ଉଦ୍ଘାଟନ ହେବା ପୂର୍ବରୁ ଉଜୁଡ଼ିଗଲାଣି ପୁରୀର ଚକ୍ରତୀର୍ଥ ପାର୍କ l
ଉଦ୍ଘାଟନ ହେବା ପୂର୍ବରୁ ଉଜୁଡ଼ିଗଲାଣି ପୁରୀର ଚକ୍ରତୀର୍ଥ ପାର୍କ l ବ୍ୟାୟାମ ଉପକରଣ ଓ ପିଲାଙ୍କ ପାଇଁ ଲଗାଯାଇଥିବା ଦୋଳି ନଷ୍ଟ ହୋଇଗଲାଣି। କୌଣସି ଉପକରଣ ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ସମଗ୍ର ପାର୍କଟିକୁ ଦେଖିଲେ ଲାଗୁଛି ଯେମିତି କେବଳ ଠିକାଦାରଙ୍କୁ ପୋଷିବା ପାଇଁ ଏହି ପାର୍କରେ ଅର୍ଥ ଖର୍ଚ୍ଚ ହୋଇଛି। ଅଢ଼େଇ ବର୍ଷ ତଳୁ ଏହା ନିର୍ମାଣ ହୋଇଥିଲେ ମଧ୍ୟ ଉଦ୍ଘାଟନ ହୋଇ ନାହିଁ ଫଳରେ ଏହାକୁ ବ୍ୟବହାର କରିବାକୁ ଦିଆଯାଉନି ଫଳରେ ଏଥିରେ ଖର୍ଚ୍ଚ ହୋଇଥିବା ୩ କୋଟି ଟଙ୍କା ପାଣିରେ ପଡ଼ିଛି l ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ | ୨୦୨୧ ମସିହାରେ ଏହି ବେଳାଭୂମି ପାର୍କ ନିର୍ମାଣ ଆରମ୍ଭ ହୋଇ ୨୦୨୩ରେ ଶେଷ ହୋଇଥିଲା ପର୍ଯ୍ୟଟକଙ୍କ ପାଇଁ ପୋଷାକ ପରିବର୍ତ୍ତନ ଗୃହ, ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ପ୍ରମୋଦ ଉଦ୍ୟାନ, ମୁକ୍ତାକାଶ ବ୍ୟାୟାମଶାଳା, ଛୋଟ ପିଲାଙ୍କ ପାଇଁ ଦୋଳି ରହିଥିଲା। ପାର୍କ ନିର୍ମାଣ ହେବାକୁ ଅଢେଇ ବର୍ଷରୁ ଅଧିକ ବିତିଲାଣି ପଛେ,କିନ୍ତୁ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଏହା ଆଜି ପର୍ଯ୍ୟନ୍ତ ଖୋଲାଯାଇନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ପାର୍କରେ ଲାଗିଥିବା ମୁକ୍ତାକାଶ ବ୍ୟାୟାମ ଉପକରଣ ଓ ଦୋଳି ନଷ୍ଟ ହୋଇଗଲାଣି ଶୌଚାଳୟ ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି। ପୋଷାକ ପରିବର୍ତ୍ତନ ଗୃହରେ ତାଲା ପଡ଼ିଛି। ସମୁଦ୍ରସ୍ନାନ ପରେ ମହିଳାମାନେ ପୋଷାକ ପରିବର୍ତ୍ତନ କରିବା ପାଇଁ ବାରଦୁଆର ହେଉଛନ୍ତି । ସନ୍ଧ୍ୟା ହେଲେ ଅସାମାଜିକ ବ୍ୟକ୍ତିମାନେ ପାର୍କରେ ଆଡା ଜମାଇ ନିଶା ସେବନ କରୁଛନ୍ତି। ସନ୍ଧ୍ୟାରେ ମହିଳାମାନେ ପାର୍କରେ ଯାଇ ବସୁଥିବାରୁ ସେମାନେ ଏହି ନିଶାଖୋରମାନଙ୍କର ଦୁବ୍ୟବହାରର ଶିକାର ହେଉଛନ୍ତି। ୩ କୋଟି ଟଙ୍କା ଏହି ପାର୍କରେ ଖର୍ଚ୍ଚ ହୋଇଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କରାଯାଇଥିବା ବେଳେ ସମୁଦ୍ରକୂଳରେ ଥିବା ଏହି ପାର୍କ ପର୍ଯ୍ୟଟକଙ୍କର ପ୍ରମୁଖ ଆକର୍ଷଣ ସାଜିବ | କିନ୍ତୁ ଏହାକୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇ ନାହିଁ ତୁରନ୍ତ ଏହି ପାର୍କକୁ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବାକୁ ପର୍ଯ୍ୟଟକ ଓ ବୁଦ୍ଧିଜୀବୀ ଦାବି କରିଥିବାବେଳେ ସେପଟେ ଜିଲ୍ଲାପାଳ କହିଛନ୍ତି ପୁରୀ ଚକ୍ରତୀର୍ଥ ପାର୍କ ସମେତ ପୁରୀର ଥିବା ଅନେକ ପାର୍କକୁ ପୁନଃଉଦ୍ଧାର କରାଯିବା ସହ କିଭଳି ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ବ୍ୟବହାର ଉପଯୋଗୀ ହୋଇପାରିବ ସେ ନେଇ ବିଶେଷ ଧ୍ୟାନ ଦିଆଯିବ l
