ପ୍ରେସ କ୍ଳବ୍ ପାଳନ କଲା ଜାତୀୟ ପ୍ରେସ ଦିବସ

ଗଣିଆ-ଗଣିଆରେ କାର୍ଯ୍ୟରତ ପଞ୍ଜିକୃତ ଗଣମାଧ୍ୟମ ସଂସ୍ଥା ଗଣିଆ ପ୍ରେସ କ୍ଳବ୍ ତରଫରୁ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଅରୋମୀରା କୋଚିଂ ସେଣ୍ଟର ପରିସରରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ପ୍ରେସ କ୍ଳବର ସ୍ଥାୟୀ ସଭାପତି ଦେବୀ ପ୍ରସାଦ ଦାଶଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଣିଆ ଥାନା ଏସଆଇ ଶ୍ୟାମସୁନ୍ଦର ପ୍ରଧାନ,ଦମକଳ ଅଧିକାରୀ ବିଜୟାନନ୍ଦ ପରିଡା, ଆରସି ସାମନ୍ତରାୟ ମହାବିଦ୍ୟାଳୟ ଓଡିଆ ଅଧ୍ୟାପକ ଜିତେନ କୁମାର ପାଣିଗ୍ରାହୀଙ୍କ ସମେତ ଅରୋମୀରା କୋଚିଂ ସେଣ୍ଟରର ସମସ୍ତ ଛାତ୍ର ଛାତ୍ରୀ ତଥା ପ୍ରେସ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ପରମପ୍ରଭୁ ଶ୍ରୀ ଅରବିନ୍ଦଙ୍କ ନିକଟରେ ରୁପ ପୁଷ୍ପ ଅର୍ପଣ କରାଯାଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକ ମାନଙ୍କ ଦାବି ଉପରେ ସରକାର ଗୁରୁତ୍ୱ ଦେବାକୁ ସଭାପତି ଅନୁରୋଧ କରିଥିବା ବେଳେ ଖବର ପରିବେଷଣ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ସହିତ ସ୍ଥାୟୀ ଗୃହ ନିର୍ମାଣ ପାଇଁ ବ୍ଳକ ଅଧ୍ୟକ୍ଷାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଅରୋମୀରା କୋଚିଂ ସେଣ୍ଟର ପରିସରରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ନିରପେକ୍ଷ ଖବର ପରିବେଷଣ କରିବାକୁ ଦମକଳ ଅଧିକାରୀ ପ୍ରକାଶ କରିବା ସହିତ ସାମ୍ବାଦିକ ମାନଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବା ଦରକାର ବୋଲି ସେ ମତ ଦେଇଥିଲେ ।

ପ୍ରେସ କ୍ଳବ୍ ଗଣିଆର ସମସ୍ତ ସଦସ୍ୟ ଅତି ସୁନ୍ଦର ଖବର ପରିବେଷଣ କରୁଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଅଧ୍ୟାପକ ଶ୍ରୀ ପାଣିଗ୍ରାହୀ । କର୍ମ ଉପରେ ଧ୍ୟାନ ଦେବା ସହିତ ଦଳିତ ନିଷ୍ପେସିତ ଲୋକଙ୍କୁ ସହଯୋଗ କରିବାକୁ ସାମ୍ବାଦିକ ମାନେ ଆଗେଇ ଆସିବାକୁ ଏସଆଇ ଶ୍ରୀ ପ୍ରଧାନ ମତ ଦେଇଥିଲେ । ସାମ୍ବାଦିକଙ୍କ ପରିଶ୍ରମର ତୁଳନା ନାହିଁ କିନ୍ତୁ ପରିଶ୍ରମ ଅନୁସାରେ ସେମାନଙ୍କୁ ଆର୍ଥିକ ସହାୟତା କିଛି ବି ମିଳୁନାହିଁ ବୋଲି ବ୍ଳକ ଅଧ୍ୟକ୍ଷା ପ୍ରକାଶ କରିବା ସହିତ ପ୍ରେସ କ୍ଳବ୍ ଗୃହ ଖୁବଶୀଘ୍ର ନିର୍ମାଣ ହେବ ବୋଲି ଅଧ୍ୟକ୍ଷା ପ୍ରତିଶୃତି ଦେଇଥିଲେ । ଛାତ୍ର ଛାତ୍ରୀ ମାନଙ୍କ ନୃତ୍ୟ ଏବଂ ସଙ୍ଗୀତ ଅତ୍ୟନ୍ତ ମନୋମୁଗ୍ଧକର ତଥା ଆକର୍ଷଣୀୟ ହୋଇଥିଲା । କଣ୍ଠ ସଙ୍ଗୀତ ପ୍ରତିଯୋଗିତାରେ ଲିନୁ ରାଉତ ପ୍ରଥମ, ପ୍ରିୟଦର୍ଶିନୀ ରାଉତ ଦ୍ବିତୀୟ, ଶିବାନୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ନୃତ୍ୟ ପ୍ରତିଯୋଗିତାରେ ସ୍ମୃତିରେଖା ପରିଡା ପ୍ରଥମ, ପ୍ରିୟଦର୍ଶିନୀ ରାଉତ ଦ୍ବିତୀୟ,ଅର୍ପିତା ମାହୁନ୍ତ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଶ୍ରେଷ୍ଠ ପାଠକ ଭାବେ ଗଣିଆ ବ୍ରାହ୍ମଣ ସାହିର ଅରୁଣ କୁମାର ଦାଶଙ୍କୁ ଉପହାର ଏବଂ ଉତ୍ତରୀୟ ପ୍ରଦାନ କରାଯାଇଥିବା ବେଳେ ଅରୋମୀରା କୋଚିଂ ସେଣ୍ଟରର ପରିଚାଳକ ସଂଗ୍ରାମ ସିଂଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପ୍ରେସ କ୍ଳବର କୋଷାଧ୍ୟକ୍ଷ ବିଜୟଲକ୍ଷ୍ମୀ ରାଉତ ପରିଚାଳନା କରିଥିବା ବେଳେ ସମସ୍ତ ସଦସ୍ୟ ତଥା ଅରୋମୀରା କୋଚିଂ ସେଣ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *