ବାପା ମା’ଙ୍କ ଆଶୀର୍ବାଦ
ବାପା ମା’ଙ୍କ ଆଶୀର୍ବାଦ
ଦୁନିଆଁରେ ଧନୀ ନୁହଁଇ ସେ ଭାଇ
ଯାହା ପାଖେ ଟଙ୍କା ଥାଏ,
ଧନୀ ସେହି ମଣିଷ ଯାହା ମୁଣ୍ଡରେ
ମା’ବାପାଙ୍କ ହାତ ରହେ ।
ଟଙ୍କା ସିନା ଦିନେ ସବୁ ସରି ଯିବ
ସମ୍ପତ୍ତି ହୋଇବ ଶୂନ୍ୟ,
ମା’ବାପାଙ୍କ ସ୍ନେହ ଆଶୀର୍ବାଦ ସଦା
ଥିବ ଅକ୍ଷୟ ଓ ପୁଣ୍ୟ ।
ସନ୍ତାନ ପାଇଁ ବାପା ସାରା ଜୀବନ
ଦୀପ ପରି ଜଳୁଥାନ୍ତି,
ନିଜ ସ୍ୱପ୍ନକୁ ଜଳାଞ୍ଜଳି ଦେଇ ଆମ
ସ୍ୱପ୍ନ ପୂରଣ କରନ୍ତି ।
ଡହ ଡହ ଖରାରେ ଝାଳ ବୁହାଇ
ଜୀବନ ପଥେ ଚାଲନ୍ତି,
ନିଜ କଷ୍ଟ ଭୁଲି ସନ୍ତାନ ମୁହଁରେ
ସର୍ବଦା ହସ ଫୁଟାନ୍ତି ।
ସନ୍ତାନ ମୁହଁରେ ହସ ଦେଖି ମାଆ
ଦୁଃଖକୁ ତା’ର ଲୁଚାଏ,
ନିଜ ସୁଖ ଶାନ୍ତି ପଛରେ ପକାଇ
ବାଟ ଚାଲିବା ଶିଖାଏ ।
ରାତି ରାତି ଜାଗି କରଇ ପ୍ରାର୍ଥନା
ସନ୍ତାନର ସୁଖ ପାଇଁ,
ହସି ହସି ସଦା ଆଶିର୍ବାଦ ଦିଏ
ଆଖିରେ ଲୁହ ଲୁଚାଇ ।
ଯେଉଁ ଘରେ ବାପା ମାଆ ହସୁଥାନ୍ତି
ହାର ମାନିଥାଏ ଭାଗ୍ୟ,
ସେଇ ଘରଟିରେ ଅଭାବ ରହେନା
ପାଲଟି ଯାଏ ସରଗ ।
ଜଳୁଥାଏ ସଦା ହସର ଆଲୋକ
ଦୂର ହୁଏ ସବୁ ଦୁଃଖ,
ଆଶୀର୍ବାଦ ତାଙ୍କ ରହିଥିଲେ ଜାଣ
ଜୀବନ ହୁଅଇ ସୁଖ ।
ଯେତେଦିନ ସେମାନଙ୍କ ଶ୍ୱାସ ଅଛି
ଅବହେଳା ନ କରିବ,
ସେମାନଙ୍କ ଆଖିରୁ ଲୁହ ଝରିଲେ
ଜୀବନେ ଦୁଃଖ ଭୋଗିବ ।
ମନେ ରଖିଥିବ ଆହେ ଭାଇମାନେ
ବାପା ମା’ ଅମୂଲ୍ୟ ଧନ,
ତାଙ୍କ ପାଦ ତଳେ ରହିଛି ସ୍ବର୍ଗର
ଅମୃତ ସମ୍ପଦ ଗୁଣ ।
ଦିବାକର ସିଂ, ଦୁବଲାଗଡି, ବାଲେଶ୍ଵର
