ଶୂନ୍ୟ ମୃତାହତ ପକ୍ଷ ପାଳନ ଉପଲକ୍ଷେ ସଚ଼େତନତା ରାଲି

ରାଜ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ନଭେମ୍ବର ୧୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ଜନିତ ଶୂନ୍ୟ ମୃତାହତ ପକ୍ଷ ପାଳନ କରାଯାଉଛି । ଏହି ଅବସରରେ ଆଜି ସକାଳେ ଢେ଼ଙ୍କାନାଳ ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚ଼ନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ । ପ୍ରତିଟି ଜୀବନ ମୂଲ୍ୟବାନ୍ | ଏଥିପାଇଁ ରାସ୍ତାରେ ଗାଡ଼ି ଚ଼ଳାଇବା ବେଳେ ଆମେ ସମସ୍ତେ ସଚ଼େତନ ହେବା ଅତ୍ୟନ୍ତ ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ । ଗାଡ଼ି ଚ଼ଳାଇବାବେଳେ କାଦାଚ଼ିତ ମୋବାଇଲ ବ୍ୟବହାର ନ କରିବା ସହିତ ଦୃତ ଚାଳନା ଓ ମଦ୍ୟପାନ କରି ଗାଡ଼ି ଚଳାଇବା ଦୁର୍ଘଟଣାର ପ୍ରମୁଖ କାରଣ ହେଉଥିବାରୁ ଏଥିରୁ ସଂପୂର୍ଣ୍ଣ ନିବୃତ ରହିବାକୁ ପରାମର୍ଶ ଦେଇଥିଲେ। ମଦ୍ୟପ ଗାଡି ଚାଳକମାନଙ୍କ ଲାଇସେନ୍ସ ରଦ୍ଧ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୀପ୍ତି ରଂଜନ ସେଠୀ, ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ଶିବାଶିଷ ସାହୁ, ଅତିରିକ୍ତ ଆଂଚ଼ଳିକ ପରିବହନ ଅଧିକାରୀ ଶ୍ରୀ ସିଦ୍ଧାର୍ଥ ଦତ୍ତ, କନିଷ୍ଠ ମୋଟର ଯାନ ନିରୀକ୍ଷକ ସୁନିତା ପଣ୍ଡା, ରକ୍ତଦାତା ଅନୁପ୍ରେରକ ସଂଘର ସଭାପତି ଶ୍ରୀ ବିରଞ୍ଚି ନାରାୟଣ ପାଣି, ସଡ଼କ ସୁରକ୍ଷା କମିଟିର ସଦସ୍ଯ ଶ୍ରୀ ରୁଦ୍ର ନାରାୟଣ ତ୍ରିପାଠୀ, ଶ୍ରୀ ପ୍ରଦ୍ୟୁମ୍ନ ରଥ ପ୍ରମୂଖ ଯୋଗ ଦେଇଥିଲେ । ଶ୍ରୀ ସତ୍ଯ ନାରାୟଣ କର କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ । ଆୟୋଜିତ ରାଲିରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ଥାନୀୟ ମିନି-ଷ୍ଟାଡ଼ିୟମ ଠାରୁ ବାହାରି ସଡ଼କ ସୁରକ୍ଷା ବାର୍ତ୍ତା ବହନ କରି ସହର ପରିକ୍ରମା କରିଥିଲେ।

Leave a Reply

Your email address will not be published. Required fields are marked *