ବିଭାଗୀୟ ନିର୍ଦ୍ଦେଶକୁ ଵେଖାତିର
*ବିଭାଗୀୟ ନିର୍ଦ୍ଦେଶକୁ ଵେଖାତିର *ଶିକ୍ଷୟିତ୍ରୀ ନିଲମ୍ବିତ
କୋଣାର୍କ, ୩୦/୧୧
ଗୋପ ଶିକ୍ଷା ମଣ୍ଡଳ ତଥା କୋଣାର୍କ ଏନ୍ଏସିର ୫ନମ୍ଵର ୱାର୍ଡ ଅନ୍ତର୍ଗତ ଡାଳିମ୍ଵଗୋରଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ନେହମୟୀ ସ୍ୱାଇଁ ବିଭାଗୀୟ ନିର୍ଦ୍ଦେଶକୁ ଅବମାନନା କରିଵାରୁ ତାଙ୍କୁ ନିଲମ୍ବନ କରାଯାଇଥିଵା ଗୋପ ବିଇଓ ପ୍ରମୋଦ କୁମାର କର ସୂଚନା ଦେଇଛନ୍ତି। ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ୱାଇଁ ଗତ ୨୦୨୪ ମସିହା ଅକ୍ଟୋଵର ୨୯ ତାରିଖରେ ଡାଳିମ୍ଵଗୋରଡା ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ସେ ପ୍ରଧାନଶିକ୍ଷକ ଦାୟିତ୍ୱ ନେବା ପରଠାରୁ ଛାତ୍ରଛାତ୍ରୀମାନଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦେଵା, ଅଧିକ ଉପସ୍ଥାନ ଦର୍ଶାଇ ମଧ୍ୟାହ୍ନ ଭୋଜନ ସାମଗ୍ରୀ ହଡ଼ପ କରିବା, ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କୁ ଗୁରୁତ୍ୱ ନଦେବା, ଅନୁସୂଚୀତ ଜାତିର ପାଚିକାଙ୍କୁ ଜାତିଆଣ ଆକ୍ଷେପ କରି ବେଆଇନ୍ ଭାବେ ଅନ୍ୟ ଜଣେ ସଵର୍ଣ୍ଣ ବର୍ଗର ପାଚିକାଙ୍କୁ ନିଯୁକ୍ତି ଦେବା, ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀର ରାଜନୈତିକ ବ୍ୟକ୍ତିବିଶେଷଙ୍କ ନିର୍ଦ୍ଦେଶରେ ପରିଚାଳିତ ହୋଇ ସରକାରୀ ଅନୁଦାନ ହଡ଼ପ କରିବା ଆଦି ଅଭିଯୋଗ ଅଭିଭାବକମାନେ ପୁରୀ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବାରମ୍ବାର କରି ଆସୁଥିଲେ। ଏହି ଅଭିଯୋଗ ଆଧାରରେ ଗତ ମାର୍ଚ୍ଚ ୧୮ତାରିଖ ଓ ଅଗଷ୍ଟ ୭ ତାରିଖରେ ଦୁଇଟି ପର୍ଯ୍ୟାୟରେ ଗୋପ ବିଇଓଙ୍କ ପକ୍ଷରୁ ପୃଥକ୍ ପୃଥକ୍ ଭାବେ ଦୁଇଜଣିଆ ତଦନ୍ତ କମିଟି ମାଧ୍ୟମରେ ତଦନ୍ତ କରାଯାଇଥିଲା। ଅଭିଯୋଗର ସତ୍ୟତାକୁ ଭିତ୍ତିକରି ଗୋପ ବିଇଓ ସ୍ନେହମୟୀଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଙ୍ଗ କରିବା ସହିତ କୈଫିୟତ ତଲବ କରିଥିଲେ। ସ୍ନେହମୟୀ ଏହାର କୌଣସି ଜବାବ ନଦେଇ ଗୋପ ଵିଇଓ ଏବଂ ପୁରୀ ଡିଇଓଙ୍କ ଉପରେ ରାଜନୈତିକ ଚାପ ପକାଇଥିଲେ। ଗତ ସେପ୍ଟେମ୍ବର ୮ ତାରିଖରେ ସ୍ନେହମୟୀଙ୍କୁ ଚନ୍ଦ୍ରଭାଗା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ଵଦଳି କରାଯାଇଥିଲା। ସ୍ନେହମୟୀ ବିଭାଗୀୟ ନିର୍ଦ୍ଦେଶକୁ ଅବମାନନା କରି ଛୁଟିରେ ରହିବା ସହିତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ତାଙ୍କ ଅପିଲକୁ ଗତ ଅକ୍ଟୋବର ୧୦ ତାରିଖରେ ଖାରଜ କରି ଦେଇଥିଲେ। ଏହାପରେ ଦୀର୍ଘ ୪୫ ଦିନ ବିତିଯାଇଥିଲେ ମଧ୍ୟ ସ୍ନେହମୟୀ ଉପରିସ୍ଥ ଅଧିକାରୀଙ୍କୁ କୌଣସି କୈଫିୟତ ଦେଇନଥିଲେ କିମ୍ଵା ଚନ୍ଦ୍ରଭାଗା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରେ ଯୋଗ ଦେଇନଥିଲେ। ବିଭାଗୀୟ ନିର୍ଦ୍ଦେଶକୁ ଅବମାନନା କରି ସେ ଦୀର୍ଘଦିନଧରି ଛୁଟିରେ ରହିଵା ସହିତ ଏଯାବତ୍ ଡାଳିମ୍ବଗୋରଡିରେ କାର୍ଯ୍ୟରତ ଏକମାତ୍ର ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟର ଦାୟିତ୍ଵ ହସ୍ତାନ୍ତର କରିନାହାନ୍ତି। ଫଳରେ ବିଦ୍ୟାଳୟକୁ ଆସିଥିବା ସରକାରୀ ଅନୁଦାନ ଖର୍ଚ୍ଚ ହୋଇପାରି ନାହିଁ। ଚଳିତବର୍ଷ ପିଲାମାନେ ପୋଷାକ ଯୋଗାଣରୁ ବଞ୍ଚିତ ହୋଇଛନ୍ତି। ପୁରୀ ଡିଇଓଙ୍କ ନିର୍ଦ୍ଦେଶକ୍ରମେ ଗତ ୨୫ ତାରିଖରେ ଗୋପ ବିଇଓ ସ୍ନେହମୟୀଙ୍କୁ ନିଲମ୍ବନ କରିଛନ୍ତି। ଜଣେ ଶିକ୍ଷୟିତ୍ରୀ ଭାବରେ ସ୍ନେହମୟୀଙ୍କ ବେଆଇନ କାର୍ଯ୍ୟକଳାପ ସୀମା ଟପିଥିଵା ସ୍କୁଲ ପରିଚାଳନା କମିଟି ସଦସ୍ୟ ତଥା ୫ ନମ୍ବର ୱାର୍ଡର କାଉନସିଲର ନିହାର ରଞ୍ଜନ ଵେଉରା ପ୍ରକାଶ କରିଛନ୍ତି।
