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର ଠାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ । ଜନ ଜାତିମାନଙ୍କ ଜଙ୍ଗଲ, ଜମି ଓ ସେମାନଙ୍କର ପରମ୍ପରାଗତ ଅଧିକାରକୁ ରକ୍ଷା କରିବା ପାଇଁ ବିର୍ଶା ମୁଣ୍ଡାଙ୍କ ଲଢ଼େଇ ଓ ତ୍ୟାଗ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ । ଭାରତ ହେଉଛି ବୀର ସହିହମାନଙ୍କ ମାଟି, ବିର୍ଶା ମୁଣ୍ଡାଙ୍କ ଭଳି ଲଢୁଆ ବୀରମାନଙ୍କ ବଳିଦାନ ଯୋଗୁଁ ଆମେ ସ୍ଵାଧୀନତା ପାଇପାରିଛେ ବୋଲି ମତବ୍ୟକ୍ତ କରିଥିଲେ। ଦେଶମାତୃକାର ସୁରକ୍ଷା ନିମନ୍ତେ ଆମମାନଙ୍କ ମଧ୍ୟରେ ଏହି ଭଳି ବଳିଷ୍ଠ ତ୍ୟାଗ ଭାବନା ଜାଗ୍ରତ ହେବା ଦରକାର ବୋଲି କହିଥିଲେ । ଆଦିବାସୀ-ଜନଜାତି ବର୍ଗଙ୍କର ସାମଗ୍ରିକ ବିକାଶ ପାଇଁ ସରକାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତିି, ସେଗୁଡ଼ିକର ସଫଳ ରୂପାୟନ ପାଇଁ ସଂପୃକ୍ତ ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଏହି ଅବସରରେ ସେ ଜନମନ ଯୋଜନାରେ ହିତାଧିକାରୀମାନଙ୍କୁ ଗୃହର ପ୍ରତିକାତ୍ମକ ଚାବି ପ୍ରଦାନ କରିଥିଲେ। ହିତାଧିକାରୀମାନଙ୍କୁ ଜମିପଟ୍ଟା, ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ସହାୟତା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ତାଲିମ ପ୍ରାପ୍ତ ଛାତ୍ର ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ମଧ୍ୟ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ- ତଥା – ନିର୍ବାହୀ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
