ଛଳନା
ଛଳନା
( ଛ ଆଦ୍ୟାନୁପ୍ରାସେ ଆଧୁନିକ କବିତା)
✍🏼କବିରତ୍ନ ନୂତନ କୁମାର ବେହେରା
ଛଳନା ଛଅ ରିପୁ’ର ଫାଶରେ ରଖେ ଛନ୍ଦି
ଛଳ କରଇ ମିଛ ମଣିଷ କୁଟ କପଟ ଫାନ୍ଦି
ଛବି ତାର ଉପରକୁ ଦିଶୁଥିଲେ ବି ଭଲ
ଛାଡ଼ି ଧୂଆଁବାଣ ଉଠାଉଥାଏ ତାହାର ମୂଲ
ଛକି ବସେ ଶିକାରୀ ପରି ମେଲି ମାୟାଜାଲ
ଛୁଟାଏ ମନର ଘୋଡ଼ାକୁ ମାରି ମାଲିସ୍ ତେଲ
ଛଞ୍ଚାଣ ସମ ସେ ଉଡ଼େ ଆଶାର ଆକାଶେ
ଛଡ଼ାଇ ନେଇ ସୁଖ ଶିରୀ କୁଟିଳେ ହସେ
ଛିଣ୍ଡାଏ ସଂପର୍କର ଦୃଢ଼ ବନ୍ଧନକୁ ଇଚ୍ଛା ମତେ
ଛୁଞ୍ଚି ପରି ହୋଇ ଫାଳ ଧରେ ତା’ ହାତେ
ଛଳନା ଛଅ ଋତୁ ଭଳି ବଦଳାଉଥାଏ ରଙ୍ଗ
ଛକା ମାରିବାକୁ ଦେଖାଉଥାଏ ଢ଼ଙ୍ଗ ଢ଼ାଙ୍ଗ
ଛୁରୀ ପରି ଗୁପତେ ଥାଇ କାଟି ଦିଅଇ ତଣ୍ଟି
ଛାଟି ପିଟି ହୁଏ ସରଳ ବାଜେ ତା’ ଜୀବନ ଘଣ୍ଟି
ଛପି ଛପି ଦେଖେ କେଉଁଠି ରହିଛି କି ଗଣ୍ଠି
ଛାଟ ମାରି ଛଳେ ଲୁଟି ନିଏ ଜମା ପାଣ୍ଠି
ଛତା ଧରି ଡ଼ାକି କହେ କରିବ ଝଡ଼ରୁ ରକ୍ଷା
ଛାତ୍ର ଭାବି ଅନ୍ୟଙ୍କୁ ଦିଏ ସେ ଗୁରୁ ଦୀକ୍ଷା
ଛକ ବଜାରରେ ବସି କରେ ଭାଗ୍ୟ ପରୀକ୍ଷା
ଛୋଟକୁ ମୋଟ କରି ଦିଏ ମିଛର କୁଶିକ୍ଷା
ଛଳନା ଛ’ଖଣ୍ଡ କାଠ ହୋଇ ଜାଳେ ଜୀଅନ୍ତା
ଛେଚି ପିଟି ହୁଏ ନିରୀହ ତା’ ଲାଗି ଛଳ ଯନ୍ତା
ଛାଇ ପରି ଲାଗି ରହେ ପୂରଣ କରିବାକୁ ସ୍ବାର୍ଥ
ଛେଲି ପରି ଛାଲି ଜୀବନକୁ କରାଏ ବ୍ୟର୍ଥ
ଛଟକେ ଭୁଲାଇ ନେଇ ଦିଅଇ ପ୍ରତାରଣା
ଛଦ୍ମବେଶେ ରହି ଅନ୍ୟକୁ ଦିଏ ଭୁଲ୍ ଠିକଣା
ଛଳନାର ଛଳରେ ପଡ଼ି ହୁଅଇ ଯିଏ ବାଟବଣା
ଛାଡ଼ି ନିଜର ବୁଦ୍ଧି ବିଦ୍ୟା ଭୋଗୁଥାଏ ଯନ୍ତ୍ରଣା
ଛାମୁ ପରି ବିଚାରି ହୋଇଥାଏ ଯିଏ ସାବଧାନ
ଛଳନାର ଫାଶରୁ ମୁକୁଳି ସୁଖେ କାଟଇ ଦିନ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
