ଜଳ ଜୀବନ ମିଶନ ୨.୦ ଅଧୀନରେ ଯୁବକଯୁବତୀଙ୍କୁ ଦକ୍ଷତା ପ୍ରଶିକ୍ଷଣ ପାଇଁ ଚୁକ୍ତିନାମା ସ୍ୱାକ୍ଷର

ଜଳ ଜୀବନ ମିଶନ ୨.୦ ଅଧୀନରେ ଯୁବକଯୁବତୀଙ୍କୁ ଦକ୍ଷତା ପ୍ରଶିକ୍ଷଣ ପାଇଁ ଚୁକ୍ତିନାମା ସ୍ୱାକ୍ଷର l ୧ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରିବାକୁ ପାନୀୟ ଜଳ ଓ ପରିମଳ ବିଭାଗର ପଦକ୍ଷେପଗ୍ରାମୀଣ ଯୁବକଙ୍କ ଦକ୍ଷତା ବିକାଶ ସହ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ‘ନଳ ଜଳ ମିତ୍ର’ ପଦକ୍ଷେପଆଇଟିଆଇ ଓ ଏନ୍‌ଏସ୍‌ଟିଆଇ ମାଧ୍ୟମରେ ଦେଶବ୍ୟାପୀ ଜଳଯୋଗାଣ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମଗ୍ରାମୀଣ ପାନୀୟ ଜଳ ଭିତ୍ତିଭୂମିର ଦୀର୍ଘକାଳୀନ ସ୍ଥାୟିତ୍ୱ ସୁନିଶ୍ଚିତ କରିବା ସହ ସ୍ଥାନୀୟ ସ୍ତରରେ ନିଯୁକ୍ତି ସୃଷ୍ଟି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଜଳଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ପାନୀୟ ଜଳ ଓ ପରିମଳ ବିଭାଗ (ଡିଡିଡବ୍ଲ୍ୟୁଏସ୍‌) ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନସ୍ଥ ତାଲିମ ମହାନିର୍ଦ୍ଦେଶାଳୟ (ଡିଜିଟି) ମଧ୍ୟରେ ଆଜି ଜଳ ଜୀବନ ମିଶନ ୨.୦ (ଜେଜେଏମ୍‌ ୨.୦) ଅଧୀନରେ ଜଳ ଯୋଗାଣ ବ୍ୟବସ୍ଥାର ପରିଚାଳନା ଓ ରକ୍ଷଣାବେକ୍ଷଣ ଦକ୍ଷତା ତାଲିମ କାର୍ଯ୍ୟକ୍ରମ (‘ନଳ ଜଳ ମିତ୍ର’) ନିମନ୍ତେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି।ନୂଆଦିଲ୍ଲୀସ୍ଥିତ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟରେ ମାନ୍ୟବର କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସି. ଆର୍. ପାଟିଲ, ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭି. ସୋମନ୍ନା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମଣାପତ୍ରରେ ‘ଜାତୀୟ ଜଳ ଜୀବନ ମିଶନ (ଏନ୍‌ଜେଜେଏମ୍‌)’ର ଯୁଗ୍ମ ସଚିବ ଶ୍ରୀମତୀ ସ୍ୱାତୀ ମୀନା ନାୟକ ଏବଂ ‘ଦକ୍ଷତା ବିକାଶ ଓ ତାଲିମ ମହାନିର୍ଦ୍ଦେଶାଳୟ (ଡିଜିଟି)’ର ଉପମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ଗୁପ୍ତା ଆନୁଷ୍ଠାନିକ ଭାବେ ସ୍ୱାକ୍ଷର କରିଥିଲେ। ବୁଝାମଣାପତ୍ର ସ୍ୱାକ୍ଷର ସମୟରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟର ସଚିବ ଶ୍ରୀମତୀ ଦେବଶ୍ରୀ ମୁଖାର୍ଜୀ, ପାନୀୟ ଜଳ ଓ ପରିମଳ ବିଭାଗର ସଚିବ ଶ୍ରୀ ଅଶୋକ କେ. କେ. ମୀନା, ଜାତୀୟ ଜଳ ଜୀବନ ମିଶନର ଅତିରିକ୍ତ ସଚିବ ତଥା ମିଶନ ନିର୍ଦ୍ଦେଶକ ଶ୍ରୀ କମଳ କିଶୋର ସୋନ୍‌ଙ୍କ ସମେତ ଉଭୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ଏହି ଅବସରରେ ଉପସ୍ଥିତ ମାନ୍ୟବର କେନ୍ଦ୍ରମନ୍ତ୍ରୀମାନେ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଦକ୍ଷ ସ୍ଥାନୀୟ କର୍ମଶକ୍ତି ମାଧ୍ୟମରେ ଗ୍ରାମୀଣ ଜଳ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଗ୍ରାମୀଣ ଯୁବକଯୁବତୀଙ୍କ ପାଇଁ ଜୀବିକାର ସୁଯୋଗ ସୃଷ୍ଟି କରିବାରେ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଜଳ ଜୀବନ ମିଶନ ୨.୦ର ଉଦ୍ଦେଶ୍ୟ ପୂରଣ ନିମନ୍ତେ ଦେଶର ଧନ୍ଦାମୂଳକ ତାଲିମ ଭିତ୍ତିଭୂମିର ସଦୁପଯୋଗ କରିବା ପାଇଁ ‘ସମ୍ପୂର୍ଣ୍ଣ ସରକାର’ ଆଭିମୁଖ୍ୟ ଅଧୀନରେ ବିଭିନ୍ନ ମନ୍ତ୍ରଣାଳୟ ମଧ୍ୟରେ ସମନ୍ୱୟର ଗୁରୁତ୍ୱକୁ ସେମାନେ ସ୍ୱୀକାର କରିଥିଲେ।ଜଳ ଜୀବନ ମିଶନ ୨.୦ ଏବଂ ଦକ୍ଷତା ବିକାଶ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ପାନୀୟ ଜଳ ଓ ପରିମଳ ବିଭାଗର ସଚିବ ଶ୍ରୀ ଅଶୋକ କେ. କେ. ମୀନା କହିଥିଲେ ଯେ, ବର୍ତ୍ତମାନ ପ୍ରାୟ ୧୬ କୋଟି ଗ୍ରାମୀଣ ପରିବାର ପାଇପ୍‌ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ସହ ସଂଯୁକ୍ତ ହୋଇଥିବାରୁ ଏହି ଭିତ୍ତିଭୂମିର ଦୀର୍ଘକାଳୀନ ସୁରକ୍ଷା ଓ ସୁପରିଚାଳନା ପାଇଁ ଏକ ସୁଦୃଢ଼ ପରିଚାଳନା ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥା ଗଠନ କରିବା ଏବେ ପରବର୍ତ୍ତୀ ପ୍ରାଥମିକତା। ଦୈନନ୍ଦିନ ପରିଚାଳନାଗତ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବାହ୍ୟ ସଂସ୍ଥା ଉପରେ ନିର୍ଭର ନକରି ଗ୍ରାମ ଓ ନିକଟବର୍ତ୍ତୀ ଅଞ୍ଚଳରେ ସମୟୋଚିତ ବୈଷୟିକ ସହାୟତା ଉପଲବ୍ଧ ହେବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।ଶ୍ରୀ ମୀନା ଉଲ୍ଲେଖ କରିଥିଲେ ଯେ, ପାନୀୟ ଜଳ ଓ ପରିମଳ ବିଭାଗ (ଡିଡିଡବ୍ଲ୍ୟୁଏସ୍‌) ଏବଂ ତାଲିମ ମହାନିର୍ଦ୍ଦେଶାଳୟ (ଡିଜିଟି) ମଧ୍ୟରେ ଏହି ସହଭାଗିତା ଭାରତର ଧନ୍ଦାମୂଳକ ତାଲିମ ବ୍ୟବସ୍ଥାକୁ ସିଧାସଳଖ ଗ୍ରାମୀଣ ଜଳ କ୍ଷେତ୍ର ସହ ଯୋଡ଼ିବ। ସୁବ୍ୟବସ୍ଥିତ ଶ୍ରେଣୀଗୃହ ଶିକ୍ଷା ସହିତ କାର୍ଯ୍ୟକ୍ଷମ ଗ୍ରାମୀଣ ଜଳ ଯୋଗାଣ ଯୋଜନାଗୁଡ଼ିକରେ ପ୍ରତ୍ୟକ୍ଷ ବ୍ୟବହାରିକ ତାଲିମ ପ୍ରଦାନ ମାଧ୍ୟମରେ ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ସହାୟତା କରିବା ପାଇଁ ଏକ ନୂତନ ତାଲିମପ୍ରାପ୍ତ ଯୁବ କର୍ମୀ ଗୋଷ୍ଠୀ ଗଠନ କରାଯିବ। ସେ ଆହୁରି କହିଥିଲେ ଯେ, ପ୍ରମାଣପତ୍ରପ୍ରାପ୍ତ ପ୍ରାର୍ଥୀମାନଙ୍କର ଡାଟାବେସ୍ ଜିଲ୍ଲା ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ଉପଲବ୍ଧ କରାଯିବ। ଏହାଦ୍ୱାରା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିଜ ନିଜର ନୀତି ଓ ଆବଶ୍ୟକତା ଅନୁଯାୟୀ ଦକ୍ଷ କର୍ମଚାରୀଙ୍କୁ ନିୟୋଜିତ କରିପାରିବେ।ଏହି ବୁଝାମଣାପତ୍ର ଜଳ ଜୀବନ ମିଶନ ୨.୦ ଅଧୀନରେ ଜଳ ଯୋଗାଣ ବ୍ୟବସ୍ଥାର ପରିଚାଳନା ଓ ରକ୍ଷଣାବେକ୍ଷଣ ଦକ୍ଷତା ତାଲିମ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ନିମନ୍ତେ ପାନୀୟ ଜଳ ଓ ପରିମଳ ବିଭାଗ (ଡିଡିଡବ୍ଲ୍ୟୁଏସ୍‌) ଏବଂ ତାଲିମ ମହାନିର୍ଦ୍ଦେଶାଳୟ (ଡିଜିଟି) ମଧ୍ୟରେ ଏକ ସହଯୋଗମୂଳକ ଢାଞ୍ଚାକୁ ଆନୁଷ୍ଠାନିକ ରୂପ ଦେଇଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଦେଶବ୍ୟାପୀ ରହିଥିବା ଆଇଟିଆଇ ଓ ଏନ୍‌ଏସ୍‌ଟିଆଇ ନେଟୱର୍କର ସଦୁପଯୋଗ କରି ଗ୍ରାମାଞ୍ଚଳର ପାଇପ୍‌ ଯୋଗେ ଜଳ ଯୋଗାଣ ବ୍ୟବସ୍ଥାର ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ସହାୟତା କରିବା ପାଇଁ ଏକ ତାଲିମପ୍ରାପ୍ତ ଓ ପ୍ରମାଣପତ୍ରପ୍ରାପ୍ତ କର୍ମଶକ୍ତି ସୃଷ୍ଟି କରିବା।କାର୍ଯ୍ୟକ୍ରମର ପ୍ରମୁଖ ବୈଶିଷ୍ଟ୍ୟ୧. ପ୍ରଶିକ୍ଷଣର ପରିସର ଓ ଆର୍ଥିକ ବ୍ୟୟ: ଏହି ବୁଝାମଣାପତ୍ର ଅନୁଯାୟୀ, ଜଳ ଜୀବନ ମିଶନର ସମ୍ପ୍ରସାରିତ ଅବଧି ମଧ୍ୟରେ ଅତି କମ୍‌ରେ ୧,୦୦,୦୦୦ (ଏକ ଲକ୍ଷ) ପ୍ରାର୍ଥୀଙ୍କୁ ତାଲିମ ଓ ପ୍ରମାଣପତ୍ର ପ୍ରଦାନ କରିବାର ଲକ୍ଷ୍ୟ ରହିଛି। ଏଥିପାଇଁ ଆନୁମାନିକ ୧୧୧.୯୩ କୋଟି ଟଙ୍କା ବ୍ୟୟ ହେବ, ଯାହା ପାନୀୟ ଜଳ ଓ ପରିମଳ ବିଭାଗ (ଡିଡିଡବ୍ଲ୍ୟୁଏସ୍‌) ନିଜ ବିଭାଗୀୟ ବ୍ୟୟରୁ ସମ୍ପୂର୍ଣ୍ଣ ଭାବେ ବହନ କରିବ। ୨. ୧୬୫ ଘଣ୍ଟାର ଏନ୍‌ଏସ୍‌କ୍ୟୁଏଫ୍‌-ସଂଯୋଜିତ ପାଠ୍ୟକ୍ରମ: ଦକ୍ଷତା ବିକାଶ ଓ ତାଲିମ ମହାନିର୍ଦ୍ଦେଶାଳୟ (ଡିଜିଟି) ଅଧୀନସ୍ଥ କେନ୍ଦ୍ରୀୟ କର୍ମଚାରୀ ତାଲିମ ଓ ଗବେଷଣା ପ୍ରତିଷ୍ଠାନ (ସିଏସ୍‌ଟିଏଆରଆଇ) ପକ୍ଷରୁ ଡିଡିଡବ୍ଲ୍ୟୁଏସ୍‌ ସହ ପରାମର୍ଶ କରି ଏହି ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି ଏବଂ ଏନ୍‌ସିଭିଇଟି ଦ୍ୱାରା ଏହାକୁ ଅନୁମୋଦନ କରାଯାଇଛି। ଏହି ସ୍ୱଳ୍ପକାଳୀନ ତାଲିମ (ଏସ୍‌ଟିଟି) ପାଠ୍ୟକ୍ରମରେ ୧୨୦ ଘଣ୍ଟାର ଅନୁଷ୍ଠାନଭିତ୍ତିକ ତାଲିମ (ତତ୍ତ୍ୱଗତ ଓ ବ୍ୟବହାରିକ ଶିକ୍ଷା) ଏବଂ ୪୫ ଘଣ୍ଟାର ବାଧ୍ୟତାମୂଳକ ଚାକିରି ସମୟରେ ତାଲିମ (ଓଜେଟି) ଅନ୍ତର୍ଭୁକ୍ତ।