କ୍ଷୁଦ୍ରଗଳ୍ପ – ଜୀବନର ପଥେ
ଡ. ପ୍ରେମାନନ୍ଦ ବେହେରା

ଗାଁର ଶେଷ ସୀମାରେ ଥିବା ଏକ ଛୋଟ ଘରେ ଜନ୍ମ ନେଇଥିଲା ଜୀବନ। ଘରଟି ମାଟିର, ଛାତ ଘାସର, କିନ୍ତୁ ସେଠାରେ ଥିଲା ଅସୀମ ସ୍ନେହ ଓ ସଂଘର୍ଷ। ତାଙ୍କ ପିତା ଦିନ ମଜୁରିଆ, ମାଆ ଗୃହିଣୀ । କିନ୍ତୁ ଦୁହେଁ ଜୀବନକୁ ନେଇ ଅନେକ ସ୍ୱପ୍ନ ଦେଖୁଥିଲେ ।
ଜୀବନ ଛୋଟବେଳୁ ପଢ଼ାରେ ଭଲ ଥିଲା। କିନ୍ତୁ ଦୁର୍ଦ୍ଦଶା ତାଙ୍କ ଛାୟା ପରି ସାଙ୍ଗରେ ଚାଲୁଥିଲା । ଅନେକ ଦିନ ସେ ଖାଲି ପେଟରେ ବିଦ୍ୟାଳୟକୁ ଯାଉଥିଲା । ତଥାପି ତା’ ଆଖିରେ ଥିଲା ଅଦମ୍ୟ ଆତ୍ମବିଶ୍ୱାସ ।
ଗାଁରେ ଅନେକେ କହୁଥିଲେ…
“ଏମିତି ଗରିବ ଘରର ଛୁଆ କଣ କରିବ ?”
କିନ୍ତୁ ତା’ ମାଆ ହସି କହୁଥିଲେ..
“ଗଛର ମୂଳ ଯେତେ ଗଭୀର, ତାର ଛାୟା ସେତେ ବଡ଼।”
ଦଶମ ଶ୍ରେଣୀ ପରେ ପରେ ଘରର ଅବସ୍ଥା ଅଧିକ କଷ୍ଟଦାୟକ ହେଲା । ପିତା ଅସୁସ୍ଥ ହେଲେ। ଜୀବନର ଆଗରେ ଦୁଇଟି ପଥ-
ପଢ଼ା ଛାଡ଼ି କାମ କରିବ, କିମ୍ବା ସମସ୍ତ ବିପଦକୁ ଅଟକାଇ ଆଗକୁ ବଢ଼ିବ ।
ସେ ଦ୍ୱିତୀୟ ପଥଟି ବାଛିଲା।
ଦିନରେ ଛୋଟମୋଟ କାମ, ରାତିରେ ଡିବିରି ଆଲୋକରେ ପଢ଼ା । ଅନେକ ରାତି ସେ ଆକାଶକୁ ଦେଖି ପଚାରୁଥିଲା—
“ମୋ ପାଇଁ କିଛି ଆଲୋକ ଅଛି ନା କେବଳ ଅନ୍ଧକାର ?”
ଆକାଶ ଚୁପ୍ ଥାଏ, କିନ୍ତୁ ତା’ ଅନ୍ତର ଭିତରୁ ଏକ ଶବ୍ଦ ଆସୁଥିଲା..
“ହାରିବା ମାନେ ଶେଷ ନୁହେଁ ।”

ଦିନେ ସେ ଜିଲ୍ଲାସ୍ତରର ପରୀକ୍ଷାରେ ପ୍ରଥମ ହେଲା। ସମସ୍ତ ଗାଁ ଲୋକେ ଆଶ୍ଚର୍ଯ୍ୟ ହେଲେ । ଯେଉଁମାନେ କାଲି ହସୁଥିଲେ, ସେମାନେ ଆଜି ଗର୍ବ କରୁଥିଲେ । କିନ୍ତୁ ସେଥିରେ ଜୀବନର ମନ ବଦଳିଲା ନାହିଁ । ସେ ଅହଂକାରୀ ହେଲା ନାହିଁ। ମାଆଙ୍କ ପାଖରେ ବସି ସେ କହିଲା….
“ଏହା ମୋର ନୁହେଁ, ତୁମର ଆଶୀର୍ବାଦ।”
ସେ ଉଚ୍ଚ ଶିକ୍ଷା ପାଇଁ ସହରକୁ ଗଲା। ସେଠାରେ ଅନେକ ପ୍ରଲୋଭନ, ଅନେକ ବିଘ୍ନ। କିନ୍ତୁ ଗାଁ ମାଟିର ଗନ୍ଧ ତାକୁ ଭୁଲ ପଥରେ ଯିବାକୁ ଦେଲା ନାହିଁ ।

କେତେ ବର୍ଷ ପରେ ଜୀବନ ଏକ ଶିକ୍ଷକ ହେଲା । ସେ ଗାଁକୁ ଫେରି ଏକ ଛୋଟ ପାଠଶାଳା ଖୋଲିଲା ।
ତା କଥା ଥିଲା…“ମୋ ପରି ଆଉ କୌଣସି ଛୁଆର ଅଭାବରେ ସ୍ୱପ୍ନ ଭାଙ୍ଗି ନ ଯାଉ।”
ଗାଁର ଛୁଆମାନେ ତାକୁ “ଜୀବନ ସାର୍” ବୋଲି ଡାକୁଥିଲେ। ତାଙ୍କ ଶିକ୍ଷା କେବଳ ପୁସ୍ତକରେ ସୀମିତ ନୁହେଁ….
ସେ ସେମାନଙ୍କୁ ଶିଖାଉଥିଲେ…

  • ସଂଘର୍ଷ କରିବା
  • ମାତାପିତାଙ୍କ ସମ୍ମାନ
  • ସତ୍ୟ ଓ ପରିଶ୍ରମର ମୂଲ୍ୟ ଶେଷ ନୁହେଁ, ଆରମ୍ଭ ମାତ୍ର
    ଦିନେ ସନ୍ଧ୍ୟାରେ ସେ ତାଙ୍କ ପୁରୁଣା ଘର ଆଗରେ ବସିଥିଲା । ମାଆଙ୍କ ଚୁଟି ଧଳା ହୋଇଯାଇଛି, କିନ୍ତୁ ମୁହଁରେ ସେଇ ପୁରୁଣା ହସ ।
    ମାଆ ପଚାରିଲେ..“ତୁ ଖୁସି ତ?”
    ଜୀବନ ହସି କହିଲା, “ଯେଉଁଦିନ ମୁଁ ଅନ୍ୟର ଆଖିର ଲୁହ ପୋଛିପାରିବି, ସେଦିନ ମୁଁ ପାଇବି ମୋର ସଫଳତା ।”
    ଜୀବନ କେବଳ ନିଜ ପାଇଁ ନୁହେଁ, ଅନ୍ୟଙ୍କ ପାଇଁ ଜୀବନ୍ତ ହେବା ତାର ସାର୍ଥକତା ।

Leave a Reply

Your email address will not be published. Required fields are marked *