ଭିଜିଲାନ୍ସ ଜାଲରେ ନିମାପଡ଼ା ପୌର ପରିଷଦ ଅମିନ ବିଜୟ ଗ୍ରହାଚାର୍ଯ୍ୟ

ଭିଜିଲାନ୍ସ ଜାଲରେ ନିମାପଡ଼ା ପୌର ପରିଷଦ ଅମିନ ବିଜୟ ଗ୍ରହାଚାର୍ଯ୍ୟ

ନିମାପଡ଼ା ( ତୀର୍ଥକ୍ଷେତ୍ର ) ପୁରୀଜିଲ୍ଲା ନିମାପଡ଼ା ଏନ୍ଏସିର ଅମିନ ବିଜୟ ଗ୍ରହାଚାର୍ଯ୍ୟ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସୂଚନା ଅନୁଯାୟୀ ଗଡତୋରିହଁ ଅଞ୍ଚଳ ନିବାସୀ ରଘୁନାଥ ଦାଶ ନାମକ ବ୍ୟକ୍ତିଙ୍କ ଠାରୁ ନୂତନ ଗୃହ ନିମନ୍ତେ ଡିଜାଇନ୍ ଓ ପ୍ଲାନ୍ ଆପ୍ରୁଭ ନିମନ୍ତେ ୧୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଜଣାପଡିଛି।

ରଘୁନାଥ ଦୀର୍ଘଦିନ ହେବ ଭୁବନିପୁର ସ୍ଥିତ କଲେଜ ରୋଡରେ ନୂତନ ଘର ନିର୍ମାଣ ନିମନ୍ତେ ଡିଜାଇନ୍ ଓ ପ୍ଲାନ୍ ଆପ୍ରୁଭ ପାଇଁ ସମସ୍ତ କାଗଜ ପତ୍ର ଦାଖଲ କରିଥିଲେ ମଧ୍ୟ ତାଙ୍କୁ ଆପ୍ରୁଭ ମିଳିନଥିଲା। ଉକ୍ତ ପ୍ଲାନ ଆପ୍ରୁଭାଲ ପାଇଁ ବିଜୟ ତାଙ୍କୁ ମୋଟା ଅଙ୍କର ଅର୍ଥ ଦାବିକରି ଆସୁଥିଲେ। ଦୁଇଟି ପର୍ଯ୍ୟାୟରେ ବିଜୟ ରଘୁନାଥଙ୍କ ଠାରୁ ୩ହଜାର ଏବଂ ୧୦ହଜାର ଟଙ୍କା ନେଇ ସାରିଥିବା ବେଳେ ଆଜି ୧୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଦ୍ୱାରା ଧରା ପଡିଛନ୍ତି। ଭୁବନେଶ୍ୱର ଭିଜିଲାନ୍ସର ୮ଜଣିଆ ଟିମ୍ ତାଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଏକ ଟିମ୍ ବିଜୟଙ୍କ ଅଫିସ ସମେତ ନିମାପଡ଼ାସ୍ଥିତ ବାସଭବନରେ ଚଢ଼ାଉ କରିଥିଲେ। ଏ ସମ୍ବନ୍ଧରେ ଏନଏସି ନିର୍ବାହୀ ଅଧିକାରୀ ଚିନ୍ମୟ ଦାସ କିଛି ଜାଣିନାହାନ୍ତି ବୋଲି ସୂଚନା ଦେଇଛନ୍ତି। ବିଜୟ ଗ୍ରହାଚାର୍ଯ୍ୟଙ୍କ ବିରୁଦ୍ଧରେ ଭିଜିଲାନ୍ସ ପିଏସ କେସ ନଂ ୨୬/୨୦୨୫ ରେ ମାମଲା ରୁଜୁ କରିଥିବା ଜଣାପଡିଛି।ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରୀ ରହିଛି।

Leave a Reply

Your email address will not be published. Required fields are marked *