ଆଜିଠୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ, ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ କରିବେ ଆଲୋଚନା

ନୂଆଦିଲ୍ଲୀ : ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଆସନ୍ତା ସୋମବାରଠୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କର ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଫୁମିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭାରତ-ଜାପାନ ଶିଖର ସମ୍ମିଳନୀରେ ସାମିଲ୍ ହେବାକୁ ଯାଉଛନ୍ତି । ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସହ ଜଡିତ ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରିବେ ।

ଭାରତ-ଜାପାନ କୂଟନୈତିକ ସମ୍ପର୍କ ଚଳିତ ବର୍ଷ ଏକ ନୂତନ ଶୀର୍ଷତାରେ ପହଞ୍ଚିବାକୁ ଯାଉଛି । ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଭାରତ ଗସ୍ତକୁ ନେଇ ଏହି ଚର୍ଚ୍ଚା ହୋଇଛି। ମାର୍ଚ୍ଚ ୨୦ ସକାଳ ୮.୦୫ରେ ଫୁମିଓ କିଶିଦା ଭାରତ ମାଟିରେ ଅବତରଣ କରିବେ । ଏହା ପରେ ସେ ସକାଳ ୧୦.୪୫ ରେ ଦିଲ୍ଲୀରୁ ରାଜଘାଟ ଅଭିମୁଖେ ବାହାରିବେ ଏବଂ ସେଠାରେ ମାହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହାର କିଛି ସମୟ ପରେ, ସକାଳ ପ୍ରାୟ ୧୧.୧୫ ସମୟରେ ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ । ଅପରାହ୍ନ ୧୨.୪୦ ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ସେ ନିଜେ ହାଇଦ୍ରାବାଦ ହାଉସରେ ପ୍ରେସ ସାମ୍ନାରେ ନିଜର କଥା ରଖିବେ ।

ଏହାପରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଅପରାହ୍ନ ୨.୧୫ରେ ସୁଷମା ସ୍ବରାଜ ଭବନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥି ସହିତ ସେହି ଦିନ ଅନ୍ୟକାର୍ଯ୍ୟକ୍ରମରେ ଯୋଗେବେ ଏବଂ ପରଦିନ ଅର୍ଥାତ ମାର୍ଚ୍ଚ ୨୧ ରେ ଜାପାନ ଫେରିଯିବେ। ଗୋଟିଏ ପଟେ ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଅର୍ଥନୌତିକ ଗୋଷ୍ଠୀ ଜି୨୦ର ଅଧ୍ୟକ୍ଷତା କରୁଥିବାବେଳେ ଅନ୍ୟପଟେ ଜାପାନ ବିଶ୍ୱର ସବୁଠାରୁ ବିକଶିତ ଦେଶର ଜି୭ ଗୋଷ୍ଠୀରେ ଅଧ୍ୟକ୍ଷତା କରୁଛି। ବିଶ୍ୱସ୍ତରୀୟ ଦୃଷ୍ଟିକୋଣରୁ ଉଭୟ ଦେଶ ପାଇଁ ଏହି ଗୋଷ୍ଠୀର ଅଧ୍ୟକ୍ଷତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Leave a Reply

Your email address will not be published. Required fields are marked *