କୁହୁଡ଼ିରେ ସନ୍ତରଣ

           କୁହୁଡ଼ିରେ ସନ୍ତରଣ

   🖋️କବିରତ୍ନ ନୂତନ କୁମାର ବେହେରା

ହାତମୁଠାରୁ ଖସି ହଜି ଗଲେ କିଛି ବି
ହଜାଇବା ଲୋକ ହୁଏତ ପାଇ ପାରେ ଖୋଜି
ଯେବେ ନ ପାଏ ସେ…ଆଉ କେହି ତାକୁ
ତା’ ଆଗରୁ କରି ନେଇଥାଏ ଅକ୍ତିଆର
ସବୁଦିନ ସବୁରେ ରହେନା ଜଣକର ମାଲିକାନା
ପରିବର୍ତ୍ତନଶୀଳ ଦୁନିଆଁର ରୀତି ନୀତି
ଶୂନ୍ୟ ହାତ ପୂର୍ଣ୍ଣ ହୋଇ ହୁଏ ପୁଣି ଶୂନ୍ୟ
ବାସ୍ତବତାକୁ ହୁଏନା ଏଡ଼ି ଦେଇ ଅବା ଫାଙ୍କି
ବିଫଳତାରେ ଭାଙ୍ଗି ପଡ଼ି ଅନୁଶୋଚନା କରିବା
ହାରି ଯିବାର ମନୋଭାବ ଏକ ଦୁର୍ବଳତା
ପ୍ରତିଟି ଆଗାମୀ ମୁହୂର୍ତ୍ତ ଭିତରେ ଅଛି ସମ୍ଭାବନା
କାହାକୁ ଅବା ଜଣା… କ’ଣ ହେବ ଆଗକୁ
କେବଳ ଏକ ଆଶା ଆଶ୍ଵାସନାରେ
ବିଶ୍ଵାସ ଭରସାରେ ଆରମ୍ଭ ହୁଏ ଅଭିଯାନ
ଲକ୍ଷ୍ୟ ପଥରେ ରଖିବାକୁ ହୁଏ ଏକାଗ୍ରତା
ଜୀବନର ଅତ୍ୟାବଶ୍ୟକତା ସମସ୍ତଙ୍କର ଜରୁରୀ
ପରିବେଶ ପରିସ୍ଥିତି ବେଳେବେଳେ ଆଣେ
ଅବାଞ୍ଛିତ ପ୍ରତିକୂଳର ଜଟିଳ ସମସ୍ୟା
ତାର ବାଧା ବିଘ୍ନକୁ ସମ୍ମୁଖୀନ ହୋଇ ଚାଲିବା
ପ୍ରତ୍ୟେକଙ୍କ ପାଇଁ ହୋଇଥାଏ ଏକ ଆହ୍ବାନ
ଧୈର୍ଯ୍ୟ ଓ ସାହସର ସହିତ ନେଲେ ଦୃଢ଼ ସଂକଳ୍ପ
ଲକ୍ଷ୍ୟସ୍ଥଳ ହୁଏ ନାହିଁ କେବେ ଅପହଞ୍ଚ
ସଫଳତା କରେ ସ୍ଵାଗତ ଦିଏ ତାକୁ ଅଭ୍ୟର୍ଥନା
ଅବାସ୍ତବ ସ୍ବପ୍ନରେ ଆକାଶ କୁସୁମ କଳ୍ପନା କରିବା
ସାକାର ହୁଏ ନାହିଁ କେବେ କାହାର
ନିଜ ସାଥେ ପ୍ରବଞ୍ଚନା କରିବା ସଙ୍ଗେ ସମାନ
ପରିଣାମରେ ହୁଏ କେବଳ ନୈରାଶ୍ୟତାଜନକ
ଅଜ୍ଞାନତା ବଶତଃ ଏ କୁହୁଡ଼ିରେ ସନ୍ତରଣ ମାତ୍ର
ସମୟ ସୁଯୋଗ ହୋଇଯାଏ ଅତିକ୍ରାନ୍ତ
ବର୍ତ୍ତମାନ ହୋଇ ଫେରେନା ଆଉ ସେ ଅତୀତ।
          
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *