ଲକ୍ଷ୍ମୀ ଓ ଅଲକ୍ଷ୍ମୀ

                 ଲକ୍ଷ୍ମୀ ଓ ଅଲକ୍ଷ୍ମୀ
         ( ରାଗ — କଳହଂସ କେଦାର )

  🔹କବିରତ୍ନ ନୂତନ କୁମାର ବେହେରା

ସୃଷ୍ଟିରେ ହୋଇଥାଏ’ ଯେତେ ଉତ୍ପତ୍ତି’
         ରୂପ ଗୁଣରେ ତାର’ ହୁଏ ପ୍ରକୃତି ଯେ,
ରୂପଠାରୁ ଗୁଣର’ ମହତ୍ତ୍ଵ ବେଶି,
       ପ୍ରତିଭାକୁ ତାହାର’ ଥାଏ ପ୍ରକାଶି ସେ ।
ଶାସ୍ତ୍ରୀୟ ମତ ନେଇ ଲକ୍ଷ୍ମୀ ଅଲକ୍ଷ୍ମୀ,
       ନାମରେ ଦୁଇ ଭଗ୍ନୀ ବିପକ୍ଷ ଧର୍ମୀ ଯେ,
ଗଣନେ ଜ୍ୟେଷ୍ଠା କନ୍ୟା ଅଗ୍ରେ ଜନ୍ମିତା,
      ସିନ୍ଧୁ ମନ୍ଥନୁ ହେଲେ ବରୁଣ ସୁତା ସେ ।
ରୂପେ ହୋଇ ବି କିଛି ସମ ବିଷମ,
         ଗୁଣରେ ଭିନ୍ନ ଭିନ୍ନ ତାଙ୍କ ଧରମ ଯେ,
ଲକ୍ଷ୍ମୀ ଭାଗ୍ୟର ଦେବୀ କରୁଣାମୟୀ,
   ଅଲକ୍ଷ୍ମୀ ଦୁର୍ଭାଗ୍ୟର ଦୁଃଖ ଦାୟିନୀ ଯେ ।
ସଂସାରେ ଦୁଇ ଗୁଣେ ନାରୀ ପୁରୁଷ,
        ଜନମ ହୋଇଥାନ୍ତି ଏଇ ବିଶ୍ଵାସ ଯେ,
ନାରୀଙ୍କୁ ତାଙ୍କ ଗୁଣେ ନିନ୍ଦା ପ୍ରଶଂସା,
      କରନ୍ତି ବହୁ ଲୋକ ଭୁଲି ଭରସା ଯେ ।
ଭଲରେ ଲକ୍ଷ୍ମୀ ମନ୍ଦେ ହୁଏ ଅଲକ୍ଷ୍ମୀ,
       କରମ ନେଇ ଫଳ ଲଭଇ କର୍ମୀ ଯେ,
ଧନ ସମ୍ପତ୍ତି ଜ୍ଞାନ ଶ୍ରମରେ ଲବ୍ଧ,
      ସତ୍ କର୍ମେ ପ୍ରାପତଃ ହୁଅଇ ସିଦ୍ଧ ଯେ ।
ପୁରୁଷ ହେଲେ ଧନୀ ସେ ଲକ୍ଷ୍ମୀବନ୍ତ,
        କୁହନ୍ତି ମତାମତେ ଦେଇ ସିଦ୍ଧାନ୍ତ ଯେ,
ରହିଲେ ଦୁଃଖୀ ରଙ୍କି ସେ ଲକ୍ଷ୍ମୀଛଡ଼ା,
    ଏମନ୍ତେ ବ୍ୟାଖ୍ୟା କରି ହୁଏ ଝଗଡ଼ା ଯେ ।
ଏକ ଲକ୍ଷ୍ୟ ହିଁ ଲକ୍ଷ୍ମୀ ଦିଅନ୍ତି ବୁଦ୍ଧି,
      ପ୍ରୟୋଗ କଲେ ବଢ଼େ ସୁଖ ସମୃଦ୍ଧି ଯେ,
ଅଲକ୍ଷ୍ୟରେ ଅଲକ୍ଷ୍ମୀ ଆସେ ଦୁର୍ଦ୍ଦଶା,
      ବିବ୍ରତେ ବିଚଳିତ ଫୁଟେନା ଭାଷା ଯେ ।
ସମୟ କ୍ରମେ ଚାଲେ ପ୍ରାରବ୍ଧ ନେଇ,
          ସତ୍ୟ ସାଧନା କରି ଦକ୍ଷ ହୁଅଇ ଯେ,
ସଂପୂର୍ଣ୍ଣ ରୂପେ କେହି ନୁହେଁ ଅଯୋଗ୍ୟ,
    କର୍ମ ନେଇ ମଣିଷ ପାଏ ତା’ ଭାଗ୍ୟ ଯେ ।
ଲକ୍ଷ୍ମୀ ଅଲକ୍ଷ୍ମୀ କହି କଲେ ବିଦ୍ରୂପ,
         ଆଘାତ ପାଏ ଯିଏ କରେ ବିଳାପ ଯେ,
କେ ଜାଣେ ନିୟତି କି ଦେଇଛି ଲେଖି,
      ତାର ଖଣ୍ଡନେ ରହି ହୁଅଇ ଦୁଃଖୀ ସେ ।
ଆଜିର ଭାଗ୍ୟ ଦିନେ ବଦଳି ଯିବ,
         ଫକୀରରୁ ରାଜନ ସିଏ ହୋଇବ ଯେ,
ଅଦୃଷ୍ଟର ଏ ଖେଳ ବୁଝି ହୁଏନା,
  ତେବେ କାହାକୁ କାହିଁ ଦେବା ଗଞ୍ଜଣା ଯେ ?
ନାରୀ ଜନନୀ ରୂପେ ଧରାରେ ଉଭା,
      ସେବା ଯତନ କରି ବଢ଼ାଏ ଶୋଭା ସେ,
ଅଲକ୍ଷ୍ମୀ କହି କଲେ କୁତ୍ସା ରଟନା,
      ସଂପର୍କ ତୁଟିଯାଏ ମାନ ରହେନା ଯେ ।
ଲକ୍ଷ୍ମୀ ଅଲକ୍ଷ୍ମୀ ଦୁଇ ଦୈବୀ ଶକତି,
        ବିପକ୍ଷ ହେଲେ ମଧ୍ୟ ରଖନ୍ତି ସ୍ଥିତି ଯେ,
ଅନୁକୂଳ ନିଅଇ ପ୍ରଗତି ପଥେ,
      ପ୍ରତିକୂଳ ସୁଧାରେ ରହିଣ ସାଥେ ଯେ ।
ମହତ ବିଚାରିବା ପବିତ୍ର ମନେ,
      ଶୁଭ ଚିନ୍ତିବା ସର୍ବେ ଏଇ ଜୀବନେ ଯେ,
ଏକତାର ସଂପର୍କ ରଖି ଅମ୍ଳାନ,
      ମାନବ କଲ୍ୟାଣରେ ରଖିବା ଧ୍ୟାନ ଯେ ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *