ମାଣବସାର ମହତ୍ତ୍ୱ

ଶୀର୍ଷକ _ମାଣବସାର ମହତ୍ତ୍ୱ


ରୀତାରାଣୀ ଦାଶ
ବାଲେଶ୍ୱର

ପ୍ରତି ଓଡ଼ିଆଙ୍କ ନିଆରା ପରବ
ସଂସ୍କାର ସଂସ୍କୃତି ପରମ୍ପରାରେ
ଲକ୍ଷ୍ମୀ ଠାକୁରାଣୀ ପୂଜିତ ହୁଅନ୍ତି
ଶ୍ରେଷ୍ଠ ମାର୍ଗଶୀର ଗୁରୁବାରରେ |
ଗୁରୁବାର ମଧ୍ୟେ ସର୍ବୋତ୍ତମ ଅଟେ
ମାଣବସା ଗୁରୁବାର ସବୁରି
ଉତ୍କଳ ସଂସ୍କୃତି ବାର୍ତ୍ତା ପ୍ରଦାନଇ
ପରମ୍ପରା ଆମ ଆଧାର କରି |
ବୁଧବାର ଦିନ ଗୋମୟରେ ଲିପା
ପୋଛା ହୁଏ ସବୁ ଘରଦୁଆର
ଅରୁଆ ଚାଉଳ ପିଠଉ ବାଟିଣ
ଝୋଟି ଅଙ୍କଯାଏ କେତେ ସୁନ୍ଦର |
ବ୍ରାହ୍ମ ମୁହୂର୍ତ୍ତରୁ ସାରି ନିତ୍ୟକର୍ମ
ପ୍ରବେଶ ଦ୍ୱାରରେ ବସେ କଳସ
ଆବାହନ କରି ହୁଳହୁଳି ଦେଇ
ଭକ୍ତିରେ ଡାକନ୍ତି ମା ଲକ୍ଷ୍ମୀ ଆସ |
ଚିତ୍ର ବିଚିତ୍ର ଯେ ମାଣକୁ କରାଇ
ତା ଉପରେ ଥୁଆ ଶୁକଳ ଧାନ
କ୍ଷୀରି, ପିଠା, ଅନ୍ନ, ମଣ୍ଡାପିଠା ଲାଗେ
ପୂଜା ଆରତୀରେ ନାନା ବ୍ୟଞ୍ଜନ |
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଯେ
ସମ ଭାବାପର୍ଣ୍ଣ ନାରୀ ପୁରୁଷେ
ଭାବ ଭକ୍ତି ଚିତ୍ତେ ଅତିଥି ସଂସ୍କାର
ନାରୀ ସ୍ୱାଭିମାନ ହୃଦୟସ୍ପର୍ଶେ |
ସାଗର ଦୁଲଣୀ ଜଗତ ଜନନୀ
ଶାପର ଶିକାର ଯେ ବେନି ଭାଇ
ଅଭିମାନିନୀ ଙ୍କ ଜିତାପଟ ହୁଏ
ଅନ୍ନ ଭୁଞ୍ଜିଲେ ସେ ଲକ୍ଷ୍ମୀଙ୍କ ଠାଇଁ |
ନାରୀବିନା ଜଣେ ପୁରୁଷର ସ୍ଥିତି
ବର୍ଣ୍ଣିତ ହୋଇଛି ଲକ୍ଷ୍ମୀପୁରାଣେ
ନାରୀ ସ୍ୱାଭିମାନ ନାରୀ ଅଧିକାର
ଜ୍ୱଳନ୍ତ ପାଲଟେ ମହତ ଗୁଣେ |
ମାଟି ପିତୁଳାକୁ ମହାଲକ୍ଷ୍ମୀ ରୂପେ
ପୂଜା କରୁଛନ୍ତି କେତେ ଯତନେ
ନିଜ ଘର ଲକ୍ଷ୍ମୀ ଲାଂଛିତା, ପୀଡିତା
ଧ୍ୟାନ କେହି କେବେ ନ ଦିଏ ଦିନେ |

Leave a Reply

Your email address will not be published. Required fields are marked *