୩. ଟାର୍ଗେଟ୍ ଗ୍ରୁପ୍ ଓ ଦ୍ୱୈତ ପ୍ରମାଣପତ୍ର: ସରକାରୀ ଆଇଟିଆଇ ଓ ଏନ୍‌ଏସ୍‌ଟିଆଇ’ରେ ଫିଟର୍‌ ଏବଂ ପ୍ଲମ୍ବର୍‌ ଟ୍ରେଡ୍‌ର କାରିଗର ତାଲିମ ଯୋଜନା (ସିଟିଏସ୍‌) ଅଧୀନରେ ବର୍ତ୍ତମାନ ତାଲିମ ନେଉଥିବା ଏବଂ ତାଲିମ ସମାପ୍ତ କରିଥିବା ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ଏହି ପାଠ୍ୟକ୍ରମ ଏକ ଇଚ୍ଛାଧୀନ ବିଷୟ ଭାବେ ଉପଲବ୍ଧ ହେବ। ସଫଳତାର ସହ ତାଲିମ ସମାପ୍ତ କରିବା ପରେ ପ୍ରଶିକ୍ଷାର୍ଥୀମାନେ ନିଜର ଜାତୀୟ ଟ୍ରେଡ୍‌ ପ୍ରମାଣପତ୍ର (ଏନ୍‌ଟିସି) ସହିତ ଡିଜିଟି ପକ୍ଷରୁ ଏନ୍‌ଏସ୍‌କ୍ୟୁଏଫ୍‌ ସମର୍ଥିତ ସ୍ୱଳ୍ପକାଳୀନ ତାଲିମ (ଏସ୍‌ଟିଟି) ପ୍ରମାଣପତ୍ର ପାଇବେ।୪. ବ୍ୟବହାରିକ ଦକ୍ଷତା ଓ କ୍ଷେତ୍ରଭିତ୍ତିକ ତାଲିମ: ଏହି ପାଠ୍ୟକ୍ରମରେ ପାଇପ୍‌ ମରାମତି, ଜଳ ବଣ୍ଟନ ବ୍ୟବସ୍ଥା, ପମ୍ପ୍‌ ଓ ମୋଟର୍‌, ମୌଳିକ ବିଦ୍ୟୁତ୍‌ କାର୍ଯ୍ୟ, ଜଳର ଗୁଣବତ୍ତା ଯାଞ୍ଚ ଏବଂ ନିୟମିତ ପରିଚାଳନା ଓ ରକ୍ଷଣାବେକ୍ଷଣ ସମ୍ପର୍କିତ ବିଷୟ ଅନ୍ତର୍ଭୁକ୍ତ ରହିଛି। ଡିଡିଡବ୍ଲ୍ୟୁଏସ୍‌ ପକ୍ଷରୁ କାର୍ଯ୍ୟକ୍ଷମ ଗ୍ରାମୀଣ ପାଇପ୍‌ ଜଳ ଯୋଗାଣ ଯୋଜନାଗୁଡ଼ିକରେ ୪୫ ଘଣ୍ଟାର କାର୍ଯ୍ୟକ୍ଷେତ୍ର ତାଲିମ (ଓଜେଟି) ବ୍ୟବସ୍ଥା କରାଯିବ। ଏହାଦ୍ୱାରା ପ୍ରଶିକ୍ଷାର୍ଥୀମାନେ ବାସ୍ତବ ଗ୍ରାମୀଣ ପରିବେଶରେ କାର୍ଯ୍ୟ କରିବାର ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରିପାରିବେ।୫. କାର୍ଯ୍ୟାନ୍ୱୟନ ଓ ପରିଚାଳନା ବ୍ୟବସ୍ଥା: ଡିଜିଟି ଅଧୀନସ୍ଥ ଏକ ଅଧସ୍ତନ କାର୍ଯ୍ୟାଳୟ ନ୍ୟାସନାଲ୍‌ ଇନ୍‌ଷ୍ଟ୍ରକ୍ସନାଲ୍‌ ମିଡିଆ ଇନ୍‌ଷ୍ଟିଚ୍ୟୁଟ୍‌ (ନିମି) ଏହି କାର୍ଯ୍ୟକ୍ରମର ତାଲିମ ସହଯୋଗୀ ଭାବେ କାର୍ଯ୍ୟ କରିବ। ଏହା ପାଣ୍ଠି ବଣ୍ଟନ, ତାଲିମ ସମନ୍ୱୟ, ମୂଲ୍ୟାୟନ ଓ ପ୍ରମାଣପତ୍ର ପ୍ରଦାନ ଦାୟିତ୍ୱ ତୁଲାଇବ। ଡିଡିଡବ୍ଲ୍ୟୁଏସ୍‌ ପକ୍ଷରୁ ପ୍ରଶିକ୍ଷକମାନଙ୍କୁ ଅଭିମୁଖୀକରଣ ତାଲିମ, କାର୍ଯ୍ୟକ୍ଷେତ୍ର ତାଲିମ (ଓଜେଟି) ପାଇଁ ସ୍ଥାନ ଚିହ୍ନଟ ଏବଂ ପ୍ରମାଣପତ୍ରପ୍ରାପ୍ତ ପ୍ରାର୍ଥୀମାନଙ୍କ ଡାଟାବେସ୍‌ ଜିଲ୍ଲା ଓ ଗ୍ରାମ ପଞ୍ଚାୟତ ସ୍ତରରେ ଉପଲବ୍ଧ କରାଇବାରେ ସହାୟତା ଯୋଗାଇ ଦିଆଯିବ। ସମ୍ପୃକ୍ତ ରାଜ୍ୟର ମାନବ ସମ୍ବଳ ନୀତି ଅନୁଯାୟୀ, ଏହି ପ୍ରଶିକ୍ଷିତ ପ୍ରାର୍ଥୀମାନଙ୍କୁ ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ। ଏହି କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ, ଲକ୍ଷ୍ୟ ହାସଲ ଓ ପାଣ୍ଠି ବିନିଯୋଗର ତଦାରଖ ପାଇଁ ଡିଡିଡବ୍ଲ୍ୟୁଏସ୍‌’ର ଯୁଗ୍ମ ସଚିବ ପାହ୍ୟାରୁ କମ୍‌ ନଥିବା ଜଣେ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ପରିଚାଳନା କମିଟି ଗଠନ କରାଯିବ।ପାନୀୟ ଜଳ ଓ ପରିମଳ ବିଭାଗ (ଡିଡିଡବ୍ଲ୍ୟୁଏସ୍‌) ଏବଂ ତାଲିମ ମହାନିର୍ଦ୍ଦେଶାଳୟ (ଡିଜିଟି) ମଧ୍ୟରେ ଏହି ସହଭାଗିତା ଭାରତର ଗ୍ରାମୀଣ ଜଳ କ୍ଷେତ୍ରରେ ପରିଚାଳନା ଓ ରକ୍ଷଣାବେକ୍ଷଣ ଦକ୍ଷତାକୁ ଏକ ସୁବ୍ୟବସ୍ଥିତ ରୂପ ଦେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଦେଶର ପ୍ରଚଳିତ ଧନ୍ଦାମୂଳକ ତାଲିମ ବ୍ୟବସ୍ଥା ସହ ଜଳ ଯୋଗାଣ ବ୍ୟବସ୍ଥାର ପରିଚାଳନା ଓ ରକ୍ଷଣାବେକ୍ଷଣ ସମ୍ପର୍କିତ ଦକ୍ଷତା ବିକାଶକୁ ଯୋଡ଼ିବା ଦ୍ୱାରା ବୈଷୟିକ ଜ୍ଞାନ ଓ କ୍ଷେତ୍ରସ୍ତରୀୟ ଦକ୍ଷତାରେ ସମ୍ପନ୍ନ ପ୍ରମାଣପତ୍ରପ୍ରାପ୍ତ ‘ନଳ ଜଳ ମିତ୍ର’ଙ୍କ ଏକ ସ୍ଥାୟୀ କର୍ମୀ ଗୋଷ୍ଠୀ ସୃଷ୍ଟି ହୋଇପାରିବ। ଏହି କାର୍ଯ୍ୟକ୍ରମ ଗ୍ରାମାଞ୍ଚଳର ପାଇପ୍‌ ଯୋଗେ ଜଳ ଯୋଗାଣ ଭିତ୍ତିଭୂମିର ଦୀର୍ଘକାଳୀନ କାର୍ଯ୍ୟକ୍ଷମତା ବଜାୟ ରଖିବା, ତୃଣମୂଳ ସ୍ତରରେ ସେବା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଗ୍ରାମାଞ୍ଚଳର ଯୁବକଯୁବତୀଙ୍କ ପାଇଁ ଅର୍ଥପୂର୍ଣ୍ଣ ଜୀବିକା ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏହାଦ୍ୱାରା ଜଳ ଜୀବନ ମିଶନ ୨.୦ର ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ଅବଦାନ ମିଳିବ।

Leave a Reply

Your email address will not be published. Required fields are marked *