ସମ୍ପର୍କ କଦାପି ହୁଏନା ସର୍ତ୍ତରେ
ସମ୍ପର୍କ କଦାପି ହୁଏନା ସର୍ତ୍ତରେ
🔹କବିରତ୍ନ ନୂତନ କୁମାର ବେହେରା
ସମ୍ପର୍କ କଦାପି ହୁଏନା ସର୍ତ୍ତରେ
ହୋଇଗଲା ପରେ ପରେ
ପରସ୍ପର ଚାହାଁନ୍ତି ରହୁ ଅତୁଟ
ଘନିଷ୍ଠ ଆତ୍ମୀୟତାରେ ହେଉ ନିବିଡ଼
ମନକୁ ଚୁଇଁଲା ପରି ସୌଜନ୍ୟମୂଳକ
କରନ୍ତି ଉତ୍ତମ ଭାବ ବିନିମୟ
ସେତେବେଳେ ଲାଗେ ଏ ସମ୍ପର୍କ
ଦୈବ ସଂଯୋଗରୁ ହୋଇଛି ସମ୍ଭବ
ପରିଣାମରେ ହୁଏ ମଧୁମୟ
ବ୍ୟକ୍ତି ବିଶେଷଙ୍କ ରୁଚି ନୀତି ନେଇ
ମନ ବୁଝିଗଲେ ଗଢ଼ାହୁଏ ସମ୍ପର୍କ
ଇଚ୍ଛା ମାତ୍ରେ କେହି କାହା ସହିତ
କରି ପାରେନା ସମ୍ପର୍କ ସ୍ଥାପନ
ଭାବ ଭାବନା ଆବଶ୍ୟକତାକୁ ନେଇ
ବିଭିନ୍ନ ପରିବେଶ ପରିସ୍ଥିତିରେ
ହୃଦୟ ହୃଦୟକୁ ନେଇଥାଏ ଆକର୍ଷି
ଆକର୍ଷଣରୁ ଅନୁଭବ ହେଲେ ତା’ ସ୍ଵତନ୍ତ୍ର
ଆତ୍ମା ଆତ୍ମର ମିଳନ ହୁଏ ଅଦୃଶ୍ୟରେ
ଉଭୟେ ଉଭୟଙ୍କର ହୁଅନ୍ତି ନିଜର
ଜଣକ ବିନା ଅନ୍ୟର ସ୍ବପ୍ନ ରହେ ଅଧୁରା
ଏକ କାୟା ଛାୟା ପରି ସମ୍ପର୍କ
ଶାଶ୍ଵତ ପ୍ରେମରେ ହୁଏ ରୂପାନ୍ତର
ପବିତ୍ର ନିଷ୍କଳଙ୍କ ରହେ ନିରନ୍ତର
ସୂର୍ଯ୍ୟଙ୍କ ଆଲୋକ ରଶ୍ମି ଭଳି
ଜୀବନର ପଥକୁ କରିଦିଏ ସୁଗମ
ସାତ୍ତ୍ୱିକ ଶାନ୍ତି ଦେଇ ଯୋଗାଏ ଇନ୍ଧନ
ସେତେବେଳେ ଅନୁଭବ ହୁଏ
ସମ୍ପର୍କ କଦାପି ହୁଏନା ସର୍ତ୍ତରେ
ନିସର୍ତ୍ତ ସମ୍ପର୍କ ହୋଇଥାଏ ସ୍ୱର୍ଗୀୟ
ଆଶା ଆସକ୍ତିରେ ଗଢ଼ିଲେ ସମ୍ପର୍କ
ରହେ ତା’ ସାମୟିକ ହୁଏ କ୍ଷଣଭଙ୍ଗୁର
ପରସ୍ପରଙ୍କ ମଧ୍ୟରେ ଦେଖାଦିଏ ଅନ୍ତରାୟ
ମାଡ଼ି ଆସେ ଶଙ୍କା ସନ୍ଦେହର କୁହୁଡ଼ି
ଘୋଟିଯାଏ ଅବିଶ୍ଵାସର ଅନ୍ଧକାର
ଏ ସମ୍ପର୍କ ହେବା ଠାରୁ ନ ହେବା ଭଲ
ଲାଗି ରହେ ମନରେ ଅନ୍ତର୍ଦ୍ଵନ୍ଦ୍ଵ
କ୍ରମଶଃ ଜୀବନ ହୁଅଇ ଦୁର୍ବିଷହ
ବାସ୍ତବ କ୍ଷେତ୍ରରେ ହୁଏ ଯା’ ସାର୍ଥକ
ସେଇ ସମ୍ପର୍କ ଚିରନ୍ତନ ରହେ ଅମ୍ଳାନ
ଯା’ର ସତ ସିଦ୍ଧ ପ୍ରମାଣ ଦିଏ
ସମ୍ପର୍କ କଦାପି ହୁଏନା ସର୍ତ୍ତରେ ।
