ଆଇଏଫଏଫଆଇ ଗୋଆରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ମାଳିପୁଟ ମେଲୋଡ଼ିଜ୍‌

ଆଇଏଫଏଫଆଇ ଗୋଆରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ମାଳିପୁଟ ମେଲୋଡ଼ିଜ୍‌ l କୋରାପୁଟ ଅଞ୍ଚଳର ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଚଳଚ୍ଚିତ୍ରସ୍ଥାନୀୟ ଲୋକଙ୍କ ଜୀବନ ଓ ସଂଘର୍ଷକୁ ଦର୍ଶାଇବାକୁ ପ୍ରୟାସ କରିଛନ୍ତି ନିର୍ଦ୍ଦେଶକ ବିଶାଲ ପଟ୍ଟନାୟକପାଣାଜୀ, 22 ନଭେମ୍ବର:ଗୋଆରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ଆଜି ଓଡ଼ିଆ ଚଳଚ୍ଚିତ୍ର ‘ମାଳିପୁଟ ମେଲୋଡ଼ିଜ୍‌’ ପ୍ରଦର୍ଶିତ ହୋଇଛି । ମୌଳିକ ଓଡ଼ିଆ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ଚାରିଟି ହୃଦୟସ୍ପର୍ଶୀ କାହାଣୀର ସଂକଳନ ସ୍ଥାନ ପାଇଛି । କୋରାପୁଟର ସରଳ ଓ ନିରୀହ ଲୋକଙ୍କ ଜୀବନ କାହାଣୀ ଓ ସଂଘର୍ଷକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ବିଶାଲ ପଟ୍ଟନାୟକ ଏବଂ କୌଶିକ ଦାସ ପ୍ରଯୋଜନା ଦାୟିତ୍ୱ ସମ୍ପାଦନ କରିଛନ୍ତି। ଚଳଚ୍ଚିତ୍ରର ପ୍ରଥମ କାହାଣୀ ‘କାନଫୁଲ’ରେ ଖେଳନା ଓ ବଇଁଶୀ ବିକୁଥିବା ଦୁଇ ବନ୍ଧୁଙ୍କ ଜୀବନ ପ୍ରଦର୍ଶିତ ହୋଇଛି । ଝିଅ ପାଇଁ କାନଫୁଲ କିଣିବାକୁ ଆଶା ନେଇ ଖେଳନା ଓ ବଇଁଶୀ ବିକିବାକୁ ଚାହୁଁଥିବା ଏହି ଦୁଇ ବନ୍ଧୁଙ୍କ ସ୍ୱପ୍ନ ସେତିକି ବେଳେ ଧୂଳିସାତ୍‌ ହୋଇଯାଉଛି ଯେତେବେଳେ କୋଭିଡ୍‌ ମହାମାରୀ କାରଣରୁ ସେହି ବର୍ଷର ରଥଯାତ୍ରା ଉତ୍ସବ ବାତିଲ୍‌ ହୋଇଯାଉଛି। ଦ୍ୱିତୀୟ କାହାଣୀ ହେଉଛି ‘ରଙ୍ଗମାଟି’। ଏଥିରେ ସାନ ଏବଂ ବଡ଼, ଦୁଇ ଭାଇଙ୍କ ସଂଘର୍ଷ କାହାଣୀ ପ୍ରଦର୍ଶିତ ହୋଇଛି । ସାନ ପୁଅ ପରିବାର ଚଳାଉଥିବା ବେଳେ ବଡ଼ ବାଙ୍ଗାଲୋର ଯିବାକୁ ସ୍ୱପ୍ନ ଦେଖୁଛି, କିନ୍ତୁ ଗାଁକୁ ଫେରିଥିବା ଜଣେ ଗ୍ରାମବାସୀ ତା’କୁ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ପରାମର୍ଶ ଦେଉଛି।ତୃତୀୟ କାହାଣୀ ‘ବାଇଦକାରିଆ’ରେ ପାରମ୍ପରିକ ବାଦ୍ୟ ପରିବେଷଣ ପାଇଁ ଦଶହରା ପୂଜାକୁ ଅପେକ୍ଷାର ଚିତ୍ର ବର୍ଣ୍ଣିତ ହୋଇଛି। କାହାଣୀ ଗତିଶୀଳ ହେବା ସହିତ ଅପ୍ରତ୍ୟାଶିତ ସତ୍ୟ ଏବଂ ବର୍ଦ୍ଧିତ ଉତ୍ତେଜନା ଘଟଣାର ମୋଡ଼ ବଦଳାଇ ଦେଉଛି। ଚତୁର୍ଥ କାହାଣୀ ‘ବିଭାଘର’ରେ ବାହାଘର ପାଇଁ ପ୍ରସ୍ତୁତ ହେଉଥିବା ଏକ ମଧ୍ୟବିତ୍ତ ପରିବାର ସଂଘର୍ଷ ବର୍ଣ୍ଣିତ ହୋଇଛି। ଏସବୁ କାହାଣୀରେ ଗ୍ରାମୀଣ ଓଡ଼ିଶାର ଆଶା, ସଂଘର୍ଷ ଏବଂ ଦୃଢ଼ତା ବର୍ଣ୍ଣିତ ହୋଇଛି। ନିର୍ଦ୍ଦେଶକ ଏହି ଚଳଚ୍ଚିତ୍ର ଜରିଆରେ ଗ୍ରାମୀଣ ସମ୍ପ୍ରଦାୟ, ସେମାନଙ୍କର ସ୍ୱପ୍ନ ଏବଂ ମଣିଷର ଦୃଢ଼ ମନୋବଳକୁ ଅତି ନିଚ୍ଛକ ଭାବେ ଉପସ୍ଥାପନ କରିବାର ପ୍ରୟାସ କରିଛନ୍ତି ।‘ମାଳିପୁଟ୍‌ ମେଲୋଡ଼ିଜ୍‌’ ଚଳଚ୍ଚିତ୍ରର ନିର୍ଦ୍ଦେଶକ କୋରାପୁଟ ଜୟପୁରର ବାସିନ୍ଦା ବିଶାଲ ପଟ୍ଟନାୟକ ବୃତ୍ତିରେ ଜଣେ କଳା ଶିକ୍ଷକ। ଆଜି ଆଇଏଫଏଫଆଇ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ଚଳଚ୍ଚିତ୍ରକୁ ନେଇ ତାଙ୍କର ଅଭିଜ୍ଞତା ବିଷୟରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏ ଚଳଚ୍ଚିତ୍ର ନିର୍ମାଣ କରିବା ତାଙ୍କ ପାଇଁ ଏକ ନିଆରା ଅନୁଭୂତି ଥିଲା। ସେ ନିଜ ଅଞ୍ଚଳର ଲୋକଙ୍କର ଦୈନନ୍ଦିନ ଜୀବନ ଓ ସଂଘର୍ଷକୁ ନେଇ ଚଳଚ୍ଚିତ୍ର ନିର୍ମାଣ ପାଇଁ ଆଗ୍ରହୀ ଥିଲେ। ‘ମାଳିପୁଟ ମେଲୋଡ଼ିଜ୍‌’ ଜରିଆରେ ସେ ଏ ଦିଗରେ ଏକ ସଚ୍ଚୋଟ ପ୍ରୟାସ କରିଛନ୍ତି। ପ୍ରଯୋଜକ କୌଶିକ ଦାସ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଚଳଚ୍ଚିତ୍ରର ଟ୍ରେଲର ପ୍ରଦର୍ଶିତ ହୋଇଛି । ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ ଏହି ସାମ୍ବାଦିକ ସମ୍ମିଳନୀକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *