ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀର ପ୍ରଥମ ଦିନର ଦ୍ୱିତୀୟ ଅଧିବେଶନ ସମସ୍ତ ପ୍ରଶାସନିକ କାର୍ଯ୍ୟର କେନ୍ଦ୍ରରେ ନାଗରିକଙ୍କ ସମ୍ମାନକୁ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର-୧୮.୧୧ .୨୦୨୫ ରାଜ୍ୟ କନଭେନସନ ସେଣ୍ଟର ଠାରେ ଆୟୋଜିତ ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀର ପ୍ରଥମ ଦିନର ଦ୍ୱିତୀୟ ଅଧିବେଶନ ମୁଖ୍ୟ ଶାସନ ସଚିବ, ଓଡିଶା ଶ୍ରୀ ମନୋଜ ଅହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଅଧିବେଶନରେ ଆଲୋଚ୍ୟ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ଏହି ଅଧିବେଶନରେ ନାଗରିକ କେୈନ୍ଦ୍ରିକ ସେବା ପ୍ରଦାନରେ ନୈତିକତା, ଲୋକସେବା ଅଧିକାର ଅଧିନିୟମ ଅନ୍ତର୍ଭୁକ୍ତ ସେବା ପ୍ରଦାନ, ବ୍ୟକ୍ତିଗତ ଅଧିକାର, ସରକାରୀ କଲ୍ୟାଣ ଯୋଜନା, ସାମୁହିକ ସମ୍ପଦ ଏବଂ ଜନ ସାଧାରଣଙ୍କୁ ସୁବିଧାରେ ସରକାରୀ ସେବା ପ୍ରଦାନ ସଂପର୍କିତ ବିସ୍ତୃତ ଆଲୋଚନା କରାଯାଇଥିଲା । ସମ୍ମିଳନୀରେ ଯୋଗ ଦେଇଥିବା ଜିଲ୍ଲାପାଳ ତଥା ରାଜ୍ୟ ପ୍ରଶାସନର ସଚିବ ତଥା ବରିଷ୍ଠ ପଦାଧିକାରୀଙ୍କୁ ସମ୍ବୋଧନ କରି ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଥିଲେ ଯେ, ନାଗରିକମାନେ ହେଉଛନ୍ତି ଆମ ରାଜ୍ୟର ପ୍ରମୁଖ ସମ୍ପଦ । ପ୍ରତି ପ୍ରଶାସନିକ କାର୍ଯ୍ୟ ଓ ସେବା ପ୍ରଦାନ ବେଳେ ସେମାନଙ୍କର ମର୍ଯ୍ୟାଦା ପ୍ରତି ଯଥେଷ୍ଟ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଲୋକସେବା ଅଧିକାର ଅଧିନିୟମକୁ କାର୍ଯ୍ୟକାରୀ କଲାବେଳେ ତଥା ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ କ୍ଷେତ୍ରରେ ନୈତିକ ମୂଲ୍ୟବୋଧକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ସେ କହିଥିଲେ ।

ପ୍ରତି ଗାଁ ଗାଁରେ ନାଗରିକମାନେ ସମ୍ମାନର ସହିତ ଜୀବନ ଯାପନ କରିବା ପାଇଁ ସେମାନଙ୍କ ପାଇଁ ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା, ଗମନାଗମନ ପାଇଁ ସଡ଼କ ସୁବିଧା, ମୋବାଇଲ ଯୋଗାଯୋଗ, ବିଦ୍ୟୁତ୍ ସେବା ସହ ଜନକଲ୍ୟାଣକାରୀ ଯୋଜନାର ସୁଫଳ ପହଁଚିବା ଆଦି ସମସ୍ତ ସୁବିଧା ସୁଯୋଗକୁ ସୁନିଶ୍ଚିତ କରିବାକୁ ତ୍ୱରାନ୍ୱିତ ପଦକ୍ଷେପ ଓ ସୁବ୍ୟବସ୍ଥା କରିବା ସଂପର୍କରେ ସେ ଆଲୋକପାତ କରିଥିଲେ । କିଭଳି ସ୍ୱଚ୍ଛତାର ସହ, ବିନା ଅସୁବିଧାରେ ପ୍ରଶାସନିକ ଢାଞ୍ଚାରେ ଆବଶ୍ୟକ ସୁଧାର ଓ ବୈଷୟିକ ଜ୍ଞାନକୌଶଳ ଉପଯୋଗ ମାଧ୍ୟମରେ ତ୍ୱରିତ ଓ ସୁବିଧାରେ ଜନସାଧାରଣ ଉଦ୍ଦିଷ୍ଟ ସେବା ପାଇପାରିବେ, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ବିସ୍ତୃତ ଭାବେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା କରି ପରାମର୍ଶ ଦେଇଥିଲେ । ଅଧିବେଶନରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ (ପାନୀୟଜଳ ଓ ପରିମଳ) ଶ୍ରୀ ବିନୀତ ଭରଦ୍ୱାଜ ଉପସ୍ଥିତ ଥିଲେ । ଜିଲ୍ଲାପାଳ, ଦେଓଗଡ ଶ୍ରୀ କବୀନ୍ଦ୍ର କୁମାର ସାହୁ, ଜିଲ୍ଲାପାଳ , ଖୋର୍ଦ୍ଧା ଶ୍ରୀ ଅମ୍ରିତ ଋତୁରାଜ, ଜିଲ୍ଲାପାଳ, ଗଞ୍ଜାମ ଶ୍ରୀ କୀର୍ତ୍ତୀଭାସନ ଭି. ଜିଲ୍ଲାପାଳ ବାଲେଶ୍ୱର ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜିଲ୍ଲାପାଳ , ମୟୂରଭଞ୍ଜ ଶ୍ରୀ ହେମକାନ୍ତ ସାଏ ପ୍ରମୁଖ ଯୋଗଦେଇ ନିଜ ନିଜ ଜିଲ୍ଲାରେ କିପରି ସୁବିଧାରେ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ କରାଯାଉଛି, ସେ ସଂପର୍କରେ ଉପସ୍ଥାପନ କରିଥିଲେ ।

Leave a Reply

Your email address will not be published. Required fields are marked *