ରାଗୋତ୍ସବ-୨୦୨୫

ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବାର୍ଷିକ ସଙ୍ଗୀତ ମହୋତ୍ସବ ‘“ରାଗୋତ୍ସବ-୨୦୨୫”

ଭୁବନେଶ୍ୱର : ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ପ୍ରୋତ୍ସାହିତ କରୁଥିବା ଆଗଧାଡ଼ିର ସଙ୍ଗଠନ ଭୁବନେଶ୍ୱର ମ୍ୟୁଜିକ
ସର୍କଲ ଦ୍ୱାରା ଆୟୋଜିତ ହେବାକୁ ଥିବା ବାର୍ଷିକ ସଙ୍ଗୀତ ମହୋତ୍ସବ-ରାଗୋତ୍ସବ- ୨୦୨୫ ଚଳିତ ମାସ ୨୬,୨୭ଏବଂ ୨୮ ତାରିଖରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ସନ୍ଧ୍ୟା ୬.୩୦ ଟାରେ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ତେଜିନ୍ଦର ସିଂ ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ବାର୍ଡ ଯାହା ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ବିଶିଷ୍ଟ କଳାକାର ପଦ୍ମଶ୍ରୀ ଡ.ଶ୍ୟାମାମଣୀ ଦେବୀଙ୍କୁ ୨୬ ତାରିଖରେ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ସହରରୁ ଆସୁଥିବା କଳାକାରମାନଙ୍କ ଦ୍ବାରା ପ୍ରତ୍ୟେକ ସନ୍ଧ୍ୟାରେ ୨ଟି ଉପସ୍ଥାପନା ପ୍ରଦର୍ଶିତ ହେବ। ପ୍ରତ୍ୟେକ ଦିନର ସଙ୍ଗୀତ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ରହିଛି। ୧୯୬୩ ମସିହାରେ ପ୍ରତିଷ୍ଠିତ ଭୁବନେଶ୍ଵର ମ୍ୟୁଜିକ ସର୍କଲ, ଭୁବନେଶ୍ଵର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ପ୍ରୋତ୍ସାହିତ କରିଆସୁଛି। ସମ୍ପ୍ରତି ଏହାର ପାଖାପାଖି ୫୦୦ ଜଣ ଆଜୀବନ ସଦସ୍ୟ ରହିଛନ୍ତି। ଭୁବନେଶ୍ଵର ମ୍ୟୁଜିକ ସର୍କଲ ପ୍ରତି ମାସରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାଏ, ସେଥିମଧ୍ୟରୁ ୩ ଦିନିଆ ବାର୍ଷିକ ସଙ୍ଗୀତ ମହୋତ୍ସବ “ରାଗୋତ୍ସବ” ସାଧାରଣତଃ ନଭେମ୍ବର ମାସରେ ଅନୁଷ୍ଠିତ ହୋଇଥାଏ। ଏଥିରେ ହିନ୍ଦୁସ୍ତାନୀ, କର୍ଣାଟିକ ଏବଂ ଓଡ଼ିଶୀ ଧାରାର ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଉପସ୍ଥାପନ କରାଯାଇଥାଏ । ଏକ ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ କ୍ଷୀରୋଦ ପଟ୍ଟନାୟକ, ଉପସଭାପତି ରାଜେନ୍ଦ୍ର ସିଂହ, କୋଷାଧ୍ୟକ୍ଷ ଜିପି ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ।
ରାଗୋତ୍ସବ କାର୍ଯ୍ୟସୂଚୀ
୨୬ ତାରିଖ ସନ୍ଧ୍ୟା ଡଃ ଆଇ ମନ୍‌ମାଧା ରାଓଙ୍କ କର୍ଣାଟିକ୍ ସେକ୍ନୋଫୋନ୍ ରେସିଟାଲ ପରିବେଷଣରୁ ଆରମ୍ଭହେବ। ଏଥିରେ ଡଃ. ମାଭୁଦୁରୁ ସତ୍ୟନାରାୟଣ ଶର୍ମା “ଭାଓଲିନ୍” ଏବଂ ମାଭୁଦୁରୁ ସତ୍ୟନାରାୟଣ ରାଓ ଶର୍ମା “ ମୃଦଙ୍ଗ’”ରେ ସହଯୋଗ କରିବେ। ଡଃ. ଚୈତ୍ରା ଏଚ୍ ଏସ୍‌ଙ୍କ ଦ୍ଵାରା ହିନ୍ଦୁସ୍ତାନୀ ଭୋକାଲ ରେସିଟାଲ ପରିବେଷିତ ହେବ ଏବଂ ଏଥିରେ ଗୋପିନାଥ ଏଚ୍ ଏସ୍ “ ତବଲା” ଏବଂ ଉମାକାନ୍ତ ପୂରାଣିକ ହାରମୋନିୟମ୍‌ରେ ସହଯୋଗ କରିବେ।
୨୭ ତାରିଖ ସଂନ୍ଧ୍ୟାରେ ରୂପକ କୁମାର ପରିଡାଙ୍କ ଦ୍ଵାରା ଓଡ଼ିଶୀ ଭୋକାଲ ଉପସ୍ଥାପନା କରାଯିବ । ଏଥିରେ ରାମଚନ୍ଦ୍ର ବେହେରା “ ମର୍ଦ୍ଦଳ”, ଆକାଶ ନାୟକ ହାରମୋନିୟମ୍ ଏବଂ ଅମିତ କୁମାର ପଣ୍ଡା ତାନପୁରାରେ ସହଯୋଗ କରିବେ। ଏହାପରେ ଡଃ. ଚନ୍ଦ୍ରିମା ରୟଙ୍କ ଦ୍ଵାରା ହିନ୍ଦୁସ୍ତାନୀ ଇନ୍‌ଷ୍ଟ୍ରମେଣ୍ଟାଲ ( ଶରଦ) ରେସିଟାଲ ପରିବେଷଣ କରାଯିବ। ଏଥିରେ ଡଃ. କୂଳମଣୀ ସାହୁ “ତବଲା’” ପରିବେଷଣ କରିବେ।
୨୮ ତାରିଖ ସନ୍ଧ୍ୟାରେ ପଣ୍ଡିତ ରବିଶଙ୍କର ପ୍ରଧାନ ଏବଂ ବୁଦ୍ଧାଦିତ୍ୟ ପ୍ରଧାନଙ୍କ ଦ୍ଵାରା ହିନ୍ଦୁସ୍ତାନୀ ସିତାରର ଯୁଗଳ ଉପସ୍ଥାପନ କରାଯିବ ଏବଂ କୂଳମଣୀ ସାହୁ “ ତବଲା”ରେ ସହଯୋଗ କରିବେ। ଏହାପରେ ଡଃ. ଭିଲିନା ପାତ୍ରଙ୍କ ଦ୍ଵାରା ହିନ୍ଦୁସ୍ତାନୀ ଭୋକାଲ ପରିବେଷଣ କରାଯିବ। ଏଥିରେ କାର୍ଭିକ ସ୍ଵାମୀ ଦହିଫାଲେ‘“ତବଲା”ରେ, ଅଥର୍ବ କୁଲକର୍ଣି ହାରମୋନିୟମ୍‌ରେ ଏବଂ ଶରନ୍ୟା ମିଶ୍ର ତାନପୁରାରେ ସହଯୋଗ କରିବେ।

Leave a Reply

Your email address will not be published. Required fields are marked